ସଂସଦର ମୌସୁମି ଅଧିବେଶନ ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହେଲେ ୫ ସାଂସଦ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସମସ୍ତ ସାଂସଦଙ୍କ କରୋନା ଟେଷ୍ଟ କରାଯାଉଛି। ରବିବାର ଯାଞ୍ଚରେ ପାଞ୍ଚ ଲୋକସଭା ସାଂସଦ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୋମବାର ଆରମ୍ଭ ହେଉଥିବା ମୌସୁମି ଅଧିବେଶନରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ସମସ୍ତ ଗାଇଡ୍ଲାଇନ୍ କଡାକଡି ପାଳନ କରାଯିବ।
କୋଭିଡ୍-୧୯ ମହାମାରୀକୁ ଦୃଷ୍ଟିରେ ରଖି କାଗଜର ଉପଯୋଗ ଯଥା ସମ୍ଭବ କମ କରିବାକୁ ପ୍ରୟାସ କରାଯାଉଛି। ସାଂସଦ ନିଜର ଉପସ୍ଥିତି ଡିଜିଟାଲ ମାଧ୍ୟମରେ ଜାହିର କରିବେ। ଗୃହରେ ପ୍ରବେଶ କରିବା ସମୟରେ ସମସ୍ତ ସଦସ୍ୟଙ୍କ ଶରୀରର ତାପମାତ୍ରା ଯାଞ୍ଚ ପାଇଁ ଥର୍ମାଲ ଗନ ଓ ଥର୍ମାଲ ସ୍କାନରର ଉପଯୋଗ କରାଯିବ। ଗୃହ ଭିତରେ ୪୦ଟି ସ୍ଥାନରେ ଟଚଲେସ୍ ସାନିଟାଇଜର ଲଗାଯିବ। ଜରୁରୀକାଳୀନ ଡାକ୍ତରୀ ଦଳ ଓ ଷ୍ଟାଣ୍ଡବାଇରେ ଆମ୍ବୁଲାନ୍ସ ସୁବିଧା ଉପଲବ୍ଧ ରହିବ। କୋଭିଡ୍-୧୯ ରୋକଥାମ ସମ୍ବନ୍ଧିତ ମାର୍ଗଦର୍ଶିକା କଡାକଡି ପାଳନ କରାଯିବ।
ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ୨୫୭ ସାଂସଦଙ୍କୁ ଗୃହର ମୁଖ୍ୟ କକ୍ଷ ଏବଂ ୧୭୨ ସାଂସଦଙ୍କୁ ଅତିଥି ଗ୍ୟାଲେରୀରେ ବସାଯିବ। ଏହା ବ୍ୟତୀତ ଲୋକସଭାର ୬୦ ସଦସ୍ୟ ରାଜ୍ୟସଭାର ମୁଖ୍ୟ କକ୍ଷରେ ବସିବାର ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ୫୧ ସଦସ୍ୟ ରାଜ୍ୟସଭାର ଗ୍ୟାଲେରୀରେ ବସିବେ। ବିର୍ଲା କହିଛନ୍ତି ରାଜ୍ୟସଭା କକ୍ଷରେ ବସିବାକୁ ଥିବା ସଦସ୍ୟ ଲୋକସଭାର ଗୃହ କାର୍ଯ୍ୟରେ ଯୋଗ ଦେବେ। ଗୃହକାର୍ଯ୍ୟ ସୂଚାରୁ ରୂପେ ଚଳାଇବା ପାଇଁ ଏଲଇଡି ସ୍କ୍ରିନ୍ ଲଗାଯିବ। ସେ କହିଛନ୍ତି ଗୃହକାର୍ଯ୍ୟରେ ଭାଗ ନେଉଥିବା ସଦସ୍ୟଙ୍କ ଉପସ୍ଥିତି ମୋବାଇଲ୍ ଜରିଆରେ କରାଯିବ।
ବିର୍ଲା କହିଛନ୍ତି ଶୂନ୍ୟକାଳ ଅଧା ଘଣ୍ଟାର ରହିବ ଏବଂ କୌଣସି ପ୍ରଶ୍ନକାଳ ରହିବ ନାହିଁ। କିନ୍ତୁ ଲିଖିତ ପ୍ରଶ୍ନ କରାଯିବ ଏବଂ ଏହାର ଉତ୍ତର ମଧ୍ୟ ମିଳିବ।