ଲାଲକିଲ୍ଲା ହିଂସା : ଆଜି ୬ ଚାଷୀ ନେତାଙ୍କୁ ପଚରାଉଚରା କରିବ ପୋଲିସ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଗଣତନ୍ତ୍ର ଦିବସରେ କୃଷି ଆଇନକୁ ବିରୋଧ କରି କରାଯାଇଥିବା ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟିଥିଲା । ଏହି ଘଟଣାରେ ଦିଲ୍ଲୀ ପୋଲିସ ଶୁକ୍ରବାର ୬ କୃଷକ ନେତାଙ୍କୁ ପଚରାଉଚୁରା ପାଇଁ ଡାକିଛି । ଯେଉଁ ନେତାଙ୍କୁ ଜେରା ପାଇଁ ଡକରା ହୋଇଛି ସେମାନଙ୍କ ମଧ୍ୟରେ ବୁଟା ସିଂ, ଦର୍ଶନ ପାଲ ସିଂ, ରାକେଶ ଟିକୈତ, ସମସେର୍ ପଙ୍ଘେର, ପନ୍ନୁ ପଙ୍ଘେର ଓ ସତନାମ ପନ୍ନୁ ରହିଛନ୍ତି ।
ଦିଲ୍ଲୀ ପୋଲିସର ସୂତ୍ରାନୁସାରେ, ହିଂସାକାଣ୍ଡରେ ସାମିଲ ଥିବା ୬ ସନ୍ଦିଗ୍ଧଙ୍କ ଫୁଟେଜ ମିଳିଛି। ଏମାନେ ହିଂସାକୁ ପ୍ରୋତ୍ସାହିତ କରିବା ପଛରେ ରହିଛନ୍ତି । ଏହି ଆଧାରରେ ତଦନ୍ତ ହେଉଛି । ପୋଲିସ ପାଖରେ ଅନେକ ସିସିଟିଭି ଫୁଟେଜ ରହିଛି ।
ଗଣତନ୍ତ୍ର ଦିବସ ପରେଡରେ ପୋଲିସ ୨୦ ଫଟୋ ଗ୍ରାଫରଙ୍କୁ ଡାକିଥିଲା । ସେମାନଙ୍କୁ ଦଙ୍ଗା ସମୟରେ କାମରେ ଲଗାଯାଇଥିଲା । ଏମାନଙ୍କଠାରୁ ପୋଲିସ ଭିଡିଓ ଓ ଫଟୋ ନେଇ ତଦନ୍ତ କରୁଛି । ଏହି ଫୁଟେଜରୁ ଉପଦ୍ରବକାରୀଙ୍କୁ ଚିହ୍ନଟ କରାଯିବ ।
ଏହାସହ ପୋଲିସ ହିଂସାକାରୀଙ୍କୁ ଚିହ୍ନଟ ପାଇଁ ଜନତାଙ୍କ ସମର୍ଥନ ମାଗିଛି । କିଛି ଲୋକ ମୋବାଇଲ କ୍ୟାମେରାରେ ଭିଡିଓ ଉତ୍ତୋଳନ କରିଥିଲେ । ଏବେସୁଦ୍ଧା ପୋଲିସକୁ ୨୦୦ରୁ ଅଧିକ ଭିଡିଓ ଫୁଟେଜ୍ ମିଳିଛି । ଏଥିରେ କିଛି କୃଷକ ନେତା ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଉଥିବା ଦେଖିବାକୁ ମିଳିଛି । ଏହାର ଯାଞ୍ଚ କରୁଛି ଦିଲ୍ଲୀ ପୋଲିସ ।