ହଜମ କରି ନପାରିଲେ, ବଦହଜମିରେ ମର…
BHUBANESWAR: ହଁ ଆଜ୍ଞା, ହଜମ କରିବାକୁ ଚେଷ୍ଟା କରନ୍ତୁ, କାରଣ ହଜମ କରିବାକୁ ଆପଣ ବାଧ୍ୟ । ଆଉ ଯଦି ହଜମ କରି ନପାରିବେ, ତେବେ ବଦହଜମିରେ ମରି ଯାଆନ୍ତୁ । ଆପଣଙ୍କ ଯୋଗୁଁ ଦୁନିଆ ଅଟକି ଯିବନି । କାରଣ, ଜେଜେଙ୍କ ଆୟୂଷ ପୂରିଲା ସେ ମରିଗଲେ, ତା ମାନେ ନୁହେଁ, ଆୟୂଷ ଥାଉ ଥାଉ ନାତି ଟୋକାଟା ମରିଯିବ ! ଆପଣ ଭାବୁଥିବେ, କିଏ ଗୋଟେ ପାଗଳଟେ ବକବକ ହେଉଛି ।
ହଁ ଆଜ୍ଞା, ସେ ଗୋଟେ ଲୋକ ପାଗଳ କାହିଁକି ! ତା ଭଳି ଦେଶର ଅନେକ ଲୋକ ଏବେ ପାଗଳପ୍ରାୟ । ସେମାନେ ଭାବୁଛନ୍ତି, ସେମାନଙ୍କ ଆଖି ଆଗରେ ଏସବୁ କଣ ଘଟିଯାଉଛି ! ସତରେ କଣ ସବୁକିଛି ଓଲଟି ଯିବ ! ପୂର୍ବର ସେ ସମୟ ଆଉ ଫେରିବନି ! ସେମାନେ ପୁଣି ମନଇଚ୍ଛା ଫର୍ଚ୍ଚାରେ ଚଳି ପାରିବେନି ! କିଛି ବଡ଼ ଧରଣର ଅନ୍ୟାୟ, ଅନୀତି ହେଉଛି କି ?
ଆସନ୍ତାକାଲି କିଏ ଦେଖିଛି, ଗତକାଲିକୁ ବା କିଏ ଫେରାଇ ଆଣିପାରିଛି । ସମୟ ଗତିଶୀଳ, ଆଉ ସବୁକିଛି ପରିବର୍ତ୍ତନଶୀଳ । ଏ ସୃଷ୍ଟି, ଏ ବିଶ୍ବ, ଏ ଜୀବଜଗତ, ଏ ଦୁନିଆ, ଏ ସମାଜ, ଏ ଦେଶ, ଏ ରାଜ୍ୟ, ଏ ଜିଲ୍ଲା, ଏ ଗାଁ, ଏ ବ୍ୟବସ୍ଥା, ଆଉ ଏ ପରିବେଶ-ପରିସ୍ଥିତି, ସବୁକିଛି ପରିବର୍ତ୍ତନଶୀଳ ।
ନଦୀର ଗତିପଥ ପରିବର୍ତ୍ତନଶୀଳ ଏବଂ ଆଗକୁ ପରିବର୍ତ୍ତନ ମଧ୍ୟ ହେଉଥିବ । ନଚେତ ଇତିହାସ ସୃଷ୍ଟି ହେବ ବା କେମିତି ! ଇତିହାସ ପ୍ରତି ମୂହୁର୍ତ୍ତରେ ସୃଷ୍ଟି ହୋଇ ଚାଲିଛି, ଆଉ ହୋଇ ଚାଲୁଥିବ ମଧ୍ୟ । ଆପଣ ବି ଚାଲନ୍ତୁ ନା… ଆପଣଙ୍କୁ ଚାଲିବାକୁ ହେବ… ଆପଣ ଚାଲିବାକୁ ବାଧ୍ୟ… ଆଉ ଯଦି ଚାଲି ନପାରିବେ, ତେବେ ପଡ଼ିଯିବେ, ଆଉ ପଡ଼ିଗଲେ ମରିଯିବେ… ଆପଣ ହିଁ ମରିବେ, ଆପଣଙ୍କ ପାଇଁ ଆଉ କେହି ମରିବେନି…
ନଦୀର ଗତିପଥ ପରିବର୍ତ୍ତନଶୀଳ, ଠିକ ସେମିତି ଭାଷାର ମଧ୍ୟ । ଏବେ ବଞ୍ଚିଥିବା ଅତି ପୁରୁଣାକାଳିଆ ଲୋକେ ଯଦି ସେମାନଙ୍କ ଅମଳର ଶବ୍ଦ କହିବେ, ବର୍ତ୍ତମାନ ଯୁଗର ସବୁ ପିଲା କଣ ସେମାନଙ୍କ ସବୁ ଶବ୍ଦର ଅର୍ଥ ବୁଝିପାରିବେ ! ନା, ସେହି ଅତି ପୁରୁଣାକାଳିଆ ଲୋକମାନେ, ବର୍ତ୍ତମାନର ପିଲାମାନେ ବ୍ୟବହାର କରୁଥିବା ସବୁ ଶବ୍ଦର ଅର୍ଥ ବୁଝି ପାରୁଛନ୍ତି ! ଅନେକ ପୁରୁଣାକାଳିଆ ଲୋକେ, ବର୍ତ୍ତମାନର ଚଳଣି, ସଂସ୍କୃତି, ସାମାଜିକତା ଏବଂ ପରିବର୍ତ୍ତିତ ବ୍ୟବସ୍ଥାକୁ ଗ୍ରହଣ କରିପାରୁ ନାହାଁନ୍ତି । ଛାଟିପିଟି ହେଉଛନ୍ତି, ତଥାପି ବଞ୍ଚିଛନ୍ତି । କାରଣ ଆମେ ସମସ୍ତେ ମରିବା ଯାଏ ବଞ୍ଚିବାକୁ ବାଧ୍ୟ । ପରିବେଶ, ପରିସ୍ଥିତି ଯାହା ହେଉ ନା କାହିଁକି… ଆଉ ଏ ଦୁନିଆ ଯୁଆଡ଼େ, ଯେମିତି ଯାଉଛି ଯାଉ, ଯେମିତି ଚାଲୁଛି ଚାଲୁ… ବଞ୍ଚିବାକୁ କଷ୍ଟ ହେଲେ ମଧ୍ୟ ଆମକୁ ବଞ୍ଚିବାକୁ ହେବ । କାହଁକି ଜାଣନ୍ତି, କାରଣ ଆମ ଆୟୂଷ ପରା ପୂରିନି… ଆମେ ମରିବା ବା କେମିତି !
ଆପଣ କଣ ଭାବୁଛନ୍ତି ବିହାର ନିର୍ବାଚନକୁ ଦେଖି ଟି. ଏନ୍. ଶେଷାନ ସ୍ବର୍ଗରୁ କଣ ଓହ୍ଲାଇ ଆସିବେ ! ଶେଷାନ ଯେଉଁ ପଦ ବା ସ୍ଥାନରେ (CEC) ଥିଲେ, ସେଇଠୁ ଆସି ଏବେ ଏଇଠି (ବଞ୍ଚିଥିବା) ଥିବା ତାଙ୍କ ଭଳି କିଛି ଲୋକ, ବହୁତ କହିଲେଣି । ଆପଣ କ’ଣ ଶୁଣୁ ନାହାଁନ୍ତି, ନା ଶୁଣିପାରୁ ନାହାଁନ୍ତି ! କାହିଁକି ବା ଶୁଣିବେ ! କାରଣ, ଟି. ଏନ୍. ଶେଷାନ ଯେବେ, ସେହି ସଂସ୍ଥାକୁ ଭାରତ ସରକାରଙ୍କ ଅଧୀନରୁ ଛଡ଼ାଇ ଆଣି ଭାରତୀୟଙ୍କର କରି ଦେଇଥିଲେ, ସେବେଠାରୁ ସେହି ସଂସ୍ଥା ଭାରତ ଓ ଭାରତୀୟଙ୍କର ହୋଇ ରହିଥିଲା । ଭାରତ ସରକାରଙ୍କର ହୋଇ ରହି ନଥିଲା । ଏଇ ଯେମିତି ମହାରାଜା (ଇଣ୍ଡିଆନ୍ ଏୟାର୍ ଲାଇନ୍ସ) ଦିନେ ଟାଟାର ଥିଲେ । ୧୯୫୦ ଦଶକରେ ଭାରତ ସରକାର ତାକୁ କିଣି ନେଇଥିଲେ । ପରେ ପୁଣି ଭାରତ ସରକାରଙ୍କଠାରୁ ଟାଟା କମ୍ପାନି ତାକୁ କିଣି ଆଣିଛି ନା ନାହିଁ ! ଏବେ ଇଣ୍ଡିଆନ୍ ଏୟାର୍ ଲାଇନ୍ସ କାହାର… ତେଣୁ ସବୁକିଛି ଯଦି ବଦଳି ପାରୁଛି, ନିର୍ବାଚନ କମିଶନ ପରିବର୍ତ୍ତନ ହୋଇଯିବାରେ ଅସୁବିଧା ରହିଲା କେଉଁଠି ! ତେଣୁ ଏଭଳି ସ୍ଥିତିରେ The Election Commission of India, ତାଙ୍କ ପୂର୍ବ ନାମ The Election Commission, Govt. of India ଫେରିପାଆନ୍ତି, ତେବେ ଅସୁବିଧା ରହିଲା କେଉଁଠି !
ଅକ୍ଟୋବର ୬ ତାରିଖରେ ନିର୍ବାଚନ କମିଶନ କହିଥିଲେ, ବିହାରରେ ୭ କୋଟି ୪୨ ଲକ୍ଷ ଭୋଟର ଅଛନ୍ତି । Special Intensive Revisionରେ ୬୫ ଲକ୍ଷ ଭୋଟର ଫର୍ଜି ବାହାରିଲେ । ସେହି ୬୫ ଲକ୍ଷଙ୍କ ମଧ୍ୟରୁ ପରେ ୧୬ ଲକ୍ଷ ସରକାରୀ ପ୍ରକ୍ରିୟା ଅନୁଯାୟୀ ଆବେଦନ କରିଥିଲେ । କିନ୍ତୁ ସେହି ୧୬ ଲକ୍ଷଙ୍କ ସହ ଆଉ ୫ ଲକ୍ଷ, ଏମିତି ମିଶିକି ୨୧ ଲକ୍ଷ ଲୋକ ଭୋଟର ତାଲିକାରେ ସେମାନଙ୍କ ସ୍ଥାନ ଫେରିପାଇଲେ । Special Intensive Revision ପରେ ବିହାରର ମୋଟ ଭୋଟର ସଂଖ୍ୟା ୭ କୋଟି ୪୫ ଲକ୍ଷ ୨୬ ବଜାର ୮୫୮ ବୋଲି ସ୍ପଷ୍ଟ କଲେ ଭାରତୀୟ ମୁଖ୍ୟ ନିର୍ବାଚନ କମିଶନ ।
ଏଇଠି ତ କଡ଼ାଗଣ୍ଡା ହିସାବ… ଆଉ ହିସାବ ନପାଇ, ଖାଲି “ଭୋଟ ଚୋରି, ଭୋଟ ଚୋରି” ରଡ଼ି ଛାଡ଼ିଛନ୍ତି ଆପଣମାନେ । Main Stream Media ତା’ର ବିହାର ନିର୍ବାଚନକୁ ନେଇ ବିରୋଧୀଙ୍କୁ ବ୍ୟବଚ୍ଛେଦ କରିବାରେ ଲାଗିଛି । ବିରୋଧୀଙ୍କ ରଣନୀତି ଠିକ ରହିଲାନି… ଆସନ ବୁଝାମଣାରେ ତାଳମେଳ ରହିଲାନି… Final Fight ଭିତରେ ୧୧ ଆସନରେ Friendly Fight କଲେ… ଏ Fight ଭିତରେ Friendly Fight କଣ… ଏମିତି କେତେ କଣ… ସେପଟେ ମହିଳାମାନେ ସେମାନଙ୍କ ଭୋଟ ଏନଡିଏ ଉପରେ ଅଜାଡ଼ି ଦେଲେ… ସତେ ଯେମିତି ଏହି ସାମ୍ବାଧିକମାନେ ଗଣତି ବେଳେ, ଭୋଟଗଣତି କେନ୍ଦ୍ରରେ ପୁରୁଷ ଓ ମହିଳା ଭୋଟ୍ ଅଲଗା କରୁଥିଲେ ! ବିହାର ବିଧାନସଭା ନିର୍ବାଚନ ଉପରେ ସବୁ ପ୍ରମୁଖ ଭାରତୀୟ ଗଣମାଧ୍ୟମ କହି ଚାଲିଛନ୍ତି, ମହାଗଠବନ୍ଧନରେ କିଛି ଠିକ ନଥିଲା, ତାଳମେଳ ଆଦୌ ନଥିଲା, ମତଭେଦ-ମତାନ୍ତର ଖୁନ୍ଦି ହୋଇ ରହିଥିଲା । ଏନଡିଏରେ କିନ୍ତୁ ସେମିତି କିଛି ନଥିଲା । ‘ଏନଡିଏରେ କାଳେ ସବୁକିଛି ଠିକଠାକ ଥିଲା’ ।
ଶ୍ରୀମଦ ଭଗବଦ ଗୀତାରେ ପରା କୁହାଯାଇଛି, ‘ଯାହା ଥିଲା ଭଲ ଥିଲା, ଯାହା ହେଉଛି ଭଲ ହେଉଛି, ଯାହା ହେବ ତାହା ମଧ୍ୟ ଭଲ ହେବ’ । ତେଣୁ ଏଥିରେ ତ୍ରୁଟି ରହିଲା କେଉଁଠି ! ବୁଝି ଅବୁଝା ହେବାର କଣ ଆବଶ୍ୟକତା ରହିଛି ! ବ୍ୟସ୍ତ ହୁଅନ୍ତୁନି, ଅନ୍ୟାୟ, ଅନୀତି ବୋଲି କିଛି ହେଉନି । କଥାରେ ପରା ଅଛି ଈଶ୍ବର ଯାହା କରନ୍ତି, ପ୍ରାଣୀଙ୍କ ମଙ୍ଗଳ ପାଇଁ । ତେଣୁ ଆମେ ଅମଙ୍ଗଳିଆଙ୍କ ପରି କାହିଁକି ବା ହେବା ! ଆପଣ ଭାବୁଛନ୍ତି କଣ ନ୍ୟାୟର ଦେବୀ କିଛି ଦେଖିପାରୁ ନାହାଁନ୍ତି ! କଣ ସେ ଆଖି ବୁଜି ଦେଇଛନ୍ତି କି ! ଏସବୁ ଯାହା କିଛି ଘଟୁଛି, ଆଉ ଯାହା କିଛି ଘଟିବାକୁ ଯାଉଛି, ସେସବୁକୁ ଦେଖିବାକୁ ତାଙ୍କ ଆଖିରୁ ପରା କଳାପଟି ଖୋଲି ଦେଇଛନ୍ତି, ଆମର ସେତେବେଳର ପ୍ରଧାନ ବିଚାରପତି ତଥା ବର୍ତ୍ତମାନର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି. ୱାଇ. ଚନ୍ଦ୍ରଚୂଡ଼ !!!
ପାକିସ୍ତାନର ଗତ ସାଧାରଣ ନିର୍ବାଚନକୁ ରିଗିଂ କରାଇବାରେ ସେଠାକାର ମୁଖ୍ୟ ନିର୍ବାଚନ କମିଶନ ଏବଂ ପ୍ରଧାନ ବିଚାରପତି ସଂପୃକ୍ତ ଥିବା ଅଭିଯୋଗ କରି ରାୱଲପିଣ୍ଡି କମିଶନର ପଦରୁ ଇସ୍ତଫା ଦେଇଦେଲେ ବରିଷ୍ଠ ବ୍ୟୁରୋକ୍ରାଟ ଲିଆକତ୍ ଅଲ୍ଲୀ ଛଟ୍ଟା । କେବଳ ବ୍ୟୁରୋକ୍ରାଟ ଲିଆକତ୍ ଅଲ୍ଲୀ ନୁହଁନ୍ତି । ଜାମାତ୍-ଏ-ଇସଲାମି ନେତା ହାଫିଜ୍ ନଇମ୍ ଉର୍ ରେହମାନ୍, କରାଚୀର PS-୧୨୯ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । କିନ୍ତୁ ସେ ନିଜର ବିଜୟକୁ ସ୍ବୀକାର କରି ନଥିଲେ କି ଗ୍ରହଣ କରି ନଥିଲେ । ଭୋଟ୍ ରିଗିଂ କରି ତାଙ୍କୁ ଜିତା ଯାଇଛି, ତେଣୁ ଅନ୍ୟାୟ-ଅନୀତିର ଏ ବିଜୟକୁ ସେ ଗ୍ରହଣ କରିବେ ନାହିଁ ବୋଲି କହି, ଇସ୍ତଫା ଦେଇଦେଲେ । ଆପଣ ଭାବୁଛନ୍ତି କି ଭାରତରେ ସେମିତି କିଛି ହେବ ! ଭାବୁଥିଲେ ଭାବୁଥାନ୍ତୁ…
ଗତ ଥର ଆମେରିକାରେ ଡେମୋକ୍ରାଟିକ୍ ପାର୍ଟି କ୍ଷମତାରେ ଥିଲା । ଡେମୋକ୍ରାଟ ସରକାର ଖୁବ୍ ଜୋରରେ ଆଶଙ୍କା କରୁଥିଲା, ରିପବ୍ଲିକାନ୍ ପାର୍ଟି ଯଦି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ବରେ ଦ୍ବିତୀୟ ଥର କ୍ଷମତାକୁ ଆସେ, ତେବେ ଆମେରିକାର ଗଣତନ୍ତ୍ର ଏବଂ ସମ୍ବିଧାନ ବିପଦକୁ ଠେଲି ହୋଇଯିବ । ତଥାପି ୨୦୨୪ ସାଧାରଣ ନିର୍ବାଚନରେ ଜୋ ବାଇଡେନ୍ ସରକାର, ନିର୍ବାଚନକୁ ଡେମୋକ୍ରାଟିକ୍ ପାର୍ଟି ସପକ୍ଷରେ ନେବାକୁ ଚେଷ୍ଟା, ସାହସ କିମ୍ବା ଷଡ଼ଯନ୍ତ୍ର କରି ନଥିଲେ । ଚାହିଁଥିଲେ ବି କରିପାରି ନଥାନ୍ତେ । କାରଣ ସେଟା ଆମେରିକା । ବିଶ୍ବର ସର୍ବ ପୁରାତନ ଗଣତନ୍ତ୍ର । ଆମ ଦେଶ ଭାରତର ଗଣତନ୍ତ୍ର ପରା ବିଶ୍ବରେ ସର୍ବବୃହତ… ତେଣୁ ଏଭଳି ସ୍ଥିତିରେ ଆପଣ କାହିଁକି ଭାବୁ ନାହାଁନ୍ତି ଯେ ଭାରତ, ଆମେରିକାଠାରୁ କିଛି ବଡ଼ କରି ଦେଖାଇବ ବୋଲି !
ପାକିସ୍ତାନରେ ସିନା ନିର୍ବାଚନୀ ଅନ୍ୟାୟ-ଅନୀତିକୁ ଗ୍ରହଣ କରି ନପାରି ସେଠାକାର ବରିଷ୍ଠ ବ୍ୟୁରୋକ୍ରାଟ ଲିଆକତ୍ ଅଲ୍ଲୀ ଛଟ୍ଟା ଇସ୍ତଫା ଦେଇଦେଲେ ଏବଂ ଜାମାତ୍-ଏ-ଇସଲାମି ନେତା ହାଫିଜ୍ ନଇମ୍ ଉର୍ ରେହମାନ୍ ତାଙ୍କ ନିଜ ବିଜୟକୁ ଗ୍ରହଣ କଲେନି । ଭାରତରେ କଣ ତାହା ହେବା ନିହାତି ଦରକାର ! ପାକିସ୍ତାନ ପରା ଆମର ପାରମ୍ପରିକ ଶତ୍ରୁ । ଆମେ ଅଯଥାରେ ଏଠି ଯାହା ଆମ ଦେଶର ନିର୍ବାଚନ ସହ ପାକିସ୍ତାନ ଲିଙ୍କ୍ କରୁଛେ ।
୨୦୨୦ ନିର୍ବାଚନରେ ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢୁଥିଲେ ଡୋନାଲ୍ଡ ଟ୍ରମ୍ପ । ସେ ଥିଲେ ରାଷ୍ଟ୍ରପତି, ଆଉ ତାଙ୍କ ରିପବ୍ଲିକାନ୍ ପାର୍ଟି ପାଇଁ ପ୍ରଚାର କରୁଥିଲେ । ୱାସିଂଟନରେ ୨୦୨୦ ନଭେମ୍ବରରେ ସେ ଦେଉଥିବା ଭାଷଣକୁ ଖୋଲାଖୋଲି ବିରୋଧ କରିଥିଲେ ସେଠାକାର ଗଣମାଧ୍ୟମ । ରାଷ୍ଟ୍ରପତି, ଆପଣ ମିଛ କହୁଛନ୍ତି କହି କ୍ୟାମେରା ବନ୍ଦ କରି ଦେଇଥିଲେ । ଟ୍ରମ୍ପଙ୍କ ଭାଷଣକୁ ପ୍ରତ୍ୟାଖ୍ୟାନ କରିଥିଲେ । ଆପଣ ଭାବୁଛନ୍ତି କି ଭାରତୀୟ ଗଣମାଧ୍ୟମ ତାହା କରିବ ନା କରିପାରିବ ! ଆରେ ବାବୁ, ସେଟା ଆମେରିକା, ଏଟା ପରା ଭାରତ… ସେଠାକାର ଗଣତନ୍ତ୍ର ବିଶ୍ବର ସବୁଠାରୁ ପୁରୁଣା ଗଣତନ୍ତ୍ର ହୋଇପାରେ, ଆମର ପରା ବିଶ୍ବରେ ସବୁଠୁ ବଡ଼… ବିଶ୍ବଠୁ ବଡ଼ କହିଲେ ଭୁଲ ହେବନି… ନିଜକୁ ବିଶ୍ବଠୁ ବଡ଼ କରି ନ ଦେଖାଇଲେ, ଆମେ ବିଶ୍ବଗୁରୁ କେମିତି ଯେ ହେବା !
ସବୁ ଦେଖୁଛ, ଜାଣୁଛ, ଶୁଣୁଛ, ବୁଝୁଛ… ତଥାପି, ଭୋଟ ଚୋରି ଭୋଟ ଚୋରି ବୋଲି ରଡ଼ି ଛାଡ଼ିଛ । ଯଦି ରଡ଼ି ଛାଡୁଛ, ତେବେ ସତ୍ୟପାଠ ଦିଅ, ଆଉ ଯଦି ଦେଇ ନପାରିବ, ତେବେ ଦେଶବାସୀଙ୍କୁ କ୍ଷମା ମାଗ…











