୭ମ ଥର ଲାଗି ଲାଲ୍ କିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶର ୭୪ ତମ ସ୍ୱାଧିନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଶନିବାର ଦିନ ନୂଆଦିଲ୍ଲୀ ସ୍ଥିତ ଲାଲକିଲ୍ଳାରେ ୭ମ ଥର ଲାଗି ପତାକା ଉତ୍ତୋଳନ କରିଛନ୍ତି ।
ଲାଲ କିଲ୍ଲାରେ ପତାକା ଉତ୍ତୋଳନ ପୂର୍ବରୁ ମୋଦି ରାଜଘାଟ ଯିବା ସହ ସେଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ତା’ପରେ ସେ ଲାଲ କିଲ୍ଲାରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କୁ ୩ ସେନା ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରିଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ସଂଗ୍ରାମୀ, ସହିଦ, ସେନା, ଅର୍ଦ୍ଧସୈନିକ ବଳ, ପୋଲିସ ଓ କୋଭିଡ ଯୋଦ୍ଧାଙ୍କୁ ସଲାମ କରିଛନ୍ତି । ଆମେ ଯେଉଁ ସ୍ୱାଧୀନ ଭାରତରେ ନିଶ୍ୱାସ ପ୍ରଶ୍ୱାସ ନେଉଛୁ, ତା’ପଛରେ ଲକ୍ଷଲକ୍ଷ ପୁଅ-ଝିଅଙ୍କ ବଳିଦାନ ରହିଛି ।
କରୋନା ମହାମାରୀ ସମୟରେ କୋଭିଡ ଯୋଦ୍ଧା ମାନେ ଯେଭଳି ଲୋକଙ୍କ ସେବା କରୁଛନ୍ତି । ମୁଁ ତାଙ୍କ ପ୍ରତି ଆଭାର ବ୍ୟକ୍ତ କରୁଛି । କରୋନା ମହାମାରୀ ୧୩୦ କୋଟି ଭାରତୀୟଙ୍କୁ ଆତ୍ମନିର୍ଭର ହେବା ପାଇଁ ସଙ୍କଳ୍ପ ଦେଇଛି । ଭାରତ ଆତ୍ମନିର୍ଭର ଅଟେ ଏବଂ ଏହି ସ୍ୱପ୍ନ ଏକ ପ୍ରତିଜ୍ଞା ପାଲଟିଛି । ମୋତେ ପୂରା ବିଶ୍ୱାସ ରହିଛି ଯେ ଭାରତ ଆତ୍ମନିର୍ଭର ବନିବା ସ୍ୱପ୍ନକୁ ସାକାର କରିପାରିବ ବୋଲି ମୋଦି ନିଜ ଅଭିଭାଷଣରେ କହିଥିଲେ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋତେ ନିଜ ଭାରତୀୟଙ୍କ କ୍ଷମତା, ଆତ୍ମବିଶ୍ୱାସ ଉପରେ ବିଶ୍ୱାସ ରହିଛି । ଆମେ ଯାହା ଥରେ କରିବା ପାଇଁ ନିଷ୍ପତ୍ତି ନେଇଥାଉ, ତାହା କରିକି ଦେଖାଉ । ଏପରିକି ସେ ଯାଏଁ ଆମେ ଆରାମ ମଧ୍ୟ କରିନଥାଉ । ସ୍ୱାଧୀନ ଭାରତର ମାନସିକତା ‘ଭୋକାଲ ଫର୍ ଲୋକାଲ୍’ ହେବା ଉଚିତ୍ ।
ସୂଚନାଯୋଗ୍ୟ, ୨୦୧୪ ମସିହାରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଆସନ ଅକ୍ତିଆର କରିଥିଲେ।