ଘାଇ ଭିତରକୁ ଖସିଲା ବସ୍; ୭ ମୃତ, ୪୫ ଆହତ
ହାଇଦ୍ରାବାଦ, (ଓଡିଶା ଟାଇମ୍): ଘାଇ ଭିତରୁ ଖସିଲା ବସ୍। ଚାଲିଗଲା ୭ ଜଣଙ୍କର ଜୀବନ। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୪୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଶନିବାର ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲା ଭାକରାପେଟ ଠାରେ ଏହି ସଡ଼କୁ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି।
ଦୁର୍ଘଟଣା ଘଟିବା ପରେ ସଙ୍ଗେ ସଙ୍ଗ ଖବର ବ୍ୟାପିଯାଇଥିଲା। ଘଟଣା ସ୍ଥଳରେ ପ୍ରଥମେ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପରେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲା। ମନ୍ଦିର ମାଳିନୀ ସହର ତିରୁପତି ଠାରୁ ଭାକରାପେଟା ମାତ୍ର ୨୫ କିମି ଦୂର। ଘଟଣା ସମ୍ପର୍କରେ ସୂଚନା ଦେଇ ତିରୁପିତ ଏସ୍ପି କହିଛନ୍ତି “ଡ୍ରାଇଭର ଅବହେଳା ଯୋଗୁ ବସ୍ଟି ଘାଇ ଭିତରକୁ ଖସିପଡ଼ିଥିଲା। ଦୁର୍ଘଟଣାରେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।”
ମିଳିଥିବା ସୂଚନା ଅନୁସାରେ ଘରୋଇ ବସ୍ଟି ବିବାହ ଉତ୍ସବରେ ଯୋଗ ଦେଇଥିବା ୫୨ ଜଣଙ୍କୁ ନେଇ ଅନନ୍ତପୁର ଜିଲ୍ଲା ଧର୍ମଭରମରୁ ଚିତ୍ତୋର ନାଗରି ନିକଟସ୍ଥ ଏକ ଗାଁକୁ ଯାଉଥିଲା। ବସ୍ଟି ଘାଟ ରୋଡ୍ ଦେଇ ଯାଉଥିବା ବେଳେ ଅଉଡୁପୁଟପ୍ପ ଘାଟିରେ ଖସିପଡ଼ିଥିଲା। ଖବର ପାଇ ପୁଲିସ, ଉଦ୍ଧାରକାରୀ ଦଳ ଓ ଅଗ୍ନଶମ ବାହିନୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ। ବସ୍ଟି ୫୦ ଫିଟ ତଳକୁ ଖସିପଡ଼ିଥିବାରୁ ଅନ୍ଧାର ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ତେଣୁ ସକାଳ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ପୀଡ଼ିତମାନଙ୍କୁ ଦଉଡ଼ି ସାହାଯ୍ୟରେ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।