କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ; ୮ ମୃତ
ଅହମ୍ମଦାବାଦ, (ଓଡିଶା ଟାଇମ୍): ଗୁଜୁରାଟର ଅହମ୍ମଦାବାଦରେ ଥିବା ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି ।
ନ୍ୟୁଜ୍ ଏଜେନ୍ସି ପିଟିଆଇ ମୁତାବକ ଅହମ୍ମଦାବାଦର ନଭରାଙ୍ଗପୁର ଅଞ୍ଚଳରେ ଥିବା ଶ୍ରେୟ ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ପରେ ପ୍ରାୟ ୪୦ ଜଣ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ବେଳେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ଥିଲେ ।
ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ବେଳେ କର୍ତ୍ତୃପକ୍ଷ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି କରିଥିଲେ ।
ଏହି ଘଟଣାରେ ମେଡିକାଲ ପରିସରରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ଜଣାପଡିଛି । ଅପରପକ୍ଷରେ କେଉଁ କାରଣରୁ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।
ତେବେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ଏପରିକି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ମେୟରଙ୍କ ସହ ଅଘଟଣ ସମ୍ପର୍କରେ ଆଲୋଚନା କରିବା ସହ କ୍ଷତିଗ୍ରସ୍ତଙ୍କୁ ପ୍ରଶାସନ ପକ୍ଷରୁ ଯଥା ସମ୍ଭବ ସହାୟତା କରାଯିବ ବୋଲି ଟ୍ୱିଟରେ ଉଲ୍ଲେଖ କରିଛନ୍ତି।