ଭାରତର ଏମଏସଏମଇ ବିକାଶ ପାଇଁ ବିଶ୍ୱବ୍ୟାଙ୍କ ଦେବ ୫୦୦ ନିୟୁତ ଡଲାର

ୱାଶିଂଟନ ,(ଓଡିଶା ଟାଇମ୍): କୋଭିଡ-୧୯ କାରଣରୁ ଭାରତର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଗୁରୁତର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଛି। ଏଭଳି ଜଟିଳ ପରିସ୍ଥିତିରେ ଏହାକୁ ସହାୟତା କରିବ ବିଶ୍ୱବ୍ୟାଙ୍କ। ଦେଶର ଏମଏସଏମଇ କ୍ଷେତ୍ରକୁ ପୁନଃ ସୁଦୃଢ କରିବାକୁ ବିଶ୍ୱବ୍ୟାଙ୍କ ୫୦୦ ନିୟୁତ ଡଲାରର ଏକ ଯୋଜନା ପ୍ରସ୍ତୁତ କରିଛି। ବ୍ୟାଙ୍କ ନିର୍ବାହୀ ନିର୍ଦ୍ଦେଶକ ବୋର୍ଡ ଏହାକୁ ଅନୁମୋଦନ କରିଛି। ବିଶ୍ୱବ୍ୟାଙ୍କ ପରୁ ପ୍ରକାଶିତ ଏକ ବିବୃତିରେ କୁହାଯାଇଛି ଯେ ଦେଶର ୫,୫୫,୦୦୦ ଏମଏସଏମଇର ପ୍ରଦର୍ଶନରେ ଉନ୍ନତି ଆଣିବାକୁ ଏହି ଯୋଜନା ଲକ୍ଷ୍ୟ ରଖିଛି।

ସୂଚନାଯୋଗ୍ୟ ଯେ ଏମଏସଏମଇ କ୍ଷେତ୍ରରେ ବିଶ୍ୱବ୍ୟାଙ୍କର ଏହା ଦ୍ୱିତୀୟ ସହାୟକ ଯୋଜନା ହେବ। ପୂର୍ବରୁ ଏହା ନିୟୁତାଧିକ ଏମଏସଏମଇ ପାଇଁ ନଗଦ ଅର୍ଥ ଓ ଋଣ ଆବଶ୍ୟକତା ପୂରଣ କରିବାକୁ ୨୦୨୦ ଜୁଲାଇରେ ୭୫୦ ନିୟୁତ ଡଲାର ଜରୁରୀ କ୍ରିୟାଶୀଳ ଯୋଜନାକୁ ଅନୁମୋଦନ କରିଥିଲା। ଏପର୍ଯ୍ୟନ୍ତ ସରକାରଙ୍କର ଏ ଦିଗରେ ଚାଲିଥିବା ଯୋଜନାରୁ ଏପର୍ଯ୍ୟନ୍ତ ୫ ନିୟୁତ ସଂସ୍ଥା ଆର୍ଥିକ ସୁଯୋଗ ନେଇସାରିଛନ୍ତି। ବିଶ୍ୱବ୍ୟାଙ୍କ ରିପୋର୍ଟ ଅନୁଯାୟୀ ଏମଏସଏମଇ କ୍ଷେତ୍ର ହେଉଛି ଦେଶର ଅର୍ଥନୀତିର ମେରୁଦଣ୍ଡ ଏବଂ ଏହା ଭାରତର ଜିଡିପିରେ ୩୦% ତଥା ଦେଶର ରପ୍ତାନିରେ ୪୦% ଅବଦାନ ରଖୁଛି। ଭାରତରେ ଥିବା ପ୍ରାୟ ୫୮ ନିୟୁତ ଏମଏସଏମଇ ମଧ୍ୟରୁ ୪୦%ରୁ ଅଧିକ ଆନୁଷ୍ଠାନିକ ପାଣ୍ଠି ବ୍ୟବସ୍ଥାର ସୁଯୋଗ ନେବାରୁ ବଂଚିତ ହେଉଛନ୍ତି।

Leave a Reply

Your email address will not be published. Required fields are marked *