classroom study for 8th class in odisha begins

ଅଷ୍ଟମ ପିଲାଙ୍କ ପାଠପଢା: ୨୭ରୁ ୨୯ ଯାଏ ଶିକ୍ଷଣସ୍ତରର ଆକଳନ ହେବ

ଭୁବନେଶ୍ବର,(ଓଡ଼ିଶା ଟାଇମ୍): ଦୀର୍ଘ ୧୮ ମାସପରେ ଖୋଲିଛି ପ୍ରାଥମିକ ବିଦ୍ୟାଳୟ । ପ୍ରଥମେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢା ଆରମ୍ଭ ହୋଇଛି । ରାଜ୍ୟରେ ଥିବା ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓଡ଼ିଆ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ସକାଳ ୯ଟାରୁ ଆରମ୍ଭ ହୋଇଛି । ଏହି କ୍ଲାସରୁମ ପାଠପଢା ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ । ବିଦ୍ୟାଳୟ ଖୋଲିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବିଦ୍ୟାଳୟଗୁଡ଼ିକ ଖୋଲିବା ପୂର୍ବରୁ ଗତ ୮ଦିନ ହେବ ବିଦ୍ୟାଳୟଗୁଡ଼ିକରେ  ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ସମିତିର ବୈଠକ ବସି ଅଷ୍ଟମ ଶ୍ରେଣୀର ପିଲାମାନଙ୍କର ପାଠପଢା ସମ୍ପର୍କିତ ଆଲୋଚନା କରାଯାଇଛି । 

ଏହା ଭିତରେ ସ୍କୁଲ ପରିସରକୁ ପରିଷ୍କାର ପରିଚ୍ଛନ୍ନ ସହ ବିଶୋଧନ କରାଯାଇଛି । ବିଦ୍ୟାଳୟ ଖୋଲିବାର ପ୍ରଥମ ୨ଦିନ ଯଥା ଅକ୍ଟୋବର ୨୫ ଓ ୨୬ରେ ପିଲାମାନଙ୍କ ଭିତରେ ଆଲୋଚନା, ତର୍କ, ପ୍ରତିଯୋଗିତା,ସଙ୍ଗୀତଜ୍ଞାନ, ଚିତ୍ରାଙ୍କନ, ମାଟି କାମ, କୋଭିଡ୍ ସମୟରେ କିପରି ବତାଇଲେ ତାଉପରେ ଆଲୋଚନା ଚକ୍ର ଆୟୋଜନ କରାଯିବ । ବିଦ୍ୟାଳୟରେ ଏକ ଭୟମୁକ୍ତ ବାତାବରଣ ସୃଷ୍ଟି କରିବା ଲାଗି କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ । ଅଷ୍ଟମକୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ସପ୍ତମ ଶ୍ରେଣୀରେ କିଛି ପାଠ ପଢି ନାହାନ୍ତି । ଷଷ୍ଠ ଶ୍ରେଣୀ ପାଠପଢା ଉପରେ ସେମାନଙ୍କର କିଛି ଧାରଣା ରହିଛି । ତେଣୁ ସବୁ ପିଲାଙ୍କ ଶିକ୍ଷଣସ୍ତରର ଏକ ଆକଳନ କରାଯିବ ।

୨୭ ତାରିଖରେ ଓଡ଼ିଆ, ୨୮ ତାରିଖରେ ଗଣିତ,ଓ ୨୯ ତାରିଖରେ ଇଂରାଜୀ ବିଷୟରେ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଏହି ଆକଳନରେ ଅଂଶଗ୍ରହଣ କରିବେ । ଏହାର ସମୟ ସୀମା ମାତ୍ର ୧ଘଣ୍ଟା ରହିବ । ପ୍ରଶ୍ନପତ୍ର ଓସେପା ପକ୍ଷରୁ ଯୋଗାଇ ଦିଆଯିବ । ପ୍ରଧାନଶିକ୍ଷମାନେ ବିଦ୍ୟାଳୟରେ ପ୍ରଶ୍ନପତ୍ରକୁ ଛପାଇ ପିଲାମାନଙ୍କୁ ଦେବେ । ଯେଉଁ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିବାରେ ଅସୁବିଧା ଅନୁଭବ କରୁଥିବେ ସେମାନଙ୍କ ପାଖକୁ ପ୍ରଶ୍ନପତ୍ର ପଠାଇଦେବେ ପ୍ରଧାନଶିକ୍ଷକ । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଫଳାଫଳ ବିଶ୍ଳେଷଣ କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଦିଗରେ ବିଚାର କରାଯିବାର ଯୋଜନା ରହିଛି । 

Leave a Reply

Your email address will not be published.