କିଏ କାହା ଉପରେ ଭାରି ?…

BHUBANESWAR: ସେଦିନ ଥିଲା ଫେବ୍ରୁଆରି ୯ ତାରିଖ ୨୦୨୩ ମସିହା । ସଂସଦର ଅଧିବେଶନ ଚାଲୁଥିବା ବେଳେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ଗୋଟେ ବଡ଼ କଥା କହିଥିଲେ । ବିରୋଧୀଙ୍କୁ ତାତ୍ସଲ୍ୟ କରିବାକୁ ଯାଇ ମୋଦି କହିଥିଲେ, ‘ଏକ୍ ଅକେଲା କିତନୋ ପର୍ ଭାରି’… । ପ୍ରଧାନମନ୍ତ୍ରୀଙ୍କ ସେଦିନର ଏହି ମନ୍ତବ୍ୟ, ଦେଶବାସୀ ଏବେ ବି ମନେ ରଖିଛନ୍ତି । ପ୍ରଧାନମନ୍ତ୍ରୀ ଏହି ମନ୍ତବ୍ୟ ଦେଉଥିବା ବେଳେ ବିଜେପି ଓ ତାର ସହଯୋଗୀ ଦଳର ସଦସ୍ୟମାନେ ଟେବୁଲ ବାଡ଼େଇ ସମର୍ଥନ ଦେଉଥିଲେ । ଆଉ ବିଦ୍ରୁପାତ୍ମକ ହସ ହସ ବଦନରେ ବିରୋଧୀଙ୍କ କଟା ଘାରେ ଚୂନ ଲଗାଉଥିଲେ । ସେତେବେଳେ ସାମ୍ବିଧାନିକ ବୈଷୟିକ ଦୃଷ୍ଟିକୋଣରୁ କେହି ବିରୋଧୀ ଦଳ ନେତା ନଥିଲେ । ବିରୋଧୀ ଦଳ ନେତା ପଦ ହାତେଇବାକୁ କଂଗ୍ରେସ କିମ୍ବା ଅନ୍ୟ କୌଣସି ବିରୋଧୀ ଦଳ ପାଖରେ ଆବଶ୍ୟକ ସଦସ୍ୟ ନଥିଲେ । ବିରୋଧୀ ଦଳ ନେତା ଥିଲେ କେବଳ ନାମକୁ ମାତ୍ର । କିନ୍ତୁ ଏବେ ରାହୁଲ ଗାନ୍ଧି ହେଉଛନ୍ତି ସାମ୍ବିଧାନିକ ବିଧି ଆଧାରିତ ବିରୋଧୀ ଦଳ ନେତା । ପାଶ୍ଚାତ୍ୟ ଦେଶରେ ବିରୋଧୀ ଦଳ ନେତାଙ୍କୁ Shadow Prime Minister ମଧ୍ୟ କୁହାଯାଏ… । 
ସେଦିନ ଥିଲା ୨୦୨୩, ଫେବ୍ରୁଆରି ୯ ତାରିଖ । ଏବେ କିନ୍ତୁ ଆମେ ୨୦୨୬ ଫେବ୍ରୁଆରି ୨ ତାରିଖର କଥା କହୁଛୁ । ଅବସରପ୍ରାପ୍ତ ସେନାମୁଖ୍ୟ ଜେନେରାଲ୍ ଏମ୍. ଏମ୍. ନର୍ଭାଣେଙ୍କ ଦ୍ବାରା ଲିଖିତ ଏବଂ ପ୍ରକାଶ ଅପେକ୍ଷାରେ ଥିବା ପୁସ୍ତକ Four Stars of Destinyକୁ ନେଇ ପ୍ରକାଶିତ ଏକ ଆଲେଖ୍ୟ ସମ୍ବନ୍ଧରେ ପାର୍ଲାମେଣ୍ଟରେ ଉଠାଇଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । କିନ୍ତୁ ରାହୁଲଙ୍କୁ କୁହାଇ ଦେଲେନି । ଲୋକସଭାରେ ବିଜେପି ଓ ଏନଡିଏର ସଦସ୍ୟମାନେ Rahul n Co’ଙ୍କୁ ଏମିତି ଘେରିଲେ… ଏମିତି ହୋହଲ୍ଲା କଲେ… ପୁଣି ବାଚସ୍ପତିଙ୍କ ରୁଲ୍ ବୁକ୍ ବିରୋଧୀ ଦଳ ନେତାଙ୍କୁ କହିବାକୁ ଟିକେ ବି ସୁଯୋଗ ଦେଲାନି ।…
ବିରୋଧୀଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ତାତ୍ସଲ୍ୟଭରା ମନ୍ତବ୍ୟ ‘ଏକ୍ ଅକେଲା କିତନୋ ପର୍ ଭାରି’କୁ ୨୦୨୩ ଫେବ୍ରୁଆରି ୯ ତରିଖରେ ତାଙ୍କ ଦଳ ଓ ଏନଡିଏର ଅନ୍ୟ ସହଯୋଗୀ ଦଳର ସଦସ୍ୟମାନେ ଯେମିତି ସମର୍ଥନ କରିଥିଲେ, ୨୦୨୬ ଫେବ୍ରୁଆରି ୨ ତାରିଖରେ ଠିକ ସେମିତି ସରକାରଙ୍କ ସମର୍ଥନରେ ବାହାରି, ବିରୋଧୀ ଦଳ ନେତାଙ୍କୁ କରିଛନ୍ତି ଷଣ୍ଢୁଆସୀ ଆକ୍ରମଣ । ଦୁଇଟି ଯାକ ଘଟଣାରେ, ସରକାରଙ୍କୁ ସମର୍ଥନ କରିବାରେ ଏନଡିଏ ସଦସ୍ୟଙ୍କ ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟ ସମାନ ରହିଛି, କିନ୍ତୁ ମୁଦ୍ରା ଭିନ୍ନ । ୨୦୨୩ ଫେବ୍ରୁଆରି ୯ ତାରିଖ ଦିନ ମୁହଁରେ ଥିଲା ବିରୋଧୀଙ୍କ ପ୍ରତି ବିଦ୍ରୁପାତ୍ମକ ହସ ଏବଂ ଚାହାଣୀ ଥିଲା କଟାକ୍ଷ । ଆଉ ୨୦୨୬ ଫେବ୍ରୁଆରି ୨ ତାରିଖରେ ବିରୋଧୀଙ୍କ ପ୍ରତି ଶାସକ ଦଳ ସଦସ୍ୟଙ୍କ ରୂପ ଥିଲା ଉଗ୍ର, ସ୍ବର ଥିଲା ଅତି ଉଚ୍ଚ । ଲାଗୁଥିଲା ସତେ ଯେମିତି, ପାର୍ଲାମେଣ୍ଟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଯିବ କି ! ସେଦିନ ଗୃହରେ ଯେମିତି ହୋହଲ୍ଲା ଥିଲା, ଏବେ ବି ସେମିତି ଦେଖିବାକୁ ମିଳିଲା । ସେଦିନର ଘଟଣା ଥିଲା ପ୍ରଧାନମନ୍ତ୍ରୀ କୈନ୍ଦ୍ରିକ ଏବଂ ଏବେ ବିରୋଧୀ ଦଳ ନେତା କୈନ୍ଦ୍ରିକ । ତେଣୁ ଏଭଳି ସ୍ଥିତିରେ କିଏ କାହା ଉପରେ ଭାରୀ ପଡୁଛି, ବୁଝି ହେଉନି !…
କାହିଁକି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଶାସକ ଦଳ ଏମିତି ଘେରିଲା ? ପ୍ରକାଶ ଅପେକ୍ଷାରେ ଥିବା ଜେନେରାଲ୍ ନର୍ଭାଣେଙ୍କ ବହିରେ ଏମିତି କଣ ଗୁମର ଲେଖା ହୋଇଛି କି ? ଜେନେରାଲ୍ ଏମ. ଏମ. ନରଭାଣେଙ୍କ ପ୍ରକାଶ ଅପେକ୍ଷାରେ ଥିବା ପୁସ୍ତକ Four Stars of Destiny, ଏବେ ପ୍ରତିରକ୍ଷା ମନ୍ତ୍ରାଳୟରେ ପଡ଼ି ରହିଛି । ଜେନେରାଲ୍ ନର୍ଭାଣେ ତାଙ୍କ ପାଣ୍ଡୁଲିପିକୁ ପ୍ରକାଶନ ସଂସ୍ଥାକୁ ଦେଇଥିବା ବେଳେ ପ୍ରତିରକ୍ଷା ମନ୍ତ୍ରାଳୟଠାରୁ ଅନୁମତି ଲୋଡ଼ିଛି ସେହି ପ୍ରକାଶନ ସଂସ୍ଥା । ବର୍ଷେରୁ ଅଧିକ ସମୟ ହେବ ପ୍ରତିରକ୍ଷା ମନ୍ତ୍ରାଳୟ ପାଣ୍ଡୁଲିପିର ଅନୁଧ୍ୟାନ କରୁଛି । କିନ୍ତୁ ଜେନେରାଲ୍ ନର୍ଭାଣେଙ୍କ ଲିଖିତ ଅନ୍ୟ ପୁସ୍ତକ The Cantonment Conspiracy (A Fictional Write-up), Four Stars of Destinyର ପରେ ଲେଖା ଯାଇଥିବା ବେଳେ ତାହା ପ୍ରତିରକ୍ଷା ମନ୍ତ୍ରାଳୟର ଅନୁମତିରେ ପ୍ରକାଶିତ ହୋଇସାରିଛି ।…
ଆପଣ ଭାବୁଥିବେ, ପୁସ୍ତକ ତ ପ୍ରକାଶ ପାଇନି, ତାକୁ ନେଇ ଏହେ ହୋହଲ୍ଲା କାହିଁକି ! ପୁସ୍ତକ ପ୍ରକାଶ ପାଇ ନଥିଲେ ମଧ୍ୟ ପାଣ୍ଡୁଲିପିକୁ ଆଧାର କରି କାରାଭାନ୍ ମାଗାଜିନରେ ଏକ ଆଲେଖ୍ୟ ପ୍ରକାଶ ପାଇଛି । ପତ୍ରିକାର ସମ୍ପାଦକ ସୁଶାନ୍ତ ସିଂହ ତାହା ଲେଖିଛନ୍ତି ।…
ସୁଶାନ୍ତ ସିଂହ ଲେଖିଛନ୍ତି, “୨୦୨୦ ଅଗଷ୍ଟ ୩୧ ତାରିଖ ସନ୍ଧ୍ୟା ୮ଟା ୧୫ରେ ଭାରତୀୟ ସେନାର ନର୍ଦନ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଯୋଗେଶ ଯୋଶୀଙ୍କୁ ଏକ ଫୋନ୍ କଲ୍ ଆସିଥିଲା । ଚୀନ ସେନାର ୪ଟି ଟ୍ୟାଙ୍କ ଏବଂ ଯବାନ ପୂର୍ବ ଲଦାଖର ରେଚିନ୍ ଲା’ ଆଡ଼କୁ ମାଡ଼ି ଆସୁଥିଲେ । ଖବର ପାଇବା ମାତ୍ରେ ଲେଫ୍ଟନାଣ୍ଟ ଜେନେରାଲ୍ ଯୋଶୀ, ସେନାମୁଖ୍ୟ ଜେନେରାଲ୍ ନର୍ଭାଣେଙ୍କୁ ଜଣାଇଥିଲେ । ଜେନେରାଲ୍ ନର୍ଭାଣେ ତୁରନ୍ତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସେତେବେଳର ସିଡିଏସ୍ ଜେନେରାଲ୍ ସ୍ବର୍ଗତ ବିପିନ ରାୱତଙ୍କୁ ଜଣାଇଥିଲେ । ପରବର୍ତ୍ତୀ ପଦକ୍ଷେପ ପାଇଁ ନୀତିଗତ ନିର୍ଦ୍ଦେଶ ଲୋଡ଼ିଥିଲେ । ଅପେକ୍ଷା କରି କରି ସେହି ରାତି ୯ଟା ୨୫ରେ ପୁଣି ଥରେ କଥା ହୋଇଥିଲେ । କିନ୍ତୁ ସେନାମୁଖ୍ୟଙ୍କୁ କେହି କିଛି କହି ନଥିଲେ । ସେପଟେ କିନ୍ତୁ ସେନାମୁଖ୍ୟଙ୍କୁ ବାରମ୍ବାର ଫୋନ୍ କରି ଚାଲିଥିଲେ ନର୍ଦନ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଯୋଶୀ । ରାତି ୧୦ଟାରେ ସେନାମୁଖ୍ୟଙ୍କୁ ଫୋନ୍ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ରାଜନାଥ, ସେନାମୁଖ୍ୟ ଜେନେରାଲ୍ ନର୍ଭାଣେଙ୍କୁ କହିଥିଲେ, ‘ପ୍ରଧାନମନ୍ତ୍ରୀ କହିଛନ୍ତି, ସେନା ଯାହା ଉଚିତ ମନେ କରୁଛି, ତାହା କରୁ’… ଏହାରି ଭିତରେ ଚୀନ ସେନା ମାଡ଼ି ଆସୁଥିବା ବେଳେ ଭାରତୀୟ ଯବାନ ମଧ୍ୟ ଚେତାବନୀ ଫାୟାରିଂ ଦେଇ ଆଗକୁ ମାଡ଼ି ଚାଲିଥିଲେ । କିନ୍ତୁ ରାଜନାଥଙ୍କଠାରୁ ଫୋନ୍ କଲ୍ ସରୁ ସରୁ, ଚୀନ ସେନା ପକ୍ଷରୁ ଭାରତୀୟ ସେନାକୁ ଆସିଲା ମେସେଜ୍ । ଉଭୟ ପକ୍ଷ Movement ବନ୍ଦ କରିବାକୁ ଥିଲା ସେହି ମେସେଜ୍ ।…
ଦେଶ ସୁରକ୍ଷାର କଥା, ହେଲେ ସେନାମୁଖ୍ୟଙ୍କ Concernକୁ ଧ୍ୟାନ ଦେବାରେ ସରକାର କଲେ ବିଳମ୍ବ । ପୁଣି ପ୍ରତିରକ୍ଷା ମନ୍ତ୍ରୀଙ୍କ ମାଧ୍ୟମରେ ସେନାମୁଖ୍ୟଙ୍କୁ ଦେଶର ଶାସନ ମୁଖ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତି… ତାହା ପୁଣି ଟେଲିଫୋନରେ ! ତା ହେଲେ, ପ୍ରତିରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଅଛି କାହିଁକି ? ଏଇଟା କଣ ସେନାମୁଖ୍ୟ ଜେନେରାଲ୍ ନର୍ଭାଣେଙ୍କ ଘର କଥା ! ସେ ମନେ ମନେ ନିଷ୍ପତ୍ତି ନେଇଯିବେ ! ୧୯୬୨ ଚୀନ ବିରୋଧରେ ଯୁଦ୍ଧକୁ ସେତେବେଳ ଭାରତର ପ୍ରତିରକ୍ଷା ସଂକ୍ରାନ୍ତ କ୍ୟାବିନେଟ ଅନୁମତି ଦେଇଥିଲା । ସେତେବେଳେ ପ୍ରଧାନମନ୍ତ୍ରୀ ଥିବା ପଣ୍ଡିତ ଜବାହରଲାଲ ନେହରୁ ସେହି କ୍ୟାବିନେଟ୍ ମିଟିଂର ଅଧ୍ୟକ୍ଷତା କରିଥିଲେ । ୧୯୭୧ରେ ପାକିସ୍ତାନ ବିରୋଧରେ ଭାରତ ଯୁଦ୍ଧକୁ ଓହ୍ଲାଇବା ଅନୁମତି ମଧ୍ୟ ପ୍ରତିରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଦେଇଥିଲା । ସେତେବେଳେ କ୍ୟାବିନେଟ୍ ମିଟିଂର ଅଧ୍ୟକ୍ଷତା କରିଥିଲେ ସେତେବେଳର ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧି ।…
୧୯୭୧ରେ ପାକିସ୍ତାନ ବିରୋଧରେ ଯୁଦ୍ଧକୁ ଓହ୍ଲାଇବା ନିଷ୍ପତ୍ତି ସିନା ପ୍ରତିରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଦେଇଥିଲା କିନ୍ତୁ ମୁଖ୍ୟ ନାୟକ ଥିଲେ ସେତେବେଳର ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ସ୍ବର୍ଗତ ଶାମ ମାନେସ୍କା । ପାକିସ୍ତାନ ବିରୋଧରେ ସଙ୍ଗେ ସଙ୍ଗେ ଯୁଦ୍ଧକୁ ଓହ୍ଲାଇବାକୁ ଫିଲ୍ଡ ମାର୍ଶାଲ ମାନେସ୍କାଙ୍କୁ ବାରମ୍ବାର କହି ଚାଲିଥିଲେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି । କିନ୍ତୁ ଅନ୍ତର୍ଜାତୀୟ ଆଇନ କାନୁନକୁ ଅନୁଧ୍ୟାନ କରିବା ସହ ସେତେବେଳର ପାଣିପାଗ, ପରିବେଶ, ପରିସ୍ଥିତି ଏବଂ ସମୟକୁ ଦେଖି ନିଷ୍ପତ୍ତି ନେଇଥିଲେ ଫିଲ୍ଡ ମାର୍ଶାଲ ଶାମ ମାନେସ୍କା । ଅନୁକୂଳ ପରିବେଶକୁ ଅପେକ୍ଷା କରି କରି ପ୍ରାୟ ୬ ମାସ ଗଡ଼ାଇ ଦେଇଥିଲେ ଫିଲ୍ଡ ମାର୍ଶାଲ ମାନେସ୍କା । ୨୦୨୦ରେ ଜେନେରାଲ୍ ନର୍ଭାଣେଙ୍କ ବେଳେ ମଧ୍ୟ ବୈଶ୍ବିକ ପରିସ୍ଥିତି ଆଦୌ ଭଲ ନଥିଲା । କୋଭିଡ ମହାମାରୀ ଯୋଗୁ ବିଶ୍ବରେ Supply Chain ବା ଯୋଗାଣ ଶୃଙ୍ଖଳ ଅତିମାତ୍ରାରେ ପ୍ରଭାବିତ ହୋଇଥିଲା । ସବୁଠି ଥିଲା ଗମନା ଗମନରେ ଜୋରଦାର କଟକଣା । କହିବାକୁ ଗଲେ ପରିବେଶ ଏବଂ ପରିସ୍ଥିତି, ଯୁଦ୍ଧକ୍ଷେତ୍ରକୁ ଲମ୍ଫ ମାରିବାକୁ ଆଦୌ ଠିକ ନଥିଲା । କିନ୍ତୁ ଯେତେବେଳେ ଦେଶର ସୁରକ୍ଷା ପ୍ରତି ଏକ ବଡ଼ ଆସନ୍ନ ବିପଦ ମାଡ଼ି ଆସୁଛି, ସେନାମୁଖ୍ୟ ହିସାବରେ ଜେନେରାଲ୍ ନର୍ଭାଣେ କେମିତି ବା ଚୁପ ବସିଥାନ୍ତେ ! ସରକାରଙ୍କୁ ଜଣାଇବା ଏବଂ ତାଙ୍କଠାରୁ ନିର୍ଦ୍ଦେଶ ଲୋଡ଼ିବା ତାଙ୍କର ପ୍ରଥମ କାମ । ଯାହା ସେ କରିଛନ୍ତି । କିନ୍ତୁ ନିଷ୍ପତ୍ତି ଓ ନିର୍ଦ୍ଦେଶ ଶୁଣାଇବାରେ ସରକାର କରିଛନ୍ତି ବିଳମ୍ବ । ପୁଣି ଯାହା ଶୁଣାଇଲେ, ତାହା ଉପରେ କିଏ ବା କେମିତି, କି ପଦକ୍ଷେପ ନେବ ! Line of Actual Controlରେ ଭାରତ ଓ ଚୀନ ମଧ୍ୟରେ ପରିସ୍ଥିତି ଉତ୍ତେଜନାମୂଳକ ହେଉଥିବା ବେଳେ ସେନାମୁଖ୍ୟ ଜେନେରାଲ୍ ନର୍ଭାଣେଙ୍କ Concern ଉପରେ, ମୋଦି ସରକାର, ପ୍ରତିରକ୍ଷା ସଂକ୍ରାନ୍ତ କ୍ୟାବିନେଟ କମିଟିର ବୈଠକ ମଧ୍ୟ ଡାକି ନଥିଲେ । ପରେ ଢୋକଲାମରେ ଦୁଇ ଦେଶର ଯବାନ ହାତାହାତି ହୋଇଥିଲେ । ଯେଉଁଥିରେ ଭାରତର ୨୦ରୁ ଅଧିକ ଯବାନଙ୍କୁ ହତ୍ୟା କକରିଛି ଚୀନ ସେନା । ବାହ୍ୟ ଶତ୍ରୁ ଆକ୍ରମଣ ବେଳେ କିମ୍ବା ଦେଶର ସୁରକ୍ଷା ଅତି ବିପନ୍ନ ହେବାକୁ ଯାଉଥିବା ବେଳେ ସେନା କିନ୍ତୁ ଦେଶର ରାଜନୈତିକ କିମ୍ବା ଆର୍ଥିକ ସ୍ଥିତିକୁ ଦେଖି ନଥାଏ । କିନ୍ତୁ କୌଣସି ଦେଶ ବିରୋଧରେ ଯୁଦ୍ଧକୁ ଓହ୍ଲାଇବାର ନିଷ୍ପତ୍ତି କୌଣସି ଦେଶର ସେନାମୁଖ୍ୟ ମନେ ମନେ ନେଇପାରିବେ ନାହିଁ । ଏଥିପାଇଁ ସରକାରଙ୍କ ପକ୍ଷରୁ ସାମଗ୍ରୀକ ନିଷ୍ପତ୍ତି ଏବଂ ନିର୍ଦ୍ଦେଶର ଆବଶ୍ୟକତା ରହିଛି ।…    
ଅଧିକାଂଶ ଭାବୁଥିବେ, ବଜେଟ ଅଧିବେଶନରେ ହଠାତ କୁଆଡୁ ପଶି ଆସିଲା ଏ ପ୍ରସଙ୍ଗ ! କଂଗ୍ରେସ ସଦସ୍ୟମାନେ ରାଷ୍ଟ୍ରଭକ୍ତ ନୁହଁନ୍ତି, ବରଂ ସେମାନେ ରାଷ୍ଟ୍ର ବିରୋଧୀ ବୋଲି କହିଥିଲେ ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟା । ଯାହାକୁ କାଉଣ୍ଟର କରିବାକୁ ଯାଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ଜେନେରାଲ୍ ନର୍ଭାଣେଙ୍କ ଲିଖିତ ପୁସ୍ତକର ନିଷ୍କର୍ଷ ପାର୍ଲାମେଣ୍ଟରେ ଉଠାଇଛନ୍ତି । ପୁଣି ଯୋଗ ଏମିତି, ନର୍ଭାଣେଙ୍କ ପୁସ୍ତକ ପ୍ରକାଶ ପାଇ ନଥିବା ବେଳେ ତାଙ୍କ ପାଣ୍ଡୁଲିପି ଆଧାରରେ, କାରାଭାନା ମାଗାଜିନରେ ବାହାରିଛି ଆଲେଖ୍ୟ । ଯାହାକୁ ନେଇ ସଂସଦରେ ହୋହଲ୍ଲା । କହିଲେ ଦେଖି, LAC ଉତ୍ତେଜନାକୁ ନେଇ ଜେନେରାଲ୍ ନର୍ଭାଣେଙ୍କ Concern କଣ ଅତି ସମ୍ବେଦନଶୀଳ ନଥିଲା ! ସରକାର କଣ ତାହାକୁ ଗୁରୁତ୍ବର ସହ ନେବାର ନଥିଲା ! ଯୁଦ୍ଧକୁ ଓହ୍ଲାଇବା ନିଷ୍ପତ୍ତି ହେଉ ବା ନହେଉ, ସେତେବେଳେ ସଙ୍ଗେ ସଙ୍ଗେ ପ୍ରତିରକ୍ଷା ସଂକ୍ରାନ୍ତ କ୍ୟାବିନେଟ କମିଟିର ବୈଠକ ଡାକିବା କଣ ଆବଶ୍ୟକତା ନଥିଲା ! ପୁଣି ଏବେ ଯଦି ସେହି ପ୍ରସଙ୍ଗ ଉଠୁଛି, ତାହା ଉପରେ ପାର୍ଲାମେଣ୍ଟରେ ଆଲୋଚନା କରିବାରେ ଅସୁବିଧା କେଉଁଠି ରହୁଛି ? ବିଜେପି ପରା ସବୁବେଳେ କହି ଚାଲିଛି, ‘ଦେଶ ଆଗ… ଦେଶର ସୁରକ୍ଷା ଆଗ’ । କିନ୍ତୁ ଦେଶର ସୁରକ୍ଷା ସଂକ୍ରାନ୍ତ ଆଲୋଚନା ବେଳକୁ କାହିଁକି ବିଜେପି ନେତୃତ୍ବାଧୀନ ଏନଡିଏର ପଛଘୁଞ୍ଚା ! ପ୍ରମୁଖ ଖବର କାଗଜ କିମ୍ବା ମାଗାଜିନର ରିପୋର୍ଟ ଉପରେ କଣ କୌଣସ ରାଜ୍ୟର ବିଧାନସଭା ଓ ଦେଶର ପାର୍ଲାମେଣ୍ଟରେ ଆଲୋଚନା ହୋଇନି !…

Leave a Reply

Your email address will not be published. Required fields are marked *