ଗତ ୨୪ଘଣ୍ଟାରେ ରାଜ୍ୟରେ ୪୭,୭୫୮କରୋନା ନମୁନା ପରୀକ୍ଷା
ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ କରୋନା ପ୍ରକୋପ ଜାରି ରହିଛି । କିପରି ସଂକ୍ରମଣ ଚେନ୍କୁ ଭଙ୍ଗାଯିବ ସେଥିନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ତେବେ ରାଜ୍ୟରେ ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ପାଇଁ ଏବେ ଟେଷ୍ଟିଂର ସଂଖ୍ୟା ବୃଦ୍ଧି କରାଯାଇଛି ।
ତେବେ ରାଜ୍ୟରେ ୨୪ ଘଣ୍ଟାରେ ୪୭ ହଜାର ୭୫୮ ଟେଷ୍ଟ ହୋଇଛି । ସେଥି ମଧ୍ୟରୁ ୭,୬୫୮ ଆରଟିପିସିଆର ଟେଷ୍ଟ, ୪୦,୦୧୦ ଆଣ୍ଟିଜେନ୍ ଟେଷ୍ଟ, ୯୦ ଟ୍ରୁନଟ୍ ଟେଷ୍ଟ କରାଯାଇଛି । ଆରଏମଆରସିରେ ୧୧୩୦ ଟେଷ୍ଟ, ଆଇଏଲଏସରେ ୫୯୨ ଟେଷ୍ଟ, ଏସସିବିରେ ୨୯୨୩ ଓ କ୍ୟାପିଟାଲ ହସ୍ପିଟାଲରେ ୧୫୨୬ ଟେଷ୍ଟ କରାଯାଇଛି ।
ସେହିଭଳି କେନ୍ଦ୍ରାପଡାରେ ୪,୮୭୮, କେନ୍ଦୁଝରରେ ୪,୬୪୧, ଗଞ୍ଜାମରେ ୪,୪୭୧, ମୟୁରଭଞ୍ଜରେ ୩,୦୮୯ ଓ ବାଲେଶ୍ବରରେ ୧,୫୫୮ ଟେଷ୍ଟ କରାଯାଇଛି ।
ସୂଚନାଯୋଗ୍ୟ, ପ୍ରଥମ ଥର ପାଇଁ ଭାରତରେ ପୂର୍ବଦିନ ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷରୁ ଅଧିକ ୧୨,୦୬,୮୦୬ଟି କୋଭିଡ୍-୧୯ ନମୁନା ପରୀକ୍ଷା କରାଯାଇଥିଲା। ଏହା ଏକ ସର୍ବକାଳୀନ ରେକର୍ଡ ଥିବା ଜଣାପଡ଼ିଛି। ଦେଶରେ ବୃଦ୍ଧି ପାଇ ଚାଲିଥିବା କରୋନାଭାଇରସ୍ ବା କୋଭିଡ୍- ୧୯ ମହାମାରୀ ଉପରେ ଲଗାମ୍ ଲଗାଇବା ପାଇଁ ଉଚ୍ଚ ପରୀକ୍ଷଣ ହେଉଛି କରୋନା ରଣନୀତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପ୍ରତ୍ୟେକ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ହେଉଛି ଏହାର ଲକ୍ଷ୍ୟ।
କରୋନାଭାଇରସ୍ ସଂକ୍ରମଣର ବିସ୍ତାରକୁ ରୋକିବା ହେଉଛି ସରକାରଙ୍କ ପାଇଁ ଏକ ବଡ଼ ଆହ୍ଵାନ। ଏ ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ସୂଚନା ଦେଇ କହିଛି ଯେ କୋଭିଡ୍-୧୯ ବିରୋଧରେ ଆରମ୍ଭ ହୋଇଥିବା ଲଢ଼େଇରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି।