୧୦ ହଜାର ଟଙ୍କାରେ ବନ୍ଧା ପଡ଼ିଥିଲା ୧୦ ବର୍ଷର ଶିଶୁ, ଘୁଷୁରୀ ମେଳରେ କଟିଛି ଦେଢ ବର୍ଷ, ଭବିଷ୍ୟତ ଅନିଶ୍ଚିତ

କେନ୍ଦ୍ରାପଡ଼ା, (ପ୍ରଦୀପ କୁମାର ଜେନା): କରୋନା ଭୁତାଣୁର ପ୍ରକୋପରେ ସାରା ବିଶ୍ଵ ଭୟଭୀତ ହୋଇଛି। ତା’ ଭିତରେ ଗୋଟିଏ ଭଲ ଖବର ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାରୁ। ଦୀର୍ଘ ଦେଢ଼ ବର୍ଷ ହେଲା କିଣା ହୋଇଥିବା ଏକ ଶୈଶବ ମୁକ୍ତି ପାଇଛି। ଆଶା ଜନ୍ମିଛି ଏହି ଶୈଶବ ପୁଣିଥରେ ଖେଳିବ, ଦେଶର ଭବିଷ୍ୟତ ଗଠନରେ ସାମିଲ୍‌ ହେବ। 

ଦଶ ବର୍ଷର ଶିଶୁ ହରିଆ ମୁଣ୍ଡା। ଗଲା ଦେଢ଼ ବର୍ଷ ହେଲା ଘୁଷୁରୀ ଚରାଇବାରେ ବ୍ୟସ୍ତ ଥିଲେ। ଗହିରୀ ବିଲ ଭିତରେ ଏକ ଜରି ପାଲ କରି ରହୁଥିଲେ। କେବେ କାହାର ନଜର ପଡ଼ୁ ନଥିଲା। ଖରା-ବର୍ଷ କି ଶୀତ ସବୁବେଳେ ସେଇଠି। ପଖାଳ ଆଉ ଆଳୁ ଭର୍ତ୍ତା ତା’ର ଖାଦ୍ୟ। ତାକୁ କିଣିଥିବା ମାଲିକ ପକ୍ଷରୁ ଏତକ ମିଳେ ଆଉ ସେ ଖୁସିରେ ସେତକରେ ଜୀବନ ବି ବିତାଏ। ଜାଣେନା ଘୁଷୁରିଙ୍କ ବାହାରେ ତାହାର ଆଉ ଦୁନିଆ ବୋଲି କେଉଁଠି ଅଛି କି କେହି ତାହାର ସମ୍ପର୍କୀୟ ରହିଛନ୍ତି। ବାପା-ମା’ଙ୍କୁ ବି ସେ ଦେଖି ନାହିଁ କି ଦେଖିବାର ଆଗ୍ରହ ରଖି ନାହିଁ। ଏ ଭିତରେ କରୋନା ଭୁତାଣୁ ବିଶ୍ଵକୁ ଆକ୍ରମଣ କରିଛି, କିନ୍ତୁ ସେ ଜାଣିନି ଏହା କ’ଣ? କେମତି ଏଥିରୁ ବର୍ତ୍ତିବ? ତା’ ଦେହକୁ କ’ଣ ଏହି ଭୁତାଣୁ ବ୍ୟାପିବ?

କିନ୍ତୁ ଏହି ସମୟରେ ଗାଁର କିଛି ଜଣାଶୁଣା ଲୋକଙ୍କ ନଜରକୁ ଆସିଛି ହରିଆ। ଆଉ ସେ କାଳେ କରୋନା ଭୁତାଣୁ ବାହକ ହେବ ବୋଲି ସନ୍ଦେହ ବି ଘାରିଛି। ଏହାଛଡ଼ା ଏତେ କୁନି ପିଲାଟିଏ କାହିଁକି ଏଠି ରହୁଛି ସେଥିଲାଗି ବି ଆଗ୍ରହ ଜନ୍ମିଛି। କିଛି ଲୋକେ ତା ବାବଦରେ ସନ୍ଧାନ କରି ଜାଣିପାରିଛନ୍ତି ଯେ, ସେ ରାଜୁ ରେଡ୍ଡିକୁ ବିକ୍ରି ହୋଇଛି, ୧୦ ହଜାର ଟଙ୍କାରେ।  ତା ଘର   କେନ୍ଦ୍ରାପଡ଼ା ଜିଲ୍ଲାର ମହାକଳପଡ଼ା ବ୍ଲକ ଅନ୍ତର୍ଗତ କନ୍ତେଇ ଗାଁର ଦଲେଇ ପାଟ ଗାଁରେ। କିନ୍ତୁ ଏବେ ଏଇ ତିନୋଟି ବାଉଁଶ, ନୀଳ ପଲିଥିଡ଼୍‌ ପଲା ତା’ର ଘର। ଘୁଷୁରିମାନେ ତା’ର ସାଙ୍ଗ। ରାତିହେଲେ ତାରାମାନେ ଗହଳି କରନ୍ତି ଆଉ ଯେତେବ ତାରା ଉଭେଇ ଯାଆନ୍ତି ସେବେ ମେଘ ଗର୍ଜନ କରେ। 

ହରିଆର ଘର ଯାଜପୁର ଜିଲ୍ଲାର ପାଣିକୋଇଲି ନିକଟରେ । ବାପା କାଠିଆ ମୁଣ୍ଡା ମାଆ ଜେମା ମୁଣ୍ଡାଙ୍କର ମଝିଆ ପୁଅ ହରିଆ । ପାଠ ପଢା, ବହି ବସ୍ତାନୀକୁ ଜାଣିବା ଆଗରୁ ବାପା କାଠିଆ ମୁଣ୍ଡା ସହ ହରିଆ କାମ କରୁଥିଲା । ଏତିକି ବେଳେ କାଠିଆର ଦେଖା ହୋଇଗଲା ଘୁଷୁରୀ ମାଲିକ ରାଜୁ ରେଡ୍ଡି ସହ । ରାଜୁ ରେଡ୍ଡି କାଠିଆକୁ ୧୦ ହଜାର ଟଙ୍କା ଦେଇ ହରିଆକୁ ସାଙ୍ଗରେ ନେଇ ଆସିଲା ପରେ ତାକୁ ଘୁଷୁରୀ ଜଗିବା କାମରେ ଲଗାଇଛି । ପ୍ରିତି ମାସରେ ହରିଆର ମଜୁରୀ ୨ ହଜାର ଟଙ୍କା କାଠିଆ ମୁଣ୍ଡା ପାଖକୁ ପଠାଇ ଦିଏ ଘୁଷୁରୀ ମାଲିକ ରାଜୁ ରେଡ୍ଡି । ଏହିପରି ପରିସ୍ଥିତିରେ ହରିଆ ପାଇଁ ଦେବଦୂତ ସାଜିଥିଲେ ମହାକକଳପଡ଼ା ଅଂଚଳର କିଛି ବୁଦ୍ଧିଜୀବୀ । କୋମଳମତି ହରିଆ ଏପରି ଦୟନୀୟ ନିର୍ବାସନ ଜୀବନ ବିତାଉଥିବା ଜାଣିବା ପରେ ସେମାନେ ବ୍ୟଥିତ ହୋଇ ଜିଲ୍ଲା ସାମାଜିକ ସୁରକ୍ଷା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁୂନିଟକୁ ଖବର ଦେଇଥିଲେ । ପରେ ହରିଆର ନିର୍ଯ୍ୟାତନା ଖବର ପହଂଚିଥିଲା କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ । ତାପରେ ଆରମ୍ଭ ହୋଇଥିଲା ହରିଆ ରେସକ୍ୟୁ ଅପରେସନ ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପେଟଛେଲା ସରପଞ୍ଚଙ୍କୁ ଏ ଖବର ଦିଆଯିବା ସହ ହରିଆକୁ ଉଦ୍ଧାର କରିବାକୁ କୁହାଯାଇଥିଲା । ସରପଂଚ ୩ ଦିନ ପୂର୍ବେ ହରିଆକୁ ଦଲେଇ ପାଟ ମଝିରୁ ଜରିପାଲ ତଳୁ ଉଦ୍ଧାର କରି ନିଜ ପଂଚାୟତର କରୋନା ସଙ୍ଗରୋଧ ଗୃହରେ ରଖି ମହାକଳପଡ଼ା ଥାନା ଓ  ବିଡ଼ିଓଙ୍କୁ ଖବର ଦେଇଥିଲେ । ମହାକଳପଡ଼ା ପୁଲିସ ଓ ବିଡିଓ ପରେ ହରିଆକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ହାଜର କରାଇବା ପରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରାଗଲା । ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସଙ୍କ ନିର୍ଦ୍ଦେଶରେ ଏବେ ହରିଆକୁ କେନ୍ଦ୍ରାପଡ଼ା ସହର ନିକଟସ୍ଥ ହଜାରୀବଗିଚାରେ ଥିବା କରୋନା କ୍ୱାରେଂଟାଇନ ସେଂଟରରେ ରଖାଯାଇଛି ଓ କରୋନା ସମସ୍ୟା ଶେଷ ହେବା ପରେ ହରିଆକୁ ଯାଜପୁର ଜିଲ୍ଲା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରାଯିବ ବୋଲି ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଶ୍ରୀ ଦାସ ସୂଚନା ଦେଇଛନ୍ତି । ତେବେ କୋମଳମତି ହରିଆର ଜୀବନ ସହ ଖେଳ ଖେଳୁଥିବା ଘୁଷୁରୀ ମାଲିକ ରାଜୁ ରେଡ୍ଡି ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *