ପାର୍ଲର, ବାରିକ ଦୋକାନ ଉପରେ କଟକଣା ନାହିଁ; ଅଟୋ କଥା ନକହି ଓଲା, ଉବେରକୁ ହଁ କଲେ ରାଜ୍ୟ ସରକାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଆଦେଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଲକ୍‌ଡାଉନ୍‌-୪ର ନିୟମାବଳୀ ପ୍ରସ୍ତୁତ କରିଛନ୍ତି। ଏନେଇ ସ୍ଵତନ୍ତ୍ର ରିଲିଫ୍‌ କମିଶନର ଆବଶ୍ୟକ ନିର୍ଦେଶନାମା ଜାରି କରିଛନ୍ତି। ଏହି ଆଦେଶନାମାରେ ପ୍ରାୟ ସମସ୍ତ ସେବା ଓ କାରବାରକୁ  ସରକାର ସାମାଜିକ ଦୂରତ୍ଵ ରକ୍ଷା ନିୟମକୁ ପାଳନ କରିବା ସର୍ତ୍ତ ସହ ଅନୁମତି ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ଯେଉଁ କାରବାରରେ ପ୍ରତିବନ୍ଧକ ଲଗାଇଛନ୍ତି ତାହାକୁ ବାରଣ କରାଯାଇଛି।  ଆସନ୍ତୁ ନଜର ପକାଇବା ରାଜ୍ୟ ସରକାରଙ୍କ ନିର୍ଦେଶନାମାର ସାରାଂଶ ଉପରେ।

ପ୍ରଥମେ ରାଜ୍ୟ ସରକାର ଆନ୍ତଃ  ରାଜ୍ୟ ପରିବହନକୁ ସବୁଜ ସଙ୍କେତ ଦେଇଛନ୍ତି। ଆଦେଶର ପାରାଗ୍ରାଫ୍‌ ୩.୨ ଅନୁସାରେ ସମସ୍ତ ୨ ଚକିଆ, ଘରୋଇ କାର୍‌କୁ ଅନୁମତି ରହିଛି। ଏହି ଗାଡ଼ି ଚଳାଚଳ ସମୟରେ ରାଜ୍ୟ ସରକାର ପୂର୍ବରୁ କେନ୍ଦ୍ର ଦେଇଥିବା ଆଦେଶନାମାକୁ ପାଳନ କରିବେ। ଗ୍ରୀନ୍‌, ଅରେଞ୍ଜ ଏବଂ ରେଡ୍‌ ଜୋନ୍‌ ଭିତ୍ତିରେ କେତେ ଯାତ୍ରୀ ବସିବେ ସେ ସମ୍ପର୍କରେ ପୂର୍ବରୁ କେନ୍ଦ୍ର ସରକାର ଜାରି କରିଥିବା ସର୍ତ୍ତ ଲାଗୁ ହେବ।

 

ଏହି ଗାଡ଼ିଗୁଡ଼ିକ ଭିତରେ ଅଫିସ କାର୍‌ ତଥା ଯାନକୁ ସାମିଲ୍‌ କରାଯାଇଛି। ଅର୍ଥାତ୍‌ ଅଫିସ କର୍ମଚାରୀଙ୍କୁ ନେବା ଆଣିବା କରୁଥିବା ବସ୍‌ ବି ଚାଲିବ। ସେହିପରି ଟ୍ୟାକ୍ସ ଯେମିତି ଓଲା, ଉବେର୍‌ କ୍ୟାବ୍‌ ଓ ଅନ୍ୟ ଟ୍ୟାକ୍ସି ବି ଚାଲିବ। କିନ୍ତୁ ଅଟୋ ଚାଲିପାରିବ କି ନା ସେ ବିଷୟରେ ନିୟମାବଳୀରେ କିଛି କୁହାଯାଇ ନାହିଁ। ରାଜଧାନୀରେ ଲୋକଙ୍କ ଚଳ ପ୍ରଚଳର ପ୍ରମୁଖ ମାଧ୍ୟମ ହୋଇଥିବା ତିନି ଚକିଆ ଅଟୋ  ଚାଲିପାରିବ କି ନା ସେ ସମ୍ପର୍କରେ କିଛି କୁହାଯାଇ ନାହିଁ।

ସେହିପରି ସରକାର ମଦ ଦୋକାନ ଖୋଲିବା ତଥା ମଦ ବ୍ୟବସାୟ ଉପରେ କଟକଣା ଲଗାଇଛନ୍ତି ବୋଲି ନିର୍ଦେଶନାମାରେ କହି ନାହାନ୍ତି। ବାର୍‌, ହୋଟେଲ୍, ରେଷ୍ଟୁରାଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ବାରିକ ଦୋକାନ ଏବଂ ବିୟୁଟି ପାର୍ଲର ସ୍ପା ବାବଦରେ କିଛି କହି ନାହାନ୍ତି।

କେନ୍ଦ୍ର ସରକାରଙ୍କ ନିୟମରେ କେଉଁଠି କେଉଁ ବ୍ୟବସାୟକୁ ବାରଣ କରାଯାଇଛି ତାହା ପଢ଼ିବାକୁ କ୍ଲିକ୍‌ କରନ୍ତୁ।

କେଉଁ ଅଞ୍ଚଳ ଗ୍ରୀନ ଜୋନ୍‌ ରହିବ ଆଉ କେଉଁ ଅଞ୍ଚଳ ରେଡ୍‌ ବା ଅରେଞ୍ଜ ତାହା ନିର୍ଦ୍ଧାରଣ କରିବା କ୍ଷମତା ଜିଲ୍ଲାପାଳ ଏବଂ ମ୍ୟୁନିସିପାଲିଟି କମିଶନରଙ୍କୁ ଅର୍ପଣ କରାଯାଇଛି। ସେହି ଅଞ୍ଚଳରେ ସକ୍ରିୟ ରୋଗୀ ସଂଖ୍ୟା, ସାପ୍ତାହିକ ବୃଦ୍ଧି, ଏକ ଲକ୍ଷରେ ସକ୍ରିୟଙ୍କ ସଂଖ୍ୟା, ମୃତ୍ୟୁ ହାର, ଏକଲକ୍ଷରେ କେତେ ପରୀକ୍ଷା କରାଯାଉଛି, ସେଥିରୁ କେତେ ପ୍ରତିଶତ ପଜିଟିଭ୍‌ ଆସୁଛି ସେସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ନିୟମାବଳୀ ଅନୁସାରେ ଜିଲ୍ଲା ପ୍ରଶାସନ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପରାମର୍ଶରେ ଜିଲ୍ଲା କେଉଁ ବର୍ଗ ସ୍ଥିର ହେବ। ସେହିପରି ପଞ୍ଚାୟତ ସ୍ତରରେ ଅବରୋଧ ଅଞ୍ଚଳ ବିଚାର କରାଯିବ। ସମସ୍ତ ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଅବରୋଧ ଅଞ୍ଚଳରେ ରୋଗୀଙ୍କ ସମ୍ପପର୍କରେ ଆସିଥିବା ଲୋକଙ୍କ ବାବଦରେ ତଥ୍ୟ ସଂଗ୍ରହ, ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ, ଟେଷ୍ଟିଂ ଆଦି ତ୍ଵରାନ୍ବିତ କରିବାକୁ ନିଷ୍ପତ୍ତି ହୋଇଛି।

ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌-୪ କଟକଣା ନିର୍ଦେଶାବଳି ଡାଉନ୍‌ଲୋଡ୍‌ କରିବାକୁ କ୍ଲିକ୍‌ କରନ୍ତୁ। 

Leave a Reply

Your email address will not be published. Required fields are marked *