ସାମ୍ବାଦିକତା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ…
BHUBANESWAR: ହଁ ଆଜ୍ଞା ସାମ୍ବାଦିକତା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଏହା କେବଳ ସାମ୍ବାଦିକର ବ୍ୟକ୍ତିଗତ ସ୍ବାସ୍ଥ୍ୟ କିମ୍ବା ତା’ ପରିବାରର ଆର୍ଥିକ କିମ୍ବା ସାମାଜିକ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ, ବରଂ ପୂରା ସମାଜ ତଥା ଦେଶର ସ୍ବାସ୍ଥ୍ୟ ପାଇଁ କ୍ଷତିକାର, ସବୁ ଦୃଷ୍ଟିରୁ । ଗଣମାଧ୍ୟମ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି ତଥାକଥିତ ସାମ୍ବାଦିକମାନେ ଡିଣ୍ଡିମ ପିଟି ଚାଲିଛନ୍ତି । କିନ୍ତୁ ଗଣମାଧ୍ୟମ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କେଉଁଠି ଲେଖାଯାଇଛି, ତାହା ଯଦି ସଂପୃକ୍ତ ସାମ୍ବାଦିକଙ୍କୁ ପଚରା ଯାଏ, ତେବେ ଅଧିକାଂଶଙ୍କ ପାଟି ଆଫୁ ଆଫୁ ହୋଇଯିବ । କାରଣ ଭାରତୀୟ ସମ୍ବିଧାନର କୌଣସି ସ୍ଥାନରେ ହିଁ, ଗଣମାଧ୍ୟମ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି ଉଲ୍ଲେଖ ନାହିଁ । କିନ୍ତୁ ଗଣମାଧ୍ୟମକୁ ଗୌଣ କଲେ କିମ୍ବା ଗଣମାଧ୍ୟମ ନିଜେ ଗୌଣ ହୋଇଗଲେ, ଗଣତନ୍ତ୍ର ଯେ ସ୍ବୟଂ ଗୌଣ ହୋଇଯିବ, ପୁଣି ଗଣ ଯେ, ଗୌଣ ହୋଇଯିବେ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଦେଶର ସ୍ବାଧୀନତା ପ୍ରାପ୍ତିରେ ଗଣମାଧ୍ୟମର ଭୂମିକା କିଛି କମ ନଥିଲା । ଦେଶର ସ୍ବାଧୀନତା ଏବଂ ଗଣତନ୍ତ୍ର ପ୍ରତିଷ୍ଠାରେ ଗଣମାଧ୍ୟମର ଭୂମିକା ସର୍ବଦା ସର୍ବାଗ୍ର ରହିଛି ଏବଂ ରହିଥିବ । କିନ୍ତୁ ଗଣମାଧ୍ୟମ ଯଦି ଗଣିକା ଭୂମିକାକୁ ଓହ୍ଲାଇଯାଏ, ଗଣମାଧ୍ୟମ ବଦଳରେ ଯଦି, ଜଣମାଧ୍ୟମ ପାଲଟି ଯାଏ… ପୁଣି ସାମ୍ବାଦିକ ଜଣକ ଯଦି ତାର Passionକୁ Illegal Proffitable Professionରେ ପରିଣତ କରିଦିଏ, ତେବେ କଥା ସରିଲା । ଏମିତି କଲେ ସାମ୍ବାଦିକଟି ସାମ୍ବାଧିକ ହୋଇଯାଏ, ଗଣ ସମ୍ପୂର୍ଣ୍ଣ ଗୌଣ ହୋଇଯାଆନ୍ତି ଏବଂ ଗଣତନ୍ତ୍ର ବୁଡ଼ିଯାଏ । ତେଣୁ ସମ୍ବିଧାନରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି ଲେଖା ହୋଇ ନଥିଲେ ମଧ୍ୟ, ଗଣମାଧ୍ୟମ ବିନା ଯେ, ଗଣତନ୍ତ୍ର ତିଷ୍ଠି ରହିବା ସମ୍ଭବ, ଏହା କଳ୍ପନା ବାହାରେ । ଖାସ ସେଇଥି ପାଇଁ ବୋଧେ, ସମ୍ବିଧାନରେ ଉଲ୍ଲେଖ ନଥାଇ ମଧ୍ୟ, କେହି ଗଣମାଧ୍ୟମକୁ ସେଭଳି ଲେବୁଲରେ ଚ୍ୟାଲେଞ୍ଜ କରିବାକୁ ସାହସ କରନ୍ତି ନାହିଁ । କିନ୍ତୁ କିଛି ଦଲାଲ ସାମ୍ବାଧିକଙ୍କ ପାଇଁ ଏ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି, ମିଳୁଛି ଏବଂ ଆଗକୁ ମିଳୁଥିବ ମଧ୍ୟ ।…
() ୨୦୧୪ ସାଧାରଣ ନିର୍ବାଚନ ପରେ କଂଗ୍ରେସ ସମେତ ତମାମ ବିରୋଧୀ, ବିରୋଧୀ ଦଳର ମାନ୍ୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇ ନଥିବା ବେଳେ, ଅଧିକାଂଶ ବୁଦ୍ଧିଜୀବୀଙ୍କ ହୋସ୍ ଉଡ଼ି ଯାଇଥିଲା । ତଥାପି ଭାରତୀୟ ଗଣମାଧ୍ୟମ ଉପରେ ଥିଲା ଯଥେଷ୍ଟ ବିଶ୍ବାସ । କାରଣ, ଗୋଟେ ଗାଣତାନ୍ତ୍ରିକ ରାଷ୍ଟ୍ରରେ ବିରୋଧୀ ଦଳର ନେତା ଯେମିତି Shadow Prime Minister, ଠିକ ସେମିତି ଗଣମାଧ୍ୟମ Shadow Opposition Party । ନିଜକୁ ଗଣ ବା ଲୋକଙ୍କ ସେବାରେ ନିୟୋଜିତ କରିଥିବା ଗଣମାଧ୍ୟମ ହିଁ ସାଧାରଣ ଜନତାଙ୍କ ସ୍ବାର୍ଥକୁ ପ୍ରାଧାନ୍ୟ ଦେଇ, ସରକାରଙ୍କୁ Constructively Criticise କରିଥାଏ । ଆଉ ଗଣମାଧ୍ୟମର ସଠିକ ସମାଲୋଚନାକୁ ସରକାର ମଧ୍ୟ ସତ୍ ପରାମର୍ଶ ବା ଉପଦେଶ ଭାବେ ଗ୍ରହଣ କରି ସୁଧାରମୂଳକ ପଦକ୍ଷେପ ନେବା ଦରକାର । ଏମିତି କଲେ ଗଣତନ୍ତ୍ର କେବଳ ମଜଭୁତ ହେବନି, ବରଂ ଦିନକୁ ଦିନ ଅଧିକ ବଳିଷ୍ଠ ହେବ । କିନ୍ତୁ ସାମ୍ବାଦିକତା ଯଦି ସତ୍ତା ସହ ସାଲିସ କରିନିଏ, ତେବେ କଥା ସରିଲା । ଠିକ ଏଇ ଯେମିତି ଆମ ଭାରତ ବର୍ଷରେ ହେଉଛି ଏବଂ ଆଗକୁ ଆହୁରି ବଡ଼ ଧରଣରେ ହେବାକୁ ଯାଉଛି । କିନ୍ତୁ କିଛି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କିଛି ବିଶିଷ୍ଟ ନେତୃତ୍ବ, ମିଛକୁ ବାରମ୍ବାର କହିଲେ, ତାହା ସତ ହୋଇଯିବ ଦେଇଥିବା ମନ୍ତବ୍ୟକୁ ସାକାର କରିବାକୁ ଆଜିର ଗୋଦି ମିଡିଆ, ମିଛ ଉପରେ ମିଛ କହି ଚାଲିଛି । ଯେତେବେଳେ କି ମିଛ କହିବା ମହାପାପ ବୋଲି ବିବେଚନା କରାଯାଏ ।…
() ୨୦୧୪ ପରଠାରୁ ବର୍ତ୍ତମାନ ସୁଦ୍ଧା ୩ ଶହରୁ ଅଧିକ ସାମ୍ବାଦିକଙ୍କୁ ବିଭିନ୍ନ କାରଣରୁ ହତ୍ୟା କରାଯାଇଛି । ଅନେକ ଏବେ ବି ଜେଲରେ ଅଛନ୍ତି । ବହୁ ପ୍ରତିଷ୍ଠିତ ସାମ୍ବାଦିକଙ୍କୁ ସରକାରଙ୍କ ଆକ୍ରୋଶର ଶିକାର ହୋଇ ଆର୍ଥିକ ଓ ସାମାଜିକ ତାଡ଼ନା ସହିବାକୁ ପଡ଼ିଛି । ଅବଶ୍ୟ କିଛି ସାମ୍ବାଦିକ ନିଜର ଈଶ୍ବରଦତ୍ତ ଆଶୀର୍ବାଦ ଏବଂ ନିଜସ୍ବ ଉଦ୍ୟମ ଓ ଅଧ୍ୟବସାୟ ବଳରେ, ସାମାଜିକ ଗଣମାଧ୍ୟମରେ ନିଜର ପରିଚୟ ବଜାର ରଖି ପାରିଛନ୍ତି, ଗଣତନ୍ତ୍ର ଓ ସମ୍ବିଧାନ ପାଇଁ ଲଢ଼େଇ ଜାରି ରଖିଛନ୍ତି, ଅସତ୍ୟ ବିରୋଧରେ ସତ୍ୟର ବିଜୟ ପାଇଁ ପ୍ରୟାସ ଚଳାଇଛନ୍ତି, ଅନ୍ୟାୟ ବିରୋଧରେ ନ୍ୟାୟର ବିଜୟ ପାଇଁ ପ୍ରୟାସରତ ଅଛନ୍ତି, କିନ୍ତୁ ତାହା ସମାଜରେ ସେଭଳି ତ୍ବରିତ ପରିବର୍ତ୍ତନ ଆଣିପାରୁନି । ଏହାର ଏକମାତ୍ର କାରଣ ହେଉଛି, Main Stream Mediaର Rottweiler ସାମ୍ବାଧିକମାନେ ଏମିତି Noise ସୃଷ୍ଟି କରୁଛନ୍ତି ଯେ, ତା ଭିତରେ ପ୍ରକୃତ News ଲୁଚିଯାଉଛି । ସତ କହିବାକୁ ଗଲେ, ଏଥିରେ ସେହି Rottweiler ସାମ୍ବାଧିକମାନଙ୍କର ବିଶେଷ ତ୍ରୁଟି ନାହିଁ । କାରଣ ସେମାନେ ବଞ୍ଚିବା ପାଇଁ ବେଉସା କରୁଛନ୍ତି । ସେମାନେ କେବଳ ସେମାନଙ୍କ କର୍ପୋରେଟ୍ ବସଙ୍କ ନିର୍ଦ୍ଦେଶର ଅନୁପାଳନ କରୁଛନ୍ତି । ଆଉ ସେମାନଙ୍କ କର୍ପୋରେଟ୍ ବସମାନେ ସେମାନଙ୍କ ରାଜନୈତିକ ବସଙ୍କ ନିର୍ଦ୍ଦେଶ ଅନୁସାରେ ଚାଲୁଛନ୍ତି । କିନ୍ତୁ ସମସ୍ତେ ଭୁଲି ଯାଉଛନ୍ତି ଯେ, କରଦାତା ବା ସାଧାରଣ ଜନତାଙ୍କ ପ୍ରଦତ୍ତ କର ଟଙ୍କାରେ ଏ ଦେଶ ଓ ସରକାର ଚାଲୁଛି । ସମସ୍ତ କ୍ଷେତ୍ରର କର୍ମଚାରୀ ଦରମା ନେଉଛନ୍ତି । ସାମ୍ବାଦିକମାନେ ବି କରଦାତାଙ୍କ ଟଙ୍କାକୁ ଦରମା ଆକାରରେ ନେଉଛନ୍ତି । କିନ୍ତୁ ଭାରତୀୟ ଗଣମାଧ୍ୟମର ସାମ୍ବାଦିକମାନେ, ଯେଉଁ ବେଇମାନି କରୁଛନ୍ତି… ଯେଉଁ ବିଶ୍ବାସଘାତ କରୁଛନ୍ତି… ଯେଉଁ ବିପଦକୁ ଡାକି ଆଣୁଛନ୍ତି… ଯେଉଁଭଳି ଭାବେ ନିଜକୁ ବିପଦ ମୁହଁରେ ପକାଉଛନ୍ତି, ତାହା ନିଶ୍ଚିତ ରୂପେ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଭବିଷ୍ୟତରେ ଏହା ନିଶ୍ଚିତ ରୂପେ ଏକ ବିତର୍କର ବିଷୟ ହେବ, ଯାହାର ଶୀର୍ଷକ ରହିବ- ‘ଭାରତର ସ୍ବାଧୀନତା ପ୍ରାପ୍ତିରେ ଗଣମାଧ୍ୟମର ଭୂମିକା ବନାମ ଗଣତନ୍ତ୍ରର ବିଲୋପରେ ଗଣମାଧ୍ୟମର ଭୂମିକା’ ।…
() ସାମ୍ବାଦିକଙ୍କ ପ୍ରଥମ କର୍ତ୍ତବ୍ୟ ହେଉଛି, ସତ୍ତାକୁ ପ୍ରଶ୍ନ କରିବା । କିନ୍ତୁ ଏବେର ତଥାକଥିତ ଗୋଦି ମିଡିଆର Rottweiler ସାମ୍ବାଧିକମାନେ, କେବେ, ସରକାରଙ୍କୁ ପ୍ରଶ୍ନ କରିବା କେହି ଦେଖିଛନ୍ତି କି ? କିନ୍ତୁ ମିଛ ଖବରକୁ ଆଧାର କରି ବିରୋଧୀଙ୍କ ସାତ ପୁରୁଷ ଓଝାଳିବା ଦୈନିକ ବିତର୍କର ବିଷୟ ହେଉଛି । ଶୁଣିବାକୁ ମିଳୁଛି, ଏସବୁ Storyର List, Idea ଏବଂ Angle କାଳେ ସେପଟୁ ଆସୁଛି । ପୂର୍ବରୁ ଏହା ପ୍ରତିଟି ଗମାଧ୍ୟମର Editorial Deskର ନିଷ୍ପତ୍ତି ଏବଂ କ୍ଷମତା ପରିସରଭୁକ୍ତ ଥିଲା, କିନ୍ତୁ ଗୋଦି ମିଡିଆ ହେବା ପରେ Editorial Desk ପାଖରେ ସେ ଅଧିକାର ଆଉ ନାହିଁ । ଯଦି ୨୦୧୪ ପରଠାରୁ ବର୍ତ୍ତମାନ ଯାଏ ସମାଜରେ ହୋଇଥିବା ଏବଂ ହେଉଥିବା ପରିସ୍ଥିତିକୁ ପର୍ଯ୍ୟାୟକ୍ରମେ ଅନୁଶୀଳନ କରିବା, ତେବେ ସମାଜର ଏ ଅବସ୍ଥା ପାଇଁ କେବଳ ବର୍ତ୍ତମାନର ଗୋଦି ମିଡିଆ ହିଁ ଦାୟୀ ।…
() ୨୦୧୪ ପରଠାରୁ ED, CBI ଓ Income Tax ସରକାରଙ୍କ ପଞ୍ଜୁରୀ ଭିତରର ସମ୍ପୂର୍ଣ୍ଣ ବୋଲମନା ଶାରୀ ହୋଇ ସାରିଥିବା ବେଳେ ଏବେ ନିର୍ବାଚନ କମିଶନ ଓ ସୁପ୍ରିମକୋର୍ଟଙ୍କ ପ୍ରକୃତ ଚେହେରା ଧୀରେ ଧୀରେ ସାମ୍ନାକୁ ଆସୁଛି । ଆଉ ଏସବୁ ଭିତରେ ଭୟଙ୍କର ଭାବେ କୁରୁଳୁଛନ୍ତି ଗୋଦି ମିଡିଆର Rottweiler ସାମ୍ବାଧିକମାନେ ।…
() ଜଣେ ବ୍ୟକ୍ତିଙ୍କର ଏକ କୁକୁଡ଼ା ଫାର୍ମ ଥିଲା । ବ୍ୟକ୍ତି ଜଣକ ଫାର୍ମକୁ ଦୈନିକ ଯାଆନ୍ତି ଏବଂ ଗୋଟେ ନିର୍ଦ୍ଦିଷ୍ଟ କୁକୁଡ଼ା ଚିଆଁର ଅଧିକ ଯତ୍ନ ନିଅନ୍ତି । ତାକୁ ଖାଇବାକୁ ଦିଅନ୍ତି… ତାକୁ ଧରନ୍ତି… । ଅନ୍ୟ କୁକୁଡ଼ାମାନେ ଭାବନ୍ତି, ଆ’ଠାରେ ଏମିତି କଣ ଅଛି ଯେ, ମାଲିକ ଆକୁ ଏତେ ଭଲ ପାଉଛି ! ‘ଆମେ କଣ ଏତେ ଖରାପ’ ବୋଲି ଭାବନ୍ତି ଅନ୍ୟ କୁକୁଡ଼ାମାନେ । ଏମିତି ସେହି ନିର୍ଦ୍ଦିଷ୍ଟ ଚିଆଁଟି ବଡ଼ ହୋଇ ଯାଇଥିବା ବେଳେ ମାଲିକ ଆସି ତାକୁ ଦିନେ ଖାଇବାକୁ ଦେଉ ଦେଉ ଧରି ନିଅନ୍ତି । ହାତକୁ ଓଜନ ସଠିକ ଲାଗିବା ଅନୁଭବ କରିବା ପରେ, ସେହିଦିନ, ସେହି ଫାର୍ମ ହାଉସରେ ହିଁ ତାକୁ Lunch କରି ନିଅନ୍ତି । ଏଥିରେ କିଛି ଭୁଲ ଭାବିବାର ନାହିଁ… କାରଣ, ମାଲିକଙ୍କ ପାଖ ଓ ଅତି ବିଶ୍ବସ୍ତ ଲୋକେ ହିଁ ପ୍ରଥମେ ବଳି ପଡ଼ିଥାନ୍ତି । ଏଠି ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ କଥା ନଉଠାଇବା ଭଲ । କିନ୍ତୁ ଗୋଦି ମିଡିଆର Rottweiler ସାମ୍ବାଧିକମାନଙ୍କ ଅବସ୍ଥା ଯେ, ଦିନେ ସେମିତି ନହେବ, ତାହା କିଏ କହିବ !
() ଜନତାଙ୍କ ଅଦାଲତରୁ କେହି କେବେ ବି ବର୍ତ୍ତିପାରି ନାହାନ୍ତି । ଭାରତରେ ଶରଣ ନେଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଜ୍ବଳନ୍ତ ଉଦ୍ଦାହରଣ ଭାବେ ନିଆଯାଇପାରେ । ସେ ମଧ୍ୟ ଭୋଟ ଚୋରି ମାମାଲାରେ ନିଜ ଦେଶରୁ ତଡ଼ା ଖାଇଛନ୍ତି । ଯଦି ନିର୍ବାଚିତ ସରକାର, ଜନତାଙ୍କ ଆଗରେ ତୁଚ୍ଛ ହୋଇଯାଇପାରେ, ତେବେ ଗୋଦି ମିଡିଆକୁ ବା ପଚାରେ କିଏ ! କଥାରେ ଅଛି ପରା, ‘ମାଡ଼କୁ ମହାଦେବଙ୍କ ଡର’… ପରିସ୍ଥିତି ଏମିତି ନହେଉ, ଲୋକେ ଠେଙ୍ଗାବାଡ଼ି ଧରି ଦେଶର ପ୍ରତିଟି ଗଣମାଧ୍ୟମ କାର୍ଯ୍ୟାଳୟକୁ ଘେରାଉ ନକରନ୍ତୁ… କିଛି ଲୋକ ଠେଙ୍ଗା ଧରି ଅଫିସ ଭିତରକୁ ଯାଇ ଗୋଦି ମିଡିଆର ସାମ୍ବାଧିକଙ୍କୁ ନକୁହନ୍ତୁ, ‘ଆମେ ଏଇଠି ଠିଆ ହୋଇଛି, ସଠିକ ଖବର ପ୍ରକାଶ କିମ୍ବା ପ୍ରସାରଣ କର’ । ଗଣ ବା ଲୋକେ ଚାହିଁଲେ କାହିଁକି ଏହା ନ କରିପାରିବେ ! କାରଣ, ତାଙ୍କ ନାଁ ନେଇ ହିଁ ଗଣମାଧ୍ୟମର ପ୍ରତିନିଧିମାନେ ପରିଚୟ ପାଇଛନ୍ତି ଏବଂ ସେମାନଙ୍କ କର ଟଙ୍କାରେ ଦରମା ନେଉଛନ୍ତି । ତେଣୁ ସେମାନେ ହିଁ ପ୍ରକୃତ ମାଲିକ, ସେମାନଙ୍କ କଥା କାହିଁକି ନରହିବ !…
() Press Freedom ଦୃଷ୍ଟିକୋଣରୁ ଏବେ ବିଶ୍ବରେ ୧୮୦ ଦେଶ ମଧ୍ୟରେ ଭାରତୀୟ ଗଣମାଧ୍ୟମର ସ୍ଥାନ ୧୫୧ରେ ରହିଛି । ଯାହାକି ୨୦୧୪ ବେଳକୁ ୧୪୦ରେ ଥିଲା । ୧୧ ବର୍ଷରେ ୧୧ଟି ସ୍ଥାନ ତଳକୁ ଖସିଛି ଭାରତୀୟ ଗଣମାଧ୍ୟମ । କହିବାକୁ ଗଲେ, ବର୍ଷକୁ ଗୋଟେ ପାହାଚ ଖସିଛି । ଆଗକୁ ଆହୁରି ଖସିବା ମଧ୍ୟ ସମ୍ଭାବନା ରଖୁଛି । ଯଦି ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ଗଣମାଧ୍ୟମର ସ୍ବାସ୍ଥ୍ୟ ବିଗିଡ଼ିବାରେ ଲାଗିଛି, ତେବେ ଆମେ କେମିତି କହିବା ଯେ, ଗୋଦି ମିଡିଆର Rottweiler ସାମ୍ବାଧିକଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି ବୋଲି ! କହିବାକୁ ଗଲେ, ସେମାନେ ଏମିତି ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ସାରିଛନ୍ତି, ନା ତାର ଚିକିତ୍ସା ଅଛି ନା ନା ତା ପାଇଁ ଔଷଧ ଅଛି । ମିଡିଆ ହାଉସ ଭିତରେ ପଶି ସାଧାରଣ ଲୋକେ ଯେତେବେଳେ ମାଡ଼ ମାରିବେ, ସେତେବେଳେ ସବୁକିଛି ଟ୍ରାକକୁ ଆସିଯିବ ନିଶ୍ଚୟ ।…











