କୋଭିଡ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ; ୭ ମୃତ, ଉଦ୍ଧାର କାର୍ଯ୍ୟ ଜାରି
ବିଜୟୱାଡା, (ଓଡିଶା ଟାଇମ୍): ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଥିବା ଏକ କୋଭିଡ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି ।
ନ୍ୟୁଜ୍ ଏଜେନ୍ସି ଏଏନଆଇ ମୁତାବକ ବିଜୟୱାଡାର ଏକ ହୋଟେଲରେ କୋଭିଡ କେୟାର ସେଣ୍ଟର ଚାଲୁଥିବା ବେଳେ ରବିବାର ସକାଳେ କୌଣସି କାରଣବଶତଃ ଏଠାରେ ଅଗ୍ନିକାଣ୍ଡ ଘଟିଥିଲା । ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଏନେଇ କ୍ରିଷ୍ଣା ଜିଲ୍ଲାର ଜିଲ୍ଲାପାଳ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।
ସୂଚନାନୁଯାୟୀ, ଆଜି ଭୋର ପ୍ରାୟ ୫ଟା ସମୟରେ ଏହି ଅଘଟଣା ଘଟିଥିଲା । ସେହି ହସ୍ପିଟାଲରେ ପାଖାପାଖି ୨୨ ଜଣ ରୋଗୀ ଚିକତ୍ସିତ ହେଉଥିଲେ । ସେହିପରି କ୍ରିଷ୍ଣା ଡିସି ମହମ୍ମଦ ଇମତିଆଜ୍ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଏହା ସର୍ଟସର୍କିଟ୍ ବୋଲି ଅନୁମାନ କରାଯାଉଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ତେବେ ଏହି ଘଟଣାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରିଛନ୍ତି । ଏପରିକି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତ ମାନଙ୍କୁ ଅନ୍ୟତ୍ର ଚିକିତ୍ସା କରାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆହତଙ୍କ ଦ୍ରୁତ ଆରୋଗ୍ୟ କାମନା କରିବା ସହ ଏହି ଅଘଟଣାରେ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।
ଅପରପକ୍ଷରେ ନିକଟ ଅତୀତରେ ଗୁଜୁରାଟର ଅହମ୍ମଦାବାଦରେ ଥିବା ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ ପ୍ରାୟ ୮ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିଲା ।