ସହରାଞ୍ଚଳର 5 ବିକାଶୋନ୍ମୁଖୀ ନିୟମ, ହେଲେ ଆପଣଙ୍କୁ ସବୁବେଳେ ଡରାଏ, ଧମକାଏ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଏବେ ଭୁବନେଶ୍ଵର ମ୍ୟୁନିସିପାଲ୍‌ ନିଗମ ଏକ ନୂଆ ନିୟମ ଆଣିବାକୁ ଯାଉଛି। ଯାହାଦ୍ୱାରା ଘରେ କେଉଁ କୁକୁର ଆପଣ ପାଳିବେ ତାହା ନିର୍ଦ୍ଧାରଣ ଓ ପଞ୍ଜିକରଣ ହେବ। ଅନେକ ଲୋକ ଏହାକୁ ନେଇ ଭୟ ଓ ସନ୍ଦେହରେ। କେତେ ନିରୀହ ପ୍ରାଣୀ ଯେ ଏହାଦ୍ୱାରା ବେଘର ହେବେ ତାହା କଳ୍ପନା ବାହାରେ, କିନ୍ତୁ ସେଥିଲାଗି କାହାର ନିଘା ନାହିଁ। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଛଡ଼ା ସହରର ବିଭିନ୍ନ ଅଞ୍ଚଳରେ ଏନେଇ ଆଲୋଚନା ହେଉଛି। ଅନେକ କହୁଛନ୍ତି ଏହା ପୂର୍ବର ଅନେକ ଆଇନ ଭଳି କେବଳ ଲୋକଙ୍କୁ ଧମକାଇବା, ଡରାଇବା ଲାଗି ଉଦ୍ଦିଷ୍ଟ। ଅର୍ଥାତ୍‌ ‘କାଗଜ ବାଘ’ ହେବ, କିନ୍ତୁ ସମସ୍ୟାର ସମାଧାନ କରିପାରିବ ନାହିଁ।

ଏମିତି ‘କାଗଜ ବାଘ’ ଭଳି ୫ଟି ପ୍ରମୁଖ ନିୟମ ବାବଦରେ ଏହି ରିପୋର୍ଟରେ ଉଲ୍ଲେଖ କରିବା।   ଭୁବନେଶ୍ୱର ତଥା ରାଜଧାନୀବାସୀଙ୍କ ବିଭିନ୍ନ କାର୍ଯ୍ୟକଳାପକୁ ଶୃଙ୍ଖଳିତ କରିବା ନାଁରେ ସେସବୁ ପ୍ରଣୟନ କରାଯାଇଛି ବୋଲି କୁହାଯାଏ, କିନ୍ତୁ ଏବେ କେବଳ ତାଙ୍କଠାରୁ ଜରିମାନା ଆଦାୟ କରିବାରେ ହିଁ ସୀମିତ ରହିଛି।

1- ପ୍ରଥମେ ମାସ୍କ ନିୟମ

କରୋନା କୁଆଡ଼େ ଗଲାଣି କି କେଉଁଠି ଶୁପ୍ତ ରହିଛି, ସେ ବିଷୟରେ ଆଉ ଗଣମାଧ୍ୟମରେ ବି ଆଲୋଚନା ହେଉନି। ଭାରତ ସରକାର ଯେ ସାର୍ବଜନୀନ ଟିକା ମାଧ୍ୟମରେ କରୋନାକୁ ଏକ ପ୍ରକାର ନିୟନ୍ତ୍ରଣ କରିଛନ୍ତି ସେ ନେଇ ଛାତି ଫୁଲାଇ ବିଶ୍ୱଦରବାରରେ ଗୌରବ ସାଉଁଟୁଛନ୍ତି। ଆଉ ବିଭିନ୍ନ ରାଜ୍ୟ ସରକାର ଏବେ ମାସ୍କ ଆଉ ଜରୁରୀ ନୁହେଁ ବୋଲି ବି ସ୍ପଷ୍ଟ କରି ଲାଗିଥିବା କଟକଣାକୁ ଉଠାଇ ସାରିଲେଣି।  ଦିଲ୍ଲୀ ସହର ଯେଉଁଠାରେ କରୋନା ସର୍ବାଧିକ ପ୍ରଭାବ ପକାଇଥିଲା, ସେଠାରେ ବି ଆଉ ମାସ୍କ ନିୟମ ନାହିଁ।  ହେଲେ ଓଡ଼ିଶା ସରକାର କିନ୍ତୁ ଏ ନିୟମକୁ ଧରି ବସିଛନ୍ତି। ଏ ନିୟମଦ୍ୱାରା ଆପଣଙ୍କ ପାଖରୁ କୌଣସି ଅଧିକାରୀ କୌଣସି ସମୟରେ ବି ୨୦୦୦ ଟଙ୍କା ଜରିମାନା ଆଦାୟ କରିପାରେ। ଯଦି ଯୁକ୍ତି କରିବେ ତାହା ୫୦୦୦ ଟଙ୍କାକୁ ବଢ଼ିବି ପାରେ। କାରଣ କ୍ଷମତା ତାଙ୍କ ହାତରେ ରହିଛି, ଆପଣଙ୍କ ମଙ୍ଗଳ ହେବା ନହେବାରେ କିଛି ଯାଏ ଆସେ ନାହିଁ। ଆପଣ ନାକ, ପାଟି ଢାଙ୍କି ସବୁବେଳେ ମାସ୍କ ପିନ୍ଧିବାକୁ ଏବେ ବି ବାଧ୍ୟ।

2- କୋଠାବାଡ଼ି ପ୍ଲାନ୍‌ ଅନୁମୋଦନ ନିୟମ

ରାଜଧାନୀରେ ଲୋକେ କେମିତି କୋଠାବାଡ଼ି କରିବେ ସେଥିପାଇଁ ଗୋଟିଏ ଆଇନ ଅଛି ଆଉ ତାକୁ କାର୍ଯ୍ୟକାରୀ କରାଇବା ଲାଗି ବିଡିଏ, ବିଏମ୍‌ସି ପରି ପ୍ରାଧୀକରଣ ରହିଛନ୍ତି। ହେଲେ ରାଜଧାନୀ ଉପକଣ୍ଠରେ ଯେଉଁସବୁ ଗାଁ ରହିଛି ସେଠାରେ କିପରି କୋଠାବାଡ଼ି ହେବ ଆଉ ସେଥିଲାଗି କିଏ  ଯୋଜନା ଅନୁମୋଦନ କରିବ ସେଥିଲାଗି କିଛି ସ୍ପଷ୍ଟ ନୀତି ନାହିଁ। ୨୦୦୯ ପୂର୍ବରୁ ବିଡିଓମାନେ ଏଥିପାଇଁ କ୍ଷମତା ରଖିଥିଲେ। ଏବେ କିନ୍ତୁ ତାହା ନାହିଁ। ପୁଣି ବିଡିଏ ସମ୍ପ୍ରସାରିତ ଅଞ୍ଚଳରେ ଯୋଜନା ଅନୁମୋଦନ କରିବା ଲାଗି ବିଡିଏ କ୍ଷମତାପ୍ରାପ୍ତ ହୋଇଥିଲେ ବି ଏଥିଲାଗି  ସ୍ପଷ୍ଟ ନିୟମ ନଥିବାରୁ ଲୋକେ ୨୦୦୯ ପୂର୍ବରୁ ସରପଞ୍ଚ ଓ ବିଡିଓ ମାନଙ୍କ ଦସ୍ତଖତ ଥିବା ଅନୁମୋଦନପତ୍ର ୨୦୨୨ରେ ବି ଯୋଗାଡ଼ କରି ଦେଉଛନ୍ତି।  ଏଥିଲାଗି ମୋଟା ଅଙ୍କ ଖର୍ଚ୍ଚ ହେଉଛି। ଏବେ ସେ ସରପଞ୍ଚ ମୃତ ହୋଇଥିଲେ ବି ତାଙ୍କ ଦସ୍ତଖତ ଜୀବୀତ ହୋଇଯାଉଛି।  ବଡ଼ କଥା ହେଲା, ଏହି ଅନୁମୋଦନପତ୍ରକୁ ମଧ୍ୟ ବ୍ୟାଙ୍କ୍‌ମାନେ ଗ୍ରହଣ କରି ଋଣ ଯୋଗାଉଛନ୍ତି। ଏଭଳି ନୀତି ବା ଅନୀତିକୁ ଆପଣ କ’ଣ କହିବେ? ଟିକେ ଭାବନ୍ତୁ ଆଉ ଆଗକୁ ବଢ଼ନ୍ତୁ।

3- ପଲିଥିନ୍‌ ପ୍ରତିବନ୍ଧକ

ଏବେ ତୃତୀୟ ନିୟମ କଥା। ପଲିଥିନ୍‌ ପ୍ରତିବନ୍ଧକ ନିୟମ। ସେପ୍ଟେମ୍ବର ୨୦୨୧ ମସିହାରେ ଏଥିଲାଗି ଏକ ଆଇନ ହେଲା। ୧୨୦ ମାଇକ୍ରନ୍‌ଯାଏ ପଲିଥିନ୍‌ ବ୍ୟାଗ୍‌ ବ୍ୟବହାର ଉପରେ ଜୋରଦାର ପ୍ରତିବନ୍ଧକ ଲଗାଗଲା। ଧରପଗଡ଼ ଏମିତି ହେଲା ଯେ କିଛିଦିନଯାଏ ସେହି ଖବର ଖାଲି ଗଣମାଧ୍ୟମର ପୃଷ୍ଠାମଣ୍ଡନ କରିଥିଲା। ପ୍ରତିବର୍ଷ ଅକ୍ଟୋବର ମାସରେ ଏହି ପର୍ବ ବି ଆରମ୍ଭ ହୁଏ। ଆଉ ତା’ ପରେ ସବୁ କୋହଳ। ହେଲେ ଆଇନ ଥାଏ। ହାଟ ବଜାର, ଦୋକାନରେ ପଲିଥିନ୍‌ ବ୍ୟବହାର ବି ହେଉଥାଏ। ଯଦି କେଉଁ ଅଧିକାରୀଙ୍କ କେତେବେଳେ ମନହୁଏ ତ ଚଢ଼ାଉ ବି ହୁଏ। ଏଣୁ ଲୋକେ ସବୁବେଳେ ବେଧଡ଼କ ଭୟରେ ରହିବାଟା ନିଶ୍ଚିତ, ନୁହେଁକି?

4- ରାସ୍ତାଘାଟରେ ଭିକ୍ଷାବୃତ୍ତି

ଚତୁର୍ଥରେ ନିୟମ ଭାବରେ ଆପଣଙ୍କ ସାମ୍ନାରେ ରହିଛି ରାଜରାସ୍ତାରେ ଭିକାରୀଙ୍କ ଭିକ ମାଗିବା। ରାଜ୍ୟର ସହରଗୁଡ଼ିକୁ ଭିକାରୀମୁକ୍ତ କରିବା ଲାଗି ସରକାର ଅନେକ ସମୟରେ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୭ ମସିହା ଏପ୍ରିଲ୍ ସୁଦ୍ଧା ଜିଲ୍ଲାପାଳମାନଙ୍କୁ ଭିକାରୀଙ୍କ ତଥା ଓ ସେମାନଙ୍କ ଥଇଥାନ ବ୍ୟବସ୍ଥା ନେଇ କରିଥିବା ଯୋଜନା ଦାଖଲ ପାଇଁ କୁହାଯାଇଥିଲା। ଭୁବନେଶ୍ୱର, କଟକ ମ୍ୟୁନିସିପାଲି କର୍ପୋରେସନ୍‌ ଅନେକ ସମୟରେ ନିଜ ନିଜ ଅଞ୍ଚଳରୁ ଭିକାରୀ ଉଚ୍ଛେଦ ଅଭିଯାନ ଆରମ୍ଭ କରିଛନ୍ତି। ହେଲେ କଟକ କଥା ଛାଡ଼ନ୍ତୁ ଭୁବନେଶ୍ୱରର କେଉଁ ଛକ ଭିକାରୀମୁକ୍ତ ହୋଇଛି ଆପଣ କୁହନ୍ତୁ। ହେଲେ ଆଇନ ରହିଛି, ଏଣୁ  ଭିକ ମାଗୁଥିବା କୌଣସି ଲୋକକୁ ବି ସରକାରୀ କଳ କୌଣସି ମୁହୂର୍ତ୍ତରେ ଉଠାଇ ନେଇପାରେ।

5- ବସ୍ତି ଓ ଉଠାଦୋକାନୀ ଛଚ୍ଛେଦ

ଭିକାରୀ ଉଚ୍ଛେଦ ଯେମିତି, ରାଜଧାନୀରେ ବସ୍ତି ଉଚ୍ଛେଦ ଠିକ୍‌ ସେମିତି।  ପଞ୍ଚମ ନିୟମ ଭାବେ ଆମେ ବସ୍ତି ଉଚ୍ଛେଦ ଆଇନ କଥା ହେବ। ୨୦୧୨ ମସିହାରୁ ଏଥିନେଇ ଆଇନ ରହିଛି।  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହର ବିକାଶ ନୀତି ଅନୁସାରେ ବସ୍ତିବାସିନ୍ଦାଙ୍କୁ ଘର ଯୋଗାଇବା, ସୁସ୍ଥ ରହଣୀ ପରିବେଶ ଯୋଗାଇବା ଲାଗି ସରକାର ବ୍ୟବସ୍ଥା କରୁଛନ୍ତି। ଏହିକ୍ରମରେ ଜାଗା ମିଶନ ଅନ୍ୟତମ। ଏବେ ଟାଟା କମ୍ପାନୀର ସାମାଜିକ ଉତ୍‌ଥାନ ବିଭାଗ ସରକାରଙ୍କୁ ଏ ଦିଗରେ ସହାୟତା କରୁଛନ୍ତି। ରାଜ୍ୟରେ ଥଇଥାନ କଲୋନୀ ଗଢ଼ୁଛି। କିନ୍ତୁ ବସ୍ତି କମୁନି। ଦିନକୁ ଦିନ ନୂଆ ଜାଗାରେ ବଢ଼ୁଛି ବେଆଇନ ବସ୍ତି, ଯାହା ପରେ ଆପେ ଆପେ ଆଇନଗତ ହୋଇଯାଉଛି। କିନ୍ତୁ ମ୍ୟୁନିସିପାଲିଟି ପାଖରେ ନିୟମ ରହିଛି, ଏଣୁ କୌଣସି ମୁହୂର୍ତ୍ତରେ ଆପଣଙ୍କ ଘରକୁ ସେମାନେ ପୁଲିସ ଲଗାଇ ଖଲି କରିବାକୁ ଆସିପାରନ୍ତି। ଠିକ୍‌ ସେମିତି ଉଠା ଦୋକାନୀଙ୍କ କ୍ଷେତ୍ରରେ। କେତେବେଳେ ନାଳ ଉପରେ ଉଠାଦୋକାନୀ ବସିବେନି ତ କେତେବେଳେ ରାସ୍ତାକଡ଼ରେ। ହେଲେ  ଭୁବନେଶ୍ୱରର କେଉଁ କୋଣରେ ଉଠାଦୋକାନୀ ବସି ନାହାନ୍ତି ତାହା କିଏ କହିବ?

ବାସ୍ତବରେ ସାମାଜିକ ଉତ୍‌ଥାନ ଓ ପରିବେଶର ସୁରକ୍ଷା  ଲାଗି ଏହି ନିୟମସବୁ ଉଦ୍ଦିଷ୍ଟ।  କିନ୍ତୁ ନ୍ୟସ୍ତ ସ୍ୱାର୍ଥ ଓ ସରକାରୀ ବାବୁମାନଙ୍କ ଉଦାସୀନତା ହେତୁ ଏ ସବୁ ନିୟମ ଗୋଟିଏ ଗୋଟିଏ କାଗଜ ବାଘlର ପରିଣତ ହୋଇଛି। ଅର୍ଥାତ୍‌ କାଗଜ ପତ୍ରରେ ନିୟମ ଆଉ ଖବରକାଗଜରେ  ଚର୍ଚ୍ଚିତ ଏହାର ପଦକ୍ଷେପ।  ସେ ପଦକ୍ଷେପ ଖାଲି ଲୋକଙ୍କ ଭନରେ ଭୟ ସୃଷ୍ଟି କରିବା, ଗରିବ ଲୋକଙ୍କ ବ୍ୟବସାୟ ଭାଙ୍ଗିବା ଏବଂ ପରିବାର ଉଚ୍ଛନ୍ନ କରିବା ଲାଗି ଗୋଟିଏ ଗୋଟିଏ ମାଧ୍ୟମରେ ପରିଣତ ହୋଇଛି।

Leave a Reply

Your email address will not be published.