ପୁଣି ଟ୍ରେନ୍ ଚେନ୍ ପୁଲିଂ ଟାଣି ଓହ୍ଲାଇଲେ ୪୩୧ ପ୍ରବାସୀ ଶ୍ରମିକ

ଭୁବନେଶ୍ୱର, (ଓଡଶା ଟାଇମ୍):  ଦେଶବ୍ୟାପୀ କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ଲାଗୁ ହୋଇଛି । ଲକ୍‌ଡାଉନ୍ ଫଳରେ ବିଭିନ୍ନ ରାଜ୍ୟର ସରକାର ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜନିଜ ରାଜ୍ୟକୁ ଫେରାଇ ଆଣୁଛନ୍ତି । ଓଡ଼ିଶା ସରକାର ମଧ୍ୟ ଏଭଳି ପଦକ୍ଷେପ ନେଇଛନ୍ତି ।

କିନ୍ତୁ କିଛି ସ୍ଥାନରେ ପ୍ରବାସୀ ଶ୍ରମିକମାନେ ଟ୍ରେନର ଚେନ୍ ଟାଣି ଫେରାର ହୋଇଯାଉଥିବା ଖବର ସାମ୍ନାକୁ ଆସୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲିକୋଟ ରେଳଷ୍ଟେସନରେ। ଖଲିକୋଟ ଷ୍ଟେସନ୍‌ରେ ଓହ୍ଲାଇ ପଡ଼ିଛନ୍ତି ୪୩୧ ଜଣ ଶ୍ରମିକ ।

ସୁରତରୁ ଶ୍ରମିକ ସ୍ପେଶାଲ୍ ଟ୍ରେନ୍‌ରେ ଶ୍ରମିକଙ୍କୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍‌ରେ ଓହ୍ଲାଇବା ନେଇ ଯୋଜନା ଥିଲା । ତେବେ ଏଥିରେ ଗଞ୍ଜାମ ଜିଲ୍ଲାର ଶ୍ରମିକ ଥିଲେ। ବ୍ରହ୍ମପୁର ଦେଇ ଟ୍ରେନ୍ ଯାଇଥିଲେ ବି ଏମାନଙ୍କୁ ଓହ୍ଲାଇବାକୁ ଅନୁମତି ମିଳିନଥିଲା। ବ୍ରହ୍ମପୁର ଷ୍ଟେସନ୍‌ରେ ଏମାନଙ୍କୁ ଓହ୍ଲାଇବାକୁ ବାରଣ କରାଯାଇଥିବା ଶ୍ରମିକମାନେ କହିଛନ୍ତି ।

ତେବେ ଖଲିକୋଟ୍ ଷ୍ଟେସନ୍ ଦେଇ ଟ୍ରେନ୍ ଯିବାବେଳେ ଏଠି ଚେନ୍ ପୁଲ୍ କରି ଓହ୍ଲାଇ ପଡ଼ିଛନ୍ତି ଶ୍ରମିକ । ଘଟଣା ପରେ ସ୍ଥାନୀୟ ସରପଞ୍ଚ, ଆର୍‌ପିଏଫ୍ ଏବଂ ପୋଲିସ୍ ପହଞ୍ଚି ଶ୍ରମିକଙ୍କୁ ନିଜ ଅଞ୍ଚଳର କ୍ୱାରେଣ୍ଟିନ୍ ସେଣ୍ଟରକୁ ପଠାଇବା ନେଇ ବ୍ୟବସ୍ଥା କରିଛନ୍ତି ।

ସେହିଭଳି ଗଞ୍ଜାମ ହୁମ୍ମା ଷ୍ଟେସନ୍‌ରେ ବି ୩୦ରୁ ଅଧିକ ଶ୍ରମିକ ଚେନ୍ ପୁଲ୍ କରି ଓହ୍ଲାଇଛନ୍ତି । ଗୋଆରୁ ଏକ ସ୍ୱତନ୍ତ୍ର ଶ୍ରମିକ ଏକ୍ସପ୍ରେସ୍ ବ୍ରହ୍ମପୁର ଦେଇ ଭଦ୍ରକ ଯାଉଥିଲା । ତେବେ ହୁମ୍ମା ଷ୍ଟେସନ୍ ନିକଟରେ ଏମାନେ ନିଜ ଘରକୁ ଯିବାକୁ ଓହ୍ଲାଇ ପଡ଼ିଛନ୍ତି । ଏମାନଙ୍କ ମଧ୍ୟରେ ଗଞ୍ଜାମରୁ ୩୧ ଏବଂ ଗଜପତିରୁ ୪ ଜଣ ଶ୍ରମିକ ରହିଛନ୍ତି ।

Leave a Reply

Your email address will not be published. Required fields are marked *