ଓଡ଼ିଶା ମିଡିଆରେ ଚଡ଼କ: ସାମ୍ବାଦିକ, ପ୍ରଡ୍ୟୁସର୍, ଆଙ୍କରଙ୍କୁ ଚାକିରି ଛାଡ଼ିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ପୁଣି ଓଡ଼ିଆ ମେନ୍ଷ୍ଟ୍ରୀମ ଟିଭି ମିଡିଆ ଉପରେ ପଡ଼ିଛି ଚଡ଼କ। କାରଣ ଖୁବ୍ଶୀଘ୍ର ଚାକିରି ହରାଇବାକୁ ଯାଉଛନ୍ତି ଏକ ଜାତୀୟ ଟିଭି ଚ୍ୟାନେଲ୍ ଦ୍ୱାରା ପରିଚାଳିତ ଓଡ଼ିଆ ଭାଷା ନ୍ୟୁଜ୍ରୁମ୍ର ସମସ୍ତ ପ୍ରଡ୍ୟୁସର, ଆଙ୍କର ଓ ରିପୋର୍ଟର। ଏଥିନେଇ କମ୍ପାନୀର ଏଚ୍ଆର୍ ପକ୍ଷରୁ ବାଚନିକ ଭାବେ ସମସ୍ତଙ୍କୁ ନୋଟିସ୍ ଦିଆଯାଇଥିବା ଜଣାପଡ଼ିଛି।
ଏହି ଡିଜିଟାଲ୍ ଚାନେଲ୍ର ନ୍ୟୁଜ୍ରୁମ୍ ଦିଲ୍ଲୀରେ ଅବସ୍ଥିତ। କିଛିଦିନ ତଳେ ତାହାର ଟିଭି ୱିଙ୍ଗ୍କୁ ବନ୍ଦ କରାଯାଇଥିଲା। ସେତେବେଳେ ପ୍ରାୟ ୫୦ରୁ ଅଧିକ କର୍ମଚାରୀଙ୍କ ବାଧ୍ୟତାମୂଳକ ଭାବେ ଚାକିରି ଛାଡ଼ିବାକୁ ପଡ଼ିଥିଲା। ଏହାପରେ କମ୍ପାନୀ ସ୍ୟାଟେଲାଇଟ୍ ସଂସ୍କରଣ ବନ୍ଦକରି ଡିଜିଟାଲ୍ ସଂସ୍କରଣ ଆରମ୍ଭ କରିଥିଲେ। କିଛି ନୂଆ କର୍ମଚାରୀଙ୍କୁ ନିଯୁକ୍ତ ବି କରିଥିଲେ। ହେଲେ ୬ ମାସ ଭିତରେ ପୁଣିଥରେ କମ୍ପାନୀ ସେ ନିଷ୍ପତ୍ତିକୁ ବଦଳାଇ ନୂଆ ପୁରୁଣା ସମସ୍ତଙ୍କୁ ଇସ୍ତଫା ଦେବାକୁ କହିଛି। ଆଜି ସଂଧ୍ୟାରେ ଏ ନିର୍ଦ୍ଦେଶ ପାଇବାପରେ କର୍ମଚାରୀଙ୍କ ମହଲରେ କମ୍ପନ ସୃଷ୍ଟି ହୋଇଛି।
ଚ୍ୟାନେଲ୍ର ଦିଲ୍ଲୀ ଓ ଭୁବନେଶ୍ୱର ନ୍ୟୁଜ୍ରୁମ୍ ଏହାଦ୍ୱାରା ବନ୍ଦ ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।