ରାଜ୍ୟର ପ୍ରଥମ ରେଳ ଏବେ ମ୍ୟୁଜିୟମରେ
ବାରିପଦା, (ଓଡିଶା ଟାଇମ୍): ଯେତେବେଳେ ଓଡିଶା ରେଳଗାଡି ସମ୍ପର୍କରେ ଜାଣି ମଧ୍ୟ ନଥିଲା, ସେତେବେଳେ ମୟୂରଭଞ୍ଜର ତତ୍କାଳୀନ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ପ୍ରଥମ କରି ବାଷ୍ପଚାଳିତ ଇଞ୍ଜିନ ଥିବା ଟ୍ରେନ ଗଡାଇଥିଲେ। ଯାହାକି ୧୯୦୩ ମସିହାରେ ବାରିପଦାରୁ ରୂପସା ଏବଂ ୧୯୦୫ ମସିହାରେ ରୂପସାରୁ ବାଙ୍ଗିରିପୋଷିର ତାଳବନ୍ଧ ପର୍ଯ୍ୟନ୍ତ ଗଡିଥିଲା। ତେବେ ଏହା ପ୍ରଥମେ ନେରୋଗେଜ୍ ପରେ ମିଟର ଗେଜରେ ରୂପାନ୍ତରିତ ହୋଇଥିଲା। ପରେ ୨୦୦୫ ମସିହାରେ ତତ୍କାଳୀନ ରେଳମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ପ୍ରୟାସରେ ଏହା ବ୍ରଡଗେଜ୍ ରେ ପରିଣତ ହୋଇଛି । ହେଲେ ପରିତାପର ବିଷୟ ଯେ, ସମୟ ଚକ୍ରରେ ଆମେ ସମସ୍ତେ ନୂଆ ପରିବର୍ତ୍ତନ ହେଲେ ସିନା କିନ୍ତୁ ନିଜର କୀର୍ତ୍ତିରାଜକୁ ଭୁଲିଗଲେ ।
କାଳକ୍ରମେ ପୁରୁଣା ଷ୍ଟିମ ଇଞ୍ଜିନକୁ ପରିତ୍ୟକ୍ତ ଅବସ୍ଥାରେ ପକାଇ ଦିଆଗଲା। ଏପରିକି ପରବର୍ତ୍ତି ପୀଢି ଯେ ମୟୂରଭଞ୍ଜ ଜିଲ୍ଲାର ପୁରୁଣା ରେଳଗାଡି ତଥା ଏ ସମ୍ପର୍କିତ ଇତିହାସ ବିଷୟରେ ଅବଗତ ହୋଇ ପାରିବେ ସେ ନେଇ ସନ୍ଦେହ ବି ଦେଖାଗଲା। ଯାହାକୁ ନେଇ ଜିଲ୍ଲାର ବିଭିନ୍ନ ସଂଗଠନ ଏବଂ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି ଜୋର ଧରିଲା। ଆଉ ବହୁ ବାଦ ବିବାଦ ପରେ ଡେରିରେ ହେଲେ ମଧ୍ୟ ଜିଲ୍ଲାବାସୀଙ୍କ ପାଇଁ ଆସିଛି ଖୁସିର ଖବର ।
ଦକ୍ଷିଣ-ପୂର୍ବ ରେଳ ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି । ବିଭାଗର ଖଡଗପୁରସ୍ଥ ଡିଭିଜନାଲ ରେଳବାଇ ପ୍ରବନ୍ଧକଙ୍କ ଦ୍ବାରା ୧ କୋଟି ୧ ଲକ୍ଷ ୫୫ ହଜାର ୯୯୩ ଟଙ୍କାର ଟେଣ୍ଡର ଆହ୍ବାନ କରାଯାଇ ଗତ ଡିସେମ୍ବର ୩୦ରେ ଆରମ୍ଭ ଯାଇ ଏହାର ନିର୍ମାଣ କାର୍ଯ୍ୟ ୮ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ କରୋନା ସଂକ୍ରମଣ ପାଇଁ କାର୍ଯ୍ୟ ବନ୍ଦ ହୋଇଯାଇଥିବା ବେଳେ ପୁଣି ଚଳିତବର୍ଷ ଶେଷ ସୁଦ୍ଧା ଏହି କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ଆଶା କରାଯାଇଛି । ଆଉ ଏଥିପାଇଁ ବାରିପଦା ରେଳ ଷ୍ଟେସନରେ ଅବହେଳିତ ଅବସ୍ଥାରେ ପଡ଼ିଥିବା ରେଳ ଇଞ୍ଜିନ, ଡବା ଓ ତକ୍ତାକୁ ପୁନରୁଦ୍ଧାର କରାଯାଉଛି । ଜୋର୍ ସୋର୍ ରେ ଆରମ୍ଭ ହେଇଛି ମୟୂରଭଞ୍ଜ ରେଳ ଇତିହାସକୁ ନେଇ ସଂଗ୍ରହାଳୟ କାର୍ଯ୍ୟ। ଯାହାକୁ ନେଇ ଜିଲ୍ଲାବାସୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି।
ଚଳିତବର୍ଷ ଶେଷ ସୁଦ୍ଧା ଏହି ସଂଗ୍ରହାଳୟ କାର୍ଯ୍ୟ ସଂପୂର୍ଣ୍ଣ କରାଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନର ଏହି ସଂଗ୍ରହାଳୟ ପରିସରର ପାଚେରୀ ନିର୍ମାଣ ଚାଲିଛି । ସେହିପରି ପୁରାତନ ଷ୍ଟିମ୍ ଇଞ୍ଜିନ ଓ ବଗିଗୁଡିକୁ ସ୍ଥାନୀତ ରଖାଯିବା ସକାଶେ ସେଠାରେ ରେଳରାସ୍ତା ନିର୍ମାଣ କରାଯାଉଛି । ଏଥିସହିତ ପୁରାତନ ଇଞ୍ଜିନ ଓ ବଗିଗୁଡିକର ପୁନଃ ଉଦ୍ଧାର କାର୍ଯ୍ୟ ମଧ୍ୟ ଚାଲୁ ରହିଛି । ଏହାଦ୍ଵାରା ଏବେର କିଛି ଯୁବପିଢୀ ଓ ଆଗାମୀ ଯୁବପିଢୀ ମୟୂରଭଞ୍ଜ ଜିଲ୍ଲାର ରେଳ ଇତିହାସ ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବା ସହ ନିଜକୁ ଗୌରବାନ୍ବିତ ମନେ କରିବେ ବୋଲି ଜିଲ୍ଲାର କିଛି ବରିଷ୍ଠ ଲୋକେ ମତ ଦେଇଛନ୍ତି ।