ଅମ୍ବାଲା ଏୟାରବେସରେ ଲଢୁଆ ରାଫେଲ୍ ଜେଟ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଫ୍ରାନ୍ସରୁ ଆସୁଥିବା ଲଢୁଆ ବିମାନ ହରିୟାଣା ସ୍ଥିତ ଅମ୍ବାଲା ଏୟାରବେସରେ ପହଞ୍ଚିଛି । ଏହି ଜେଟ୍ ଏୟାର ବେସରେ ଓହ୍ଲାଇବା ପରେ ୱାଟର ସାଲ୍ୟୁଟ୍ ଦେଇ ସ୍ୱାଗତ କରାଯାଇଛି ।
ଭାରତରେ ପହଞ୍ଚିବା ପରେ ରାଫେଲ୍ ବିମାନକୁ ଦୁଇଟି ସୁଖୋଇ ୩୦ ଏମକେଆଇ ସ୍ୱାଗତ କରିବା ସହ ସଫଳତାର ସହ ଅମ୍ବାଲା ଏୟାରବେସ ଯାଏଁ ନେଇକି ଆସିଥିଲେ । ଏହି ଅବସରରେ ଏପରିକି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ସୈନ୍ୟ ବାହିନୀ ଇତିହାସରେ ଏକ ନୂତନ ଯୁଗର ଆରମ୍ଭ ବୋଲି କହିଛନ୍ତି । ଏଥିସହିତ ସେ ଭାରତୀୟ ବାୟୁସେନାକୁ ମଧ୍ୟ ଅଭିବାଦନ ଜଣାଇଛନ୍ତି ।
ସେଠାରେ ବାୟୁସେନା ଅଧ୍ୟକ୍ଷ ଏୟାର ଚିଫ୍ ମାର୍ଶଲ ଆରକେଏସ୍ ଭଦୌରିଆଙ୍କ ସମେତ ବାୟୁସେନାର ପ୍ରମୁଖ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ରାଫେଲ୍ ବିମାନକୁ ଉଡାଇ ଆଣିଥିବା ପାଇଲଟ ମାନଙ୍କୁ ଭଦୌରିଆ ସ୍ୱାଗତ କରିଥିଲେ ।
ରାଫେଲ୍ ବିମାନ ଭାରତରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ସଂସ୍କୃତ ଭାଷାରେ ଏକ ଶ୍ଲୋକ ଲେଖି ସ୍ୱାଗତ ଜଣାଇଛନ୍ତି । “ରାଷ୍ଟ୍ରର ରକ୍ଷା କରିବା ଠାରୁ ବଡ ଅନ୍ୟ କୌଣସି ପୁଣ୍ୟ ନୁହେଁ । ନା କୌଣସି ବ୍ରତ, ନା କୌଣସି ଯଜ୍ଞ ଅଟେ । ଆକାଶକୁ ସ୍ପର୍ଶ କରୁଥିବା…ସ୍ୱାଗତ ହେ” ବୋଲି ଉଲ୍ଲେଖ କରିଛନ୍ତି ।
ଏହା ବ୍ୟତିତ ଭାରତୀୟ ବାୟୁସେନା ନିଜର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ରାଫେଲ୍ ବିମାନର ଫଟୋ ଶେୟାର କରିବା ସହ ଲେଖିଛନ୍ତି, “ ସୁନେଲି ଯୁଗକୁ ସ୍ୱାଗତ । ରାଫେଲ୍ ବିମାନକୁ ସୁଖୋଇ ସ୍ୱାଗତ କରିଛି” ।
ସୂଚନାଯୋଗ୍ୟ, ଭାରତ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ୩୬ ବିମାନ ବୁଝାମଣାର ପ୍ରଥମ ପର୍ଯ୍ୟାୟ ଭାବେ ଏହି ୫ଟି ରାଫେଲ୍ ଭାରତକୁ ଆସୁଛି । ଗତ ଜୁଲାଇ ୨୭ ତାରିଖରେ ଫ୍ରାନ୍ସରୁ ଏହି ଜେଟ୍ ଗୁଡିକ ଭାରତ ଅଭିମୁଖେ ଉଡାଣ ଭରିଥିଲେ । ଭାରତୀୟ ପାଇଲଟଙ୍କ ଦ୍ୱାରା ଉଡା ଯାଉଥିବା ଏହି ୫ଟି ରାଫେଲ୍ ବିମାନ ପ୍ରାୟ ୭୩୬୪ କିମି. ଦୂର ଉଡି ଜୁଲାଇ ୨୯ ତାରିଖ ଦିନ ହରିୟାଣାର ଅମ୍ବାଲା ଏୟାର ବେସରେ ପହଞ୍ଚିଛି ।
ଭାରତ ଓ ଚୀନ ମଧ୍ୟରେ ଜାରି ସୀମା ବିବାଦକୁ ନଜରରେ ରଖି ବିମାନ ଗୁଡିକୁ ମୁତୟନ କରାଯିବ ବୋଲି ସୁତ୍ରରୁ ପ୍ରକାଶ ।