ବଛାବଛା ଗଣମାଧ୍ୟମ ସମ୍ପାଦକ ଓ ମାଲିକଙ୍କୁ ଭେଟିଲେ 5-T ସଚିବ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟରେ ଲକ୍ ଡାଉନ୍ ଓ ଶଟ୍ଡାଉନ୍ ସମ୍ପର୍କରେ ଯେଉଁ ନୂଆ ନିର୍ଦେଶାବଳୀ ଜାରି ହୋଇଛି ସେ ବାବଦରେ ସରକାରଙ୍କ ଉଦ୍ଦଶ୍ୟକୁ ସ୍ପଷ୍ଟ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିୟାନ୍ ଆଜି ରାଜ୍ୟର କିଛି ବଛା ବଛା ଖବର କାଗଜ ଓ ଟିଭି ସମ୍ପାଦକଙ୍କୁ ଭେଟିଛନ୍ତି। ଅତୀତରେ ଯେଉଁଭଳି ଭାବେ ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା କରି ରାଜ୍ୟ ବିଶ୍ଵରେ ଖ୍ୟାତି ଅର୍ଜନ କରିଛି ସେହି ଖ୍ୟାତିକୁ କୋଭିଡ୍-୧୯ ସଂକ୍ରମଣକୁ ରୋକିବା କ୍ଷେତ୍ରରେ ବଜାୟ ରଖିବାକୁ ଏହା ଏକ ଉଦ୍ୟମ ବୋଲି ସରକାରୀ ସୂତ୍ର ପ୍ରକାଶ କରିଛି। ଅପରପକ୍ଷେ ଏହି ଗଣମାଧ୍ୟମ ମାଲିକ, ସମ୍ପାଦକ ଓ ପ୍ରତିନିଧିମାନେ କୋଭିଡ୍ ହେତୁ ସେମାନେ ଭୋଗୁଥିବା ସଙ୍କଟରୁ ଉଦ୍ଧାର ପାଇବାକୁ ଏହି ଅବସରରେ ୫-ଟି ସଚିବଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି।
କୋଭିଡ୍ ମୁକାବିଲା କ୍ଷେତ୍ରରେ କେନ୍ଦ୍ରର ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ଓଡ଼ିଶା ସରକାର ଜୁନ୍-୧ ତାରିଖରୁ କେନ୍ଦ୍ର ଆଦେଶକୁ ଅମାନ୍ୟ କରିଛନ୍ତି। ଅର୍ଥାତ୍ ଦେଶରେ ତାଲାବାନ୍ଦୀ କଟକଣାକୁ ଉଠାଇବା ଲାଗି ପର୍ଯ୍ୟାୟ ଭିତ୍ତିରେ ତାଲା ଖୋଲା ଅଭିଯାନ ଆରମ୍ଭ କରିଥିବା ବେଳେ ରାଜ୍ୟରେ ତାଲାବନ୍ଦୀରେ ଅଧିକ କଟକଣା ଜାରି କରାଯାଇଛି। ଏପରିକି ସମଗ୍ର ଉପକୂଳ ଜିଲ୍ଲା ଓ ବଲାଙ୍ଗୀର ଏବଂ ନୟାଗଡ଼ରେ ରାଜ୍ୟ ସରକାର ସପ୍ତାହକୁ ଦୁଇଦିନ ଶନିବାର ଓ ରବିବାରଦିନ ସମ୍ପୂଣ୍ଣ ବନ୍ଦ ଘୋଷଣା କରିଛନ୍ତି। ଏହି ପରିସ୍ଥିତିକୁ ନେଇ ରାଜ୍ୟରେ ଯେଉଁ ବିରୋଧୀ ବାତାବରଣ ସୃଷ୍ଟି ହୋଇଛି ତାହାକୁ ଗଣମାଧ୍ୟମ ଦ୍ଵାରା ପ୍ରଶମିତ କରିବା ଲାଗି ଏହା ଏକ ଉଦ୍ୟମ ବୋଲି ବି ଆଲୋଚନା ହେଉଛି।
ମିଳିଥିବା ଖବର ଅନୁସାରେ, ଏହି ଅବସରେ ଯେଉଁ ଆଲୋଚନା ହୋଇଥିଲା ସେଥିରେ ଶ୍ରୀ ପାଣ୍ଡିୟାନ୍ ଉପସ୍ଥିତ ସମ୍ପାଦକ ଓ ମାଲିକମାନଙ୍କୁ ରାଜ୍ୟ କୋଭିଡ୍ ପରିଚାଳନାରେ ନେଇଥିବା ଅଭିନବ ପଦକ୍ଷେପ ଗୁଡ଼ିକୁ ବଣ୍ଣନା କରିଛନ୍ତି। ରାଜ୍ୟ ଯେଉଁପରି ଭାବେ ଅନ୍ୟ ବିପର୍ଯ୍ୟୟ ମୁକାବିଲା କରି ବିଶ୍ଵରେ ଖ୍ୟାତି ଅର୍ଜନ କରିଛି ତାହାକୁ କୋଭିଡ୍ ପରିଚାଳନା ସମୟରେ ନିରନ୍ତର ରଖିବା ଲାଗି ସରକାରୀ କଳ ଚେଷ୍ଟା କରୁଥିବାରୁ ଏପରି କଟକଣା ଲଗାଇଛନ୍ତି ବୋଲି ସେ କହିଛନ୍ତି।
ଅପରପକ୍ଷେ ଗଣମାଧ୍ୟମ ମାଲିକ ଓ ସମ୍ପାଦକମାନେ ରାଜ୍ୟ ସରକାରଙ୍କ ନୂଆ ବିଜ୍ଞାପନ ନୀତି ହେତୁ ସେମାନେ କିପରି କ୍ଷତିଗ୍ରସ୍ତ ହେଉଛନ୍ତି ତାହା ବଣ୍ଣନା କରିଥିଲେ। ପୁଣି ସରକାରଙ୍କ ଉପରେ ବକେୟା ଥିବା ବିଜ୍ଞାପନ ଅର୍ଥକୁ ତୁରନ୍ତ ପ୍ରଦାନ ଲାଗି ଅନୁରୋଧ କରିଥିଲେ।
ଏ ଭିତରେ ରାଜ୍ୟକୁ ବିନା କୌଣସି ସୂଚନାରେ ଦିନକୁ ଦିନ ଅଧିକ ଶ୍ରମିକ ଏକ୍ସପ୍ରେସ୍ରେ ଶ୍ରମିକ ବୁହା ହେବା ଏବଂ ଏମାନେ କେଉଁଠାରେ ଓହ୍ଲାଉଛନ୍ତି ସେମାନଙ୍କ ବାବଦରେ ସୂଚନା ରଖିବା ସରକାରଙ୍କ ପକ୍ଷେ ସମ୍ଭବ ହୋଇପାରୁ ନାହିଁ। କେନ୍ଦ୍ର ସରକାରଙ୍କ ନିୟମ ପରିବର୍ତ୍ତନ ହେତୁ ଠିକଣା ଭାବେ ଶ୍ରମିକଙ୍କୁ କ୍ଵାରେଣ୍ଟୀନରେ ରଖିବା ବି ସମ୍ଭବ ହୋଇପାରୁ ନାହିଁ। ଏଣୁ ସରକାର ରାଜ୍ୟବାସୀଙ୍କୁ ସେମାନଙ୍କ ଅଞ୍ଚଳକୁ ଆସୁଥିବା ବାହାର ଲୋକଙ୍କୁ ବାବଦରେ ସୂଚନା ଦେବାକୁ ଅନୁରୋଧ କରିଛନ୍ତି। ଅନୁଷ୍ଠାନିକ କ୍ଵାରେଣ୍ଟୀନକୁ ବାଧ୍ୟତାମୂଳକ କରିଛନ୍ତି। ତଥାପି ପ୍ରତିଦିନ କୋଭିଡ୍ ସଂଖ୍ୟାରେ ୩ରୁ ୫ ପ୍ରତିଶତ ରୋଗୀ ସ୍ଥାନୀୟ ସଂକ୍ରମଣ ହୋଇଥିବା ସରକାରୀ କଳ ପୂର୍ବରୁ ସ୍ପଷ୍ଟ କରିଛି। ଏହି ସଂକ୍ରମଣକୁ ଯଦି ଠିକଣା ଭାବେ ଅବରୋଧ କରା ନଯାଏ ତେବେ ଆଗକୁ ପରିସ୍ଥିତି ଆୟତ୍ତ ବାହାରକୁ ଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି ଆଶଙ୍କାକୁ ପ୍ରଶମିତ କରିବା ଲାଗି ସରକାର ଶଟ୍ ଡାଉନ୍ ଓ ଲକ୍ଡାଉନ୍ ପରି କଠୋର ପଣକୁ ସରକାର ଲଗାଇଛନ୍ତି । ହେଲେ ଆଗପଟେ ତାଲା ପଛପଟେ ଖୋଲା ରଖିବା ଭଳି ଏବେ ରାଜ୍ୟରେ ପରିସ୍ଥିତି ହେଉଛି ବୋଲି ସମାଲୋଚନା କରାଯାଉଛି। ଏନେଇ ଗଣମାଧ୍ୟମରେ ବିଭିନ୍ନ ସମୟରେ ଫଟୋ ଓ ଚିତ୍ର ମଧ୍ୟ ପ୍ରକାଶ ପାଉଛି। ପୁଲିସ ଏସବୁକୁ ଦେଖି ମଧ୍ୟ ନୀରବ ରହୁଥିବା ବି ଦେଖାଯାଉଛି। ପରିସ୍ଥିତି ଲୋକଙ୍କ ମୁହଁରେ ସରକାରୀ କାର୍ଯ୍ୟକଳାପକୁ ସମାଲୋଚନା କରିବା ପାଇଁ ସୁଯୋଗ ସୃଷ୍ଟି କରିଛି।
ସରକାରଙ୍କ ମିଡିଆ ସଂଯୋଜକଙ୍କ ସହାୟତାରେ ରାଜ୍ୟର ଏହି ସମ୍ପାଦକମାନେ ଦିନ ୧୧ଟାରୁ ୨ଟା ଯାଏ ଖାରବେଳ ଭବନରେ ଏଥିପାଇଁ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମ୍ବାଦ, ସମାଜ, ଧରିତ୍ରୀ, ପ୍ରଗତୀବାଦୀ, ପ୍ରମେୟ ଭଳି ଖବରକାଗଜ, ଜୀ-କଳିଙ୍ଗ, କଳିଙ୍ଗ ଟିଭି, କନକ ଟିଭି, ନେଟ୍ୱର୍କ-୧୮, ନନ୍ଦିଘୋଷ ଟିଭି ଭଳି ଇଲେକ୍ଟ୍ରନିକ୍ ଚ୍ୟାନେଲ୍ର ସମ୍ପାଦକମାନେ ଯୋଗ ଦେଇଥିଲେ। ସେହିପରି ପାୟୋନିୟର, ଷ୍ଟେଟ୍ସମ୍ୟାନ୍, ଇଣ୍ଡିଆନ୍ ଏକ୍ସପ୍ରେସ୍ ଏବଂ ଟାଇମ୍ସ ଅଫ୍ ଇଣ୍ଡିଆ ଭଳି ଇଂରାଜୀ ଖବରକାଗଜଗୁଡ଼ିକର ଓଡ଼ିଶା ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଥିଲେ।
ଗଣମାଧ୍ୟମକୁ ଗଲା ୬୦ ଦିନରୁ ଅଧିକ ସମୟ ହେଲା ଏକ ଏକ ଘରକିଆ କରି ଜଣେ ମୁଖପାତ୍ର ଓ କିଛି ଅଧିକାରୀଙ୍କ ଦ୍ଵାରା ଏକପାଖିଆ ସୂଚନା ଦେଉଥିବା ସରକାର ଏବେ ଏହି ପରିସ୍ଥିତିକୁ ସମ୍ଭାଳିବା ଲାଗି ଗଣମାଧ୍ୟମର ଆବଶ୍ୟକତା ଅନୁଭବ କରି କିଛି ବଛା ବଛା ସମ୍ପାଦକଙ୍କୁ ଭେଟିବା ଏବେ ସରକାରୀ କଳ ଓ ରାଜ୍ୟର ତଥାକଥିତ ବଡ଼ ଗଣମାଧ୍ୟମ ଭିତରେ ତାଳିପକା ଅଭିଯାନକୁ ଇଙ୍ଗିତ କରୁଛି।