ପୁଣି ଜଗମୋହନକୁ ବିପଦ: ଅବହେଳା କରୁଛି ଏଏସ୍‌ଆଇ, ଖସିଲା ୪ ପଥର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଭାରତୀୟ ପ୍ରତ୍ନତତ୍ତ୍ଵ ସଂସ୍ଥାନ ( ଏଏସ୍‌ଆଇ)ର ନିରନ୍ତର ଅବହେଳା ଯୋଗୁ ଶ୍ରୀମନ୍ଦିର ଜଗମୋହନ ବିପଜ୍ଜନକ ସ୍ଥିତିକୁ ଚାଲି ଆସିଛି। ପରିସ୍ଥିତି ଏପରି ହୋଇଛି ଯେ, ପୁଣିଥରେ ବଡ଼ ଦେଉଳରୁ ପଥର ଖସିଛି। ଗୋଟିଏ କି ଦୁଇଟି ନୁହେଁ, ଜଗମୋହନରୁ ଏକା ସଙ୍ଗେ ୪ଟି ପଥର ଖସି ଶ୍ରୀମନ୍ଦିର ପ୍ରତି ବିପଦ ସଙ୍କେତ ଦେଇଛି। ସବୁଠାରୁ ବଡ଼ କଥା ହେଲା ଶ୍ରୀମନ୍ଦିର ସୁରକ୍ଷା ଲାଗି ଆଧୁନିକ ଟେକ୍ନୋଲୋଜି ଓ ଆଇଆଇଟି ମାଡ୍ରାସ୍‌ର ସହାୟତା ନେଉଥିବା ଏଏସ୍‌ଆଇ ପାଖରେ ଏ ଖବର ରଖିବା ଲାଗି କୌଣସି ବ୍ୟବସ୍ଥା ନାହିଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ବାବଦରେ ସୂଚନା ଦିଆଯିବା ପରେ ଏଏସ୍‌ଆଇ ଅନେକ ସନ୍ତର୍ପଣରେ ପଥର କାଢ଼ି ନେଇ ମରାମତି କରିବା ବଦଳରେ ଦୀର୍ଘଦିନ ହେଲା ନୀରବ ରହିଛି।

ଜୁନ୍‌ମାସ ପ୍ରଥମ ସପ୍ତାହରେ ଏହି ପଥର ଖସିଥିବା ସୂଚନା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସ୍‌ଆଇକୁ ଦିଆଯାଇଥିଲା। ମିଳିଥିବା ତଥ୍ୟ ଅନୁସାରେ,  ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଜଗମୋହନ ବାହାର ପୀଢ଼ରେ ଲାଗିଥିବା ଏହି ଗୁରୁତ୍ଵପୂଣ୍ଣ ପଥରଖଣ୍ଡଗୁଡ଼ିକ  ଦ୍ଵିତୀୟ ପୀଢ଼ର ଦକ୍ଷିଣ  ଦିଗରୁ ଖସି ପ୍ରଥମ ପୀଢ଼ରେ ପଡ଼ି ରହିଛି। ଯେହେତୁ ଚଟାଣ ତଳକୁ ଖସି ପଡ଼ି ନାହିଁ ସେଥିଯୋଗୁ ଏହା ଲୋକ ଲୋଚନକୁ ଆସିପାରି ନାହିଁ।

ଗତବର୍ଷ ରଥଯାତ୍ରା ପରେ ଆନୁଷ୍ଠାନିକ ଭାବେ ଶ୍ରୀମନ୍ଦିରର ଟେକ୍ନିକାଲ୍‌ କମିଟି ଶ୍ରୀ ମନ୍ଦିରର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ଯାଞ୍ଚ କରିଥିଲେ। ସେ ସମୟରେ ଏହି ପଥର ଖସି ନଥିଲା। ଏହାପରେ ମଧ୍ୟ ଗତ ୪ ମାସ ତଳେ ଯାଞ୍ଚ ହୋଇଥିଲା। ସେତେବେଳେ ପୀଢ଼ ଉପରେ କୌଣସି ପଥର ଖସି ପଡ଼ି ରହିଥିବା ବିଷୟ ସାମ୍ନାକୁ ଆସି ନଥିଲା। ହେଲେ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେଉଥିବା ସଂରକ୍ଷଣ ବୈଠକରେ ସୂଚନା ଦେବା ଲାଗି ଯେତେବେଳେ ବିଶେଷଜ୍ଞ ଦଳ ଶ୍ରୀମନ୍ଦିରର ବିଭିନ୍ନ ଅଙ୍ଗକୁ ଆବଶ୍ୟକ ନିରୀକ୍ଷଣ କରିଥିଲେ ସେତେବେଳେ ଏପରି ଦୃଶ୍ୟ ଦେଖି ହତ୍‌ବାକ୍‌ ହୋଇଥିଲେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ଏଏସ୍‌ଆଇକୁ ତାଗିଦ୍‌ କରିଥିଲେ ମଧ୍ୟ, ଏଏସ୍‌ଆଇ ନାହିରେ ତେଲ ମାରି ଶୋଇଛି।

ଖାଲି ସେତିକି ନୁହେଁ, ପ୍ରଥମ ପୀଢ଼ର ନାଟ ମଣ୍ଡପ ଆଡ଼କୁ ବାହାରିଥିବା ଜଗମୋହନର ପଥର ପ୍ରୋଜେକ୍ସନ୍‌ରେ ମଧ୍ୟ ଅନେକ ଫାଟ ଦେଖା ଦେଇଛି। ଏହି ଫାଟ ଯୋଗୁ ଜଗମୋହନର ପୀଢ଼ ଦବିଥିବା ପରିଲକ୍ଷିତ ହୋଇଛି। ସେହିପରି ମନ୍ଦିରର ବାହାର ପାର୍ଶ୍ବ ପ୍ଲାଷ୍ଟର ନଷ୍ଟ ହୋଇଥିବା ଯୋଗୁ ସୃଷ୍ଟ ଫାଟରେ ପାଣି ଓ ପବନ ପଶି ତାହା ମୂଳ ପଥରକୁ କ୍ଷୟ କରୁଥିବା ବିଶେଷଜ୍ଞ କହିଛନ୍ତି। ଏହି ପ୍ଲାଷ୍ଟର ଉଠାଇ ମୂଳ ମନ୍ଦିର ବା ଗର୍ଭ ଗୃହର ବାହାର ପାର୍ଶ୍ବ ଯେଉଁଭଳି ଭାବେ ମରାମତି କରାଯାଇଛି ସେହିପରି ପଦକ୍ଷେପ ନେବାକୁ ସରକାରଙ୍କ ପକ୍ଷରୁ ଏଏସ୍‌ଆଇକୁ ୩ ବର୍ଷ ହେଲାଣି ଆଦେଶ ଦିଆଯାଇଛି। ହେଲେ କାମ ଏଯାଏ ଆରମ୍ଭ ହୋଇ ନାହିଁ।

ଖାଲି ସେତିକି ନୁହେଁ ଶ୍ରୀମନ୍ଦିର ଯେ ଏକ ଗୁରୁତ୍ଵପୂଣ୍ଣ ଜୀବନ୍ତ ପ୍ରତ୍ନତତ୍ତ୍ଵ କିର୍ତ୍ତିରାଜୀ  ତାହାକୁ ସ୍ଵୀକାର କରିବାକୁ ଏଏସ୍‌ଆଇ ନାରାଜ। ତାହା ହୋଇଥିଲେ ଆଜି ଶ୍ରୀମନ୍ଦିର ସୁରକ୍ଷା ପାଇଁ ଏଏସ୍‌ଆଇ ଆଗକୁ ଆସନ୍ତା। ପୁଣି ଯେତେବେଳେ କୋର୍ଟ ହସ୍ତକ୍ଷେପ କରୁଛନ୍ତି ସେତେବେଳେ ଯାଇ ଏ ବିଷୟ ଚର୍ଚାକୁ ଆସୁଛି। ଏବେ ଶ୍ରୀମନ୍ଦିର ପ୍ରଶାସନ ରାସ୍ତାଘାଟ, ସ୍ଵତନ୍ତ୍ର କରିଡର ପ୍ରଭୃତି ପ୍ରସଙ୍ଗରେ ଗୁରୁତ୍ଵ ଦେଇଥିବାରୁ ମୂଳ ମନ୍ଦିରର ସୁରକ୍ଷା ଆଶଙ୍କିତ ହୋଇଛି। ସେହିପରି ହାଇକୋର୍ଟଙ୍କ ମଧ୍ୟ ଏନେଇ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରି ନାହାନ୍ତି।

ଆସିଲେ ନାହିଁ ଏଏସ୍‌ଆଇ ବରିଷ୍ଠ ଅଧିକାରୀ

ରଥଯାତ୍ରା ସମୟରେ ଶ୍ରୀମନ୍ଦିରର ଭିତର ଅଙ୍ଗଗୁଡ଼ିକୁ ପରିଷ୍କାର କରିବା ଏବଂ ମରାମତି କରିବା ଲାଗି ଏକ ସ୍ଵଳ୍ପକାଳୀନ ସମୟ ମିଳେ। ଏହି ସମୟ ବର୍ଷର ଅନ୍ୟ କୌଣସି ଦିନରେ ସମ୍ଭବ ହୋଇପାରେ ନାହିଁ। ଏଣୁ ଏହା ଏକ ଗୁରୁତ୍ଵପୂଣ୍ଣ କାଳ ହୋଇ ଥିଲେ ମଧ୍ୟ ଏଏସ୍‌ଆଇ ଚଳିତ ବର୍ଷ ଏହାକୁ ଖାତିର କରି ନାହିଁ। ସେଥିଲାଗି ରଥଯାତ୍ରା ପରଦିନ ଅନୁଷ୍ଠିତ ହୋଇଥିବା ଆନୁଷ୍ଠାନିକ ବୈଠକରେ ଏହାର ଜଣେ ସ୍ଥାନୀୟ ସହକାରୀ ଇଞ୍ଜିନିୟରଙ୍କ ବ୍ୟତୀତ କୌଣସି ଅଧିକାରୀ ଯୋଗ ଦେଇ ନଥିବା ଜଣାପଡ଼ିଛି। ଏଥିଲାଗି କୋଭିଡ୍‌ ସ୍ଥିତିକୁ ଦାୟୀ କରିଛି ଏଏସ୍‌ଆଇ।

ଚେଙ୍କକୁ ଅପେକ୍ଷା 

ଶ୍ରୀମନ୍ଦିରର ସଂରକ୍ଷଣ ଦାୟିତ୍ଵ ନେଇଥିବା ଏଏସ୍‌ଆଇ ହାତରେ ଯେ ଏଥିଲାଗି ଅର୍ଥ ନାହିଁ ତାହା ନୁହେଁ, କିନ୍ତୁ କୌଣସିଟି ସଂରକ୍ଷଣ କାର୍ଯ୍ୟ ଲାଗି ଏଏସ୍‌ଆଇ କୋର୍ଟଙ୍କ ହସ୍ତକ୍ଷେପ ବା ଜନସାଧାରଣଙ୍କ ରୋଷକୁ ଅପେକ୍ଷା କରିବା ଏକ ସାଧାରଣ ବିଷୟ ହୋଇଛି। ନବେ ଦଶକର ଶ୍ରୀମନ୍ଦିର ଗର୍ଭଗୃହ ମରାମତିକାଳରୁ ଏହା ଲକ୍ଷ୍ୟ କରାଯାଇ ଆସୁଛି। ଗର୍ଭଗୃହ ନିରାପଦ ଘୋଷଣା ପରେ ଅନ୍ୟ ମନ୍ଦିରଗୁଡ଼ିକୁ ସଂରକ୍ଷଣ କରିବା ଲାଗି ଏଏସ୍‌ଆଇକୁ କୁହାଯାଇଥିଲା। ହେଲେ ଏଏସ୍‌ଆଇ ସେ ବିଷୟରେ କୌଣସି ଧ୍ୟାନ ଦେଇ ନାହିଁ।  କେଉଁସବୁ ଜରୁରୀ ବିଷୟକୁ ଏଏସ୍‌ଆଇ ଅବହେଳା କରୁଛି ଲକ୍ଷ୍ୟ କରନ୍ତୁ:

୧)  ପଥର ପୀଢ଼କୁ ସହାୟକ ହେବା ଲାଗି ଇଂରେଜ ସମୟରୁ ବିଶାଳ ଲୁହା ଷ୍ଟାଞ୍ଚିୟନ୍‌ ବ୍ୟବସ୍ଥା କରାଯାଇଛି। ଏହା ଶ୍ରୀମନ୍ଦିର ଚଟାଣକୁ ଲାଗି ମନ୍ଦିକୁ ବାହାରୁ ବଳ ଯୋଗାଉଛି। କିନ୍ତୁ ଏହା ଭିତରେ ଅନେକ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ସେଗୁଡ଼ିକର ରକ୍ଷଣାବେକ୍ଷଣ କରାଯାଇ ନାହିଁ। ଫଳରେ ଏହି ଲୁହା ବଳସବୁ ଏବେ ଦୁର୍ବଳ ହୋଇ ବଙ୍କା ହୋଇଥିବା ଲକ୍ଷ୍ୟ କରାଯାଇଛି। ଶ୍ରୀମନ୍ଦିର ବିଶେଷଜ୍ଞଙ୍କ କହିବା ଅନୁସାରେ ଲୁହା ଉପରେ ଅଧିକ ଚାପ ପଡ଼ୁଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ନୂଆ ଅଥବା ଅତିରିକ୍ତ ଲୁହା ବଳ ବା ଷ୍ଟାଞ୍ଚିୟନ୍‌ ବ୍ୟବସ୍ଥା ଆବଶ୍ୟକ।

୨) ସବୁଠାରୁ ଗୁରୁତ୍ଵପୂଣ୍ଣ କଥା ହେଲା ଶ୍ରୀମନ୍ଦିର ବିଶେଷଜ୍ଞ କମିଟି ପରାମର୍ଶରେ ଏଏସ୍‌ଆଇ ପଥର ଉପରେ ପଡ଼ୁଥିବା ଚାପ ତଥା ପଥରରେ ହେଉଥିବା ପରିବର୍ତ୍ତନକୁ ଜାଣିବା ଲାଗି ସେନ୍ସର ବ୍ୟବସ୍ଥା କରାଯାଇଥିଲେ ବି ତାହା ଠିକଣା ଭାବେ କାର୍ଯ୍ୟ କରୁ ନାହିଁ। ଏହି ସ୍ଵୟଂ ସମ୍ପନ୍ନ ସେନ୍ସରକୁ ନୂଆକରି ଲଗାଯାଇଥିବା ଷ୍ଟିଲ୍‌ ବିମ୍‌ ଉପରେ ଲଗାଯାଇଛି। ଏହାର ରିପୋର୍ଟ ସବୁ ସମୟରେ ଏଏସ୍‌ଆଇ ପାଖରେ ପହଞ୍ଚୁଛି। ରିପୋର୍ଟ ଶ୍ରୀମନ୍ଦିରକୁ ହସ୍ତାନ୍ତର କରିବା ପାଇଁ ବିଧି ରହିଥିଲେ ବି ଏହା ହେଉ ନଥିବା ଜଣାପଡ଼ିଛି।

ଅନ୍ୟପକ୍ଷେରେ ଏଏସ୍‌ଆଇ ଶ୍ରୀମନ୍ଦିର ବିଶେଷଜ୍ଞ ଓ ମୁଖ୍ୟ ପ୍ରଶାସକଙ୍କ ଆଦେଶ ଅନୁସାରେ କାର୍ଯ୍ୟ କରାଯାଉଛି କହି ମୁଣ୍ଡରୁ ଦାୟିତ୍ଵ ଓହ୍ଲାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *