ଜେଲରୁ ମୁକ୍ତ ହେବେ ୪୭୦ କଏଦୀ
କଟକ, (ଓଡିଶା ଟାଇମ୍): ମୁକ୍ତ ହେବେ କଏଦୀ । ଜାମିନ୍ ସତ୍ତ୍ୱେ ରାଜ୍ୟରେ ବିଭିନ୍ନ ଜେଲ୍ରୁ ବାହାରି ପାରୁନଥିବା ୪୭୦ କଏଦୀ ଏବେ ମୁକ୍ତ ହେବେ । ବ୍ୟକ୍ତିଗତ ମୁଚାଲିକାରେ ସେମାନଙ୍କୁ ଛଡାଯିବ । ଏ ନେଇ ରାଜ୍ୟ ସରକାର ହାଇକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟ ସରକାରଙ୍କ ଏହି ଜବାବ ପରେ ହାଇକୋର୍ଟ ଏହାର ଷ୍ଟାଟସ୍ ରିପୋର୍ଟ ମେ’ ୩୧ ତାରିଖ ସୁଦ୍ଧା ଦାଖଲ କରିବାକୁ ଆଦେଶରେ ସ୍ପଷ୍ଟ କରିଛନ୍ତି । କୃଷ୍ଣ ପ୍ରସାଦ ସାହୁଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ଏବଂ ବିଚାରପତି ଜଷ୍ଟିସ୍ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଜେଲ୍ରେ ଅନେକ କଏଦୀ ରହୁଛନ୍ତି ଯେଉଁମାନେ ଜାମିନ୍ ପାଇବା ସତ୍ତେ୍ୱ ଜେଲ୍ରୁ ବାହାରି ପାରୁ ନାହାନ୍ତି । ଏହି କଏଦୀଙ୍କ ନିକଟରେ ବେଲ୍ ବଣ୍ଡ ପାଇଁ ଆବଶ୍ୟକ ଅର୍ଥ ନଥିବାରୁ ସେମାନଙ୍କୁ ଜେଲ୍ରେ ସଢିବାକୁ ପଡୁଚି । ଏହି କଏଦୀଙ୍କ ଦୁର୍ଦ୍ଦଶା ସଂକ୍ରାନ୍ତରେ ଆମିକସକ୍ୟୁରୀ ଗୌତମ ମିଶ୍ର ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହାଇକୋର୍ଟ ରାଜ୍ୟ ଆଇନସେବା ପ୍ରାଧିକରଣକୁ ଏହି କଏଦୀଙ୍କ ପାଇଁ ସହାୟତାର ହାତ ବଢାଇବାକୁ ନିର୍ଦ୍ଦେଶ ଦେଇଥିଲେ ।
ସୁପ୍ରିମ୍କୋର୍ଟ ମଧ୍ୟ ଏ ସଂକ୍ରାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିବା ନେଇ ଶ୍ରୀ ମିଶ୍ର ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଫଳରେ ଏହା ଉପରେ ଜବାବ ରଖି ରାଜ୍ୟ ସରକାର ଦର୍ଶାଇଥିଲେ ଯେ, ଏହି କଏଦୀଙ୍କ ମୁକ୍ତି ଲାଗି ଏକ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ କରାଯାଇଥିଲା । ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଏବଂ ଏହି କମିଟିର ଅନୁମୋଦନକ୍ରମେ ପ୍ରତ୍ୟେକ ଜେଲ୍ କର୍ତ୍ତୃପକ୍ଷଙ୍କୁ ଏହିଭଳି କଏଦୀଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ ଲାଗି କୁହାଯିବ ।