ବିଜେପିର ଆସାମ ଅଡୁଆ
ଛିଣ୍ଡୁନି ବିଜେପିର ଆସାମ ଅଡୁଆ । ସର୍ବାନନ୍ଦ ସୋନୱାଲ ନା ହିମନ୍ତ ବିଶ୍ବଶର୍ମା, କିଏ ହେବେ ମୁଖ୍ୟମନ୍ତ୍ରୀ, ସେ ନେଇ ଦ୍ବନ୍ଦ୍ବରେ ଦଳର କେନ୍ଦ୍ରୀୟ ନେତୃତ୍ବ । ରାଜ୍ୟରେ ଆଉ ୫ ବର୍ଷ ଶାସନ କରିବାକୁ ବିଜେପି ନେତୃତ୍ବାଧୀନ ଏନଡିଏକୁ ମିଳିଛି ଜନାଦେଶ । ହେଲେ ୨ ତାରିଖରୁ ଚିତ୍ର ସ୍ପଷ୍ଟ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚିତ୍ର ସ୍ପଷ୍ଟ କରିପାରୁନି ବିଜେପି ।
ଆସାମରେ CAA ଓ NRC ବିରୋଧରେ ହାୱାକୁ ଅଧିକ ତୀବ୍ର କରାଇଥିଲା ସରକାର ବିରୋଧୀ ହାୱା । କହିବାକୁ ଗଲେ ଲଗାତାର ଦ୍ବିତୀୟ ଥର ପାଇଁ କ୍ଷମତା ବଜାୟ ରଖିବା ବିଜେପି ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ । ସେପଟେ ନିର୍ବାଚନରେ ଉଭୟ ସର୍ବାନନ୍ଦ ସୋନୱାଲ୍ ଓ ହିମନ୍ତ ବିଶ୍ବଶର୍ମା ସେମାନଙ୍କ ଦକ୍ଷତାର ପ୍ରମାଣ ଦେବାକୁ ଅବସର ଦେଇଥିଲା ବିଜେପି । ଆଉ ରେଜଲ୍ଟକୁ ଯଦି ଦେଖିବା ଉଭୟ ନେତା ହାଇଅର୍ ଡିଷ୍ଟିଙ୍କସନରେ ପାସ୍ କରିଛନ୍ତି । ଯେଉଁଥି ପାଇଁ ଉନିସ୍-ବିଶ୍ ଫରକକୁ ତଉଲିବାକୁ ବିଜେପିକୁ ସମୟ ଲାଗୁଛି ।…
କହିବାକୁ ଗଲେ ତରୁଣ ଗୋଗୋଇଙ୍କ ପରେ ଆସାମରେ କଂଗ୍ରେସର ସେକେଣ୍ଡ ଇନ୍ କମାଣ୍ଡ ଥିଲେ ହିମନ୍ତ ବିଶ୍ବଶର୍ମା । କିନ୍ତୁ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ବ ତାଙ୍କୁ ସେତେଟା ଗୁରୁତ୍ବ ନଦେବାରୁ ୨୦୧୫ରେ ସେ ବିଜେପିକୁ ଆସିଲେ । ଯାହା ୨୦୧୬ରେ ବିଜେପି ନେତୃତ୍ବାଧୀନ ଏନଡିଏକୁ ଜବରଦସ୍ତ ଫାଇଦା ଦେଲା । ୧୨୬ ଆସନ ବିଶିଷ୍ଟ ବିଧାନସଭାରେ ୮୬ଟି ପାଇ ପ୍ରଥମ ଥର ପାଇଁ ସରକାର ଗଢ଼ିଲା ବିଜେପି । ହିମନ୍ତଙ୍କ ହିମତ୍ ହିଁ ବିଜେପିକୁ ଏହି ସଫଳତା ଦେଲା । କିନ୍ତୁ ସେତେବେଳେ ଦଳକୁ ନଗଦ ଆସିଥିବାରୁ ହିମନ୍ତଙ୍କୁ ଆଉ କିଛିଟା ପରୀକ୍ଷା ଦେବାକୁ ପଡ଼ିଲା । ସର୍ବାନନ୍ଦ ସୋନୱାଲ ହେଲେ ମୁଖ୍ୟମନ୍ତ୍ରୀ, ଆଉ ହିମନ୍ତ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ । ଉତ୍ତର-ପୂର୍ବ ରାଜ୍ୟରେ ସ୍ଥିତି ମଜଭୁତ୍ କରିବାକୁ ସିଷ୍ଟର ଅର୍ଗାନାଇଜେସନ୍ ଶୈଳୀରେ NDA ଗଢ଼ିଛି North-East Democratic Alliance- NEDA । ଯାହାର ନେତୃତ୍ବ ନେଇଥିଲେ ହିମନ୍ତ ବିଶ୍ବଶର୍ମା । ଆଉ ହିମନ୍ତଙ୍କ କ୍ଲିନିକାଲ୍ ପଲିଟିକାଲ୍ ଅପରେସନରେ ଭୁଶୁଡ଼ି ଗଲା ନାଗାଲାଣ୍ଡର ନବମ ତୁକି ସରକାର । କେବଳ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି କଂଗ୍ରେସର ସବୁ ବିଧାୟକ ଇସ୍ତଫା ଦେଲେ, ପରେ ବିଜେପିରେ ମିଶିଲେ । ମଣିପୁରରେ ଏକକ ସଂଖ୍ୟା ଗରିଷ୍ଠ ହୋଇ ବି ସରକାର ଗଢ଼ିବାକୁ ସୁଯୋଗ ପାଇଲାନି କଂଗ୍ରେସ । ପୁଣି ତ୍ରିପୁରାରେ ବାମ ଶାସନରେ ଫୁଲ୍ ଷ୍ଟପ୍ ଲଗାଇ ଦେଇ ବିଜେପି ହେଲା କ୍ଷମତାସୀନ । କହିବାକୁ ଗଲେ ବିଜେପିକୁ ଏସବୁ ସଫଳତା ହିମନ୍ତଙ୍କ ହିମତ୍ ପାଇଁ ହିଁ ମିଳିଛି ।…
୨୦୧୬ରୁ ୨୦୨୧ ପାଞ୍ଚ ବର୍ଷରେ ଉଭୟ କେନ୍ଦ୍ର ଓ ରାଜ୍ୟରେ ହୋଇଛି ଅନେକ ପଲିଟିକାଲ୍ ଡେଭଲପମେଣ୍ଟ । ସିଏଏ ଓ ଏନଆରସି ବିରୋଧରେ ଆସାମରେ ହୋଇଛି ସବୁଠାରୁ ଅଧିକ ବିକ୍ଷୋଭ । ଯାହା ୨୦୨୧ ନିର୍ବାଚନ ବେଳେ ସର୍ବାନନ୍ଦ ସରକାର ବିରୋଧରେ ଜବରଦସ୍ତ ହାୱା ସୃଷ୍ଟି କରିଥିଲା । ନିର୍ବାଚନର ଜଷ୍ଟ ପୂର୍ବରୁ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ ଏନଡିଏରୁ ଓହରି ଯାଇଥିବା ବେଳେ CAA ଓ NRCକୁ ଅସ୍ତ୍ର କରି ବିଜେପି ବିରୋଧରେ ମୈଦାନକୁ ଓହ୍ଲାଇଥିଲା କଂଗ୍ରେସ । ବଦ୍ରୁଦ୍ଦିନ୍ ଅଜମଲଙ୍କ AIUDF ମଧ୍ୟ କଂଗ୍ରେସ ସହ ମିଶି CAA-NRC ମୁଦ୍ଦାରେ ବିଜେପିକୁ ଭଲ ରକମ ଟାର୍ଗେଟ୍ କରିଥିଲା । ରାଜ୍ୟର ଉତ୍ତର-ପୂର୍ବାଞ୍ଚଳରେ ସ୍ଥିତି ବଞ୍ଚାଇ ରଖିବା ବିଜେପି ପାଇଁ କଠିନ ଥିଲା । ଯେଉଁଥି ପାଇଁ ଦଳ ପୁଣି ଥରେ ହିମନ୍ତଙ୍କ ହିମତ୍ ଉପରେ ଭରସା କଲା । AIUDF ଷ୍ଟ୍ରଙ୍ଗହୋଲ୍ଡ୍ ରାଜ୍ୟର ଉତ୍ତର-ପୂର୍ବାଞ୍ଚଳରେ ଦିନରାତି ଏକ୍ କରି ପଡ଼ି ରହିଲେ ହିମନ୍ତ ।
କହିବାକୁ ଗଲେ, ୨୦୧୬ରେ ହିମନ୍ତଙ୍କ ପାଇଁ ବିଜେପି କେବଳ ଆସାମରେ ସରକାର ଗଢ଼ିବାକୁ ସକ୍ଷମ ହୋଇନି, ବରଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଭଲ ସ୍ଥିତି ଜାହିର୍ କରିଛି । ଆଉ ୨୦୨୧ ନିର୍ବାଚନରେ ବି ଆସାମରେ ପୁଣି କ୍ଷମତା ରିପିଟ୍ କରିବାକୁ ସୁଯୋଗ ପାଇଛି ।…
ଏଥରର ନିର୍ବାଚନ ସର୍ବାନନ୍ଦ ସୋନୱାଲଙ୍କ ପାଇଁ ଥିଲା ଏସିଡ୍ ଟେଷ୍ଟ । CAA ଏବଂ NRC ବିରୋଧରେ ଭଲ ରକମ ରାସ୍ତାକୁ ଓହ୍ଲାଇଥିଲା ଅଲ୍ ଆସାମ୍ ଷ୍ଟୁଡେଣ୍ଟ ୟୁନିଅନ୍, AASU । ନିର୍ବାଚନ ବେଳେ ଅଧିକାଂଶ ଛାତ୍ର ସଂଗଠନ CAA ଏବଂ NRCକୁ ମୁଦ୍ଦା କରି ମୈଦାନକୁ ଓହ୍ଲାଇବାକୁ ସଜବାଜ ହେଉଥିଲେ । କିନ୍ତୁ AASU ସହ ସର୍ବାନନ୍ଦଙ୍କର ଥିବା ପୁରୁଣା ସମ୍ପର୍କ, ବିଭିନ୍ନ ଛାତ୍ର ସଂଗଠନର କ୍ରୋଧକୁ ପ୍ରଶମିତ କରି ଦେଇଥିଲା । ଯେଉଁଥି ପାଇଁ ୨୦୧୬ରେ ଏନଡିଏ ପାଇଥିବା ୮୬ ଆସନ, ୨୦୨୧ରେ ୭୫କୁ ଖସି ଆସିଛି ସତ, କିନ୍ତୁ ଗତଥରର ୬୦ ଆସନକୁ ସୁରକ୍ଷିତ ରଖିପାରିଛି ବିଜେପି । ଖାଲି ସୁରକ୍ଷିତ ରଖିନି ବରଂ ସେସବୁ ଆସନରେ ଦଳର ଭୋଟ୍ ଶେୟାର୍ ମଧ୍ୟ ପୂର୍ବାପେକ୍ଷା ବଢ଼ିଛି । ଏଠି ଦେଖିବାକୁ ଗଲେ ସରକାର ବିରୋଧୀ ହାୱାକୁ ଚେକ୍ ଦେବାରେ ସର୍ବନନ୍ଦ ସଫଳ ହୋଇଛନ୍ତି ।…
କଂଗ୍ରେସ ଏବଂ AIUDFକୁ ଚେକ୍ ଦେବାକୁ ବିଜେପି, ହିମନ୍ତ ବିଶ୍ବଶର୍ମାଙ୍କୁ ବ୍ୟବହାର କରିଥିବା ବେଳେ ୬୦ ଆସନ ସୁରକ୍ଷିତ ରଖିବା ଦାୟିତ୍ବ ସର୍ବାନନ୍ଦଙ୍କ ଉପରେ ନ୍ୟସ୍ତ ଥିଲା । ଆଉ ରେଜଲ୍ଟ ପ୍ରମାଣିତ କରିଦେଲା ଉଭୟ ନେତା ହାଇଅର୍ ଡିଷ୍ଟିଙ୍କସନରେ ପାସ୍ । ତେଣୁ ଉନିଶ୍-ବିଶ୍ ଫରକକୁ କେମିତି ତଉଲି, ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ, ଏବେ ତା ଉପରେ ନଜର ।