୨୪ ଘଣ୍ଟାରେ ରାଜ୍ୟରେ ୬ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି କରୋନା ଭୂତାଣୁରେ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲାର ସର୍ବାଧିକ ୩ ଜଣ ରହିଥିବାବେଳେ ଭଦ୍ରକ, ଗଜପତି ଓ ରାୟଗଡ଼ା ଜିଲାରୁ ଜଣେ ଲେଖାଏ ଆକ୍ରାନ୍ତ ରହିଛନ୍ତି। ମୃତକଙ୍କ ମଧ୍ୟରେ ୪ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି। ଏହାକୁ ମିଶାଇ ଶୁକ୍ରବାର ସୁଦ୍ଧା ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି।
ଗଞ୍ଜାମ ଜିଲାର ୩ ମୃତକଙ୍କ ମଧ୍ୟରେ ଜଣେ ୪୪ ବର୍ଷୀୟ ପୁରୁଷ ଏବଂ ୫୯ ଓ ୫୦ ବର୍ଷୀୟା ୨ ମହିଳା ରହିଛନ୍ତି। ପୁରୁଷ ଜଣକ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ। ସେହିପରି ରାୟଗଡ଼ା ଜିଲାର ମୃତକ ଜଣେ ୭୧ ବର୍ଷୀୟ ବୃଦ୍ଧ। ସେ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କିଡ୍ନୀ ଜନିତ ରୋଗରେ ପୀଡ଼ିତ ଥିଲେ। ଗଜପତିର ମୃତକ ଜଣକ ୫୩ ବର୍ଷୀୟ ପୁରୁଷ ହୋଇଥିବାବେଳେ ଭଦ୍ରକ ମୃତକଙ୍କ ବୟସ ୬୦ ବର୍ଷ। ସେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିଲେ।
ଅନ୍ୟପଟେ, ଗତ ୨୪ଘଣ୍ଟା ମଧ୍ୟରେ ୧୫୯୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୬୯୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୬୭ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୫୨୭ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।