ରେକର୍ଡ ଭାଙ୍ଗିଲା କରୋନା : ୨୪ ଘଣ୍ଟାରେ ୧୧ ହଜାର ୪୫୮ ନୂଆ ମାମଲା, ୩୯୬ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ଆଜି କରୋନାଭାଇରସ୍ ସଂକ୍ରମଣ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରାୟ ୧୧ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଭାରତ ବ୍ରିଟେନକୁ ପଛରେ ପକାଇ ବିଶ୍ବର ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ତାଲିକାରେ ୪ର୍ଥ ସ୍ଥାନକୁ ଆସିଯାଇଛି।
ଆମେରିକା, ବ୍ରାଜିଲ ଏବଂ ରୁଷ୍ ପରେ ଏବେ ଭାରତ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ବିବେଚିତ ହୋଇଛି। ଆମେରିକାରେ ୨୦ ଲକ୍ଷ ୯୦ ହଜାର ଆକ୍ରାନ୍ତ ଥିବା ବେଳେ ବ୍ରାଜିଲରେ ୮ ଲକ୍ଷ ୧୦ ହଜାର ଏବଂ ରୁଷ୍ରେ ୫ ଲକ୍ଷ ୩ ହଜାର ଆକ୍ରାନ୍ତ ଅଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ୩୯୬ ଜଣଙ୍କ ଜୀବନ ନେଇଛି। ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୬୩୫ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୪୯୮ରେ ପହଞ୍ଚିଛି। ଦେଶରେ ଏବେ ଆରୋଗ୍ୟ ହାର ୪୯.୪୭ରେ ପହଞ୍ଚିଥିବା ବେଳେ ମାମଲା ଦୁଇଗୁଣ ହେବା ସମୟ ୧୭.୪ ଦିନରେ ପହଞ୍ଚିଛି ।
ସୂଚନା ଅନୁଯାୟୀ, ତାମିଲନାଡୁରେ ଶୁକ୍ରବାର ଦିନ ସର୍ବାଧିକ ୧ ହଜାର ୯୮୨ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି ଏବଂ ୨୮ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ତାମିଲନାଡୁରେ ସଂକ୍ରମଣ ୪୦ ହଜାର ପାରିକରିଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମହାରାଷ୍ଟ୍ରରେ ଶୁକ୍ରବାର ଦିନ ୩ ହଜାର ୪୩୯ ନୂଆ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ପାର କରି ୧ ଲକ୍ଷ ୧୧୪୧ରେ ପହଞ୍ଚିଛି । ଗୁଜରାଟରେ ମୋଟ ସଂକ୍ରମଣ ସଂଖ୍ୟା ୨୨ ହଜାର ୫୬୨ ହୋଇଥିବାବେଳେ ଦିଲ୍ଲୀରେ ୭୧ ଜଣଙ୍କର ମୃତ୍ୟୁ ହୋଇଛି | ଦିଲ୍ଲୀରେ ୩୬ ହଜାରରୁ ଅଧିକ ସଂକ୍ରମଣ ମାମଲା ରହିଛି ।
ବିହାରରେ ଶୁକ୍ରବାର ଦିନ ୧୪୮ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏହାସହ ବିହାରରେ ସଂକ୍ରମଣ ସଂଖ୍ୟା ୬ ହଜାର ୯୬ରେ ପହଞ୍ଚିଛି ।