ଆସନ୍ତାକାଲିଠୁ ଦେଶରେ ଗଡିବ ୨୦୦ ଟ୍ରେନ୍
ଭୁବନେଶ୍ବର,(ଓଡିଶା ଟାଇମ୍) : ମାର୍ଚ୍ଚ ୨୫ରୁ ଦେଶରେ ଟ୍ରେନ୍ ସହିତ ସମସ୍ତ ପ୍ରକାରର ସାର୍ବଜନୀନ ଚଳାଚଳ ସେବା ବନ୍ଦ ରହିଥିଲା। ହେଲେ ମେ ୧୨ରେ ଦେଶର ପ୍ରମୁଖ ୧୫ଟି ଷ୍ଟେସନକୁ ୧୫ ଯୋଡା ଅର୍ଥାତ ୩୦ ସ୍ଵତନ୍ତ୍ର ରାଜଧାନୀ ଟ୍ରେନ୍ ଚଳାଚଳ କରିବା ପରେ ଆସନ୍ତାକାଲିଠୁ ୨୦୦ ଟ୍ରେନ୍ ଚଳାଚଳ ଆରମ୍ଭ ହେବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗାଇଡ୍ଲାଇନ୍ର ମଧ୍ୟ ପାଳନ ଜରୁରୀ। ଏହାକୁ ନେଇ ଅନେକ ନିୟମ ରହିଛି।
ଯାତ୍ରା ପୂର୍ବରୁ ଏସବୁ ନିୟମ ଜାଣିବା ଯାତ୍ରୀଙ୍କ ଲାଗି ନିହାତି ଜରୁରୀ ଭାରତୀୟ ରେଲଓ୍ଵେ ପକ୍ଷରୁ ଘୋଷଣା
୧ ) ଭାରତୀୟ ରେଲଓ୍ଵେ ସମସ୍ତ ୨୩୦ ଟ୍ରେନ୍ ପାଇଁ ଆଡଭାନ୍ସ ଟିକେଟ୍ ବୁକିଂ ଅବଧି ୩୦ ଦିନରୁ ବଢାଇ ୧୨୦ ଦିନ କରି ଦେଇଛି।
୨ ) ଭାରତୀୟ ରେଲଓ୍ଵେର ୧୬୭ ବର୍ଷ ଇତିହାସରେ ପ୍ରଥମ ଥର ଟ୍ରେନ୍ରେ ଟିକେଟ୍ ଚେକିଂ କରୁଥିବା ରେଲଓ୍ଵେ କର୍ମଚାରୀଙ୍କୁ କଳା କୋର୍ଟ ଓ ଟାଏ ବଦଳରେ ହାତରେ ଗ୍ଲୋଭ୍ସ, ମାସ୍କ, ପିପିଇ କିଟ୍ ବେଶରେ ଦେଖିବାକୁ ମିଳିବ। କରୋନା ଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ଏ ନେଇ ଆଦେଶ ମଧ୍ୟ ଜାରି କରାଯାଇଛି।
୩) କରେଣ୍ଟ ବୁକିଂ, ତତ୍କାଳ ଟିକେଟ୍ ଆଦି ନିୟମିତ ଟ୍ରେନ୍ ପରି ଲାଗୁ ହେବ।
୪) ସଂପ୍ରତି ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ଏବଂ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଟ୍ରେନ୍ରେ ଯାତ୍ରା କରି ପାରିବେ ନାହିଁ।
ଯାତ୍ରା ବେଳେ ଏହି ସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ
୧) କେବଳ ଟିକେଟ୍ କନଫର୍ମ ଏବଂ ବୈଧ ଟିକେଟ୍ ଥିବା ଯାତ୍ରୀଙ୍କୁ ହିଁ ରେଲଓ୍ଵେ ଷ୍ଟେସନରେ ପ୍ରବେଶ ଅନୁମତି ମିଳିବ।
୨) ଯାତ୍ରା ସମୟରେ ଯାତ୍ରୀଙ୍କୁ ମୁହଁରେ ମାସ୍କ ଲଗାଇବା ବାଧ୍ୟତାମୂଳକ। ଯାତ୍ରା କରିବା ପୂର୍ବରୁ ଏବଂ ଓହ୍ଲାଇବା ପରେ ହାତ ସାନିଟାଇଜ୍ କରିବା ଜରୁରୀ
୩) କରୋନା ଲକ୍ଷଣ ନଥିବା ଯାତ୍ରୀ ହିଁ ଟ୍ରେନ୍ରେ ଯାତ୍ରା କରି ପାରିବେ। ଥର୍ମାଲ ସ୍କ୍ରିନିଂ ପରେ ସୁସ୍ଥ ଥିବା ଲୋକଙ୍କୁ ହିଁ ଟ୍ରେନରେ ଚଢିବାକୁ ଅନୁମତି ମିଳିବ। ଯାତ୍ରାର ସବୁ ସମୟରେ ସାମାଜିକ ଦୂରତା ପାଳନ କରିବା ଜରୁରୀ।