୩୫ ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଉଦଘାଟିତ

କୋଣାର୍କ, (ଓଡିଶା ଟାଇମ୍) :ଚଳିତ ବର୍ଷ ଗୁରୁ ଗଙ୍ଗାଧର ପ୍ରଧାନ ନାଟ୍ୟ ମଣ୍ଡପ କୋଣାର୍କରେ ଉଦଘାଟନ ହୋଇଛି ୩୫ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ । ଏହାକୁ ଉଦଘାଟନ କରିଛନ୍ତି ପଦ୍ମଶ୍ରୀ ରଘୁନାଥ ମହାପାତ୍ର । ଏହି ଉଦଘାଟନ ମହୋତ୍ସବ ରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମଞ୍ଚ ରେ ଉପସ୍ଥିତ ଥିଲେ ନାଲକୋର ଜେନେରାଲ ମ୍ୟାନେଜର ଆଶୁତୋଷ ରଥ ଓ ଗୁରୁ ମନୋରଞ୍ଜନ ପ୍ରଧାନ, ପୁରୀ ଜିଲ୍ଲା ପେଷାଦାର ସାମ୍ୱାଦିକ ସଂଘର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ଚିତ୍ରକଳା ବିଭାଗର ମୁଖ୍ୟ ଚକ୍ରଧର ସାହୁ ଏବଂ ନାଟ୍ୟ ମଣ୍ଡପର ସମସ୍ତ କର୍ମକର୍ତ୍ତା ।

ଚଳିତ ବର୍ଷ ଏହି ମହୋତ୍ସବ କୋଭିଡ କଟକଣା ପାଇଁ ୩ ଦିନ ପରିବର୍ତ୍ତେ ଗୋଟିଏ ଦିନରେ ଶେଷ ହୋଇଛି। ତିନି ପର୍ଯ୍ୟାୟରେ ଆଜି ଗୋଟିଏ ଦିନରେ ଅନୁଷ୍ଠିତ ଏହି ନୃତ୍ୟ ଓ ସଙ୍ଗୀତ ମହୋତ୍ସବରେ ପ୍ରଥମେ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ ପରେ ନାଟ୍ୟ ମଣ୍ଡପର କଳାକାରମାନେ ମଞ୍ଚରେ ପରିବେଷଣ କରିଥିଲେ ଘଣ୍ଟ ମର୍ଦ୍ଧନ ପରେ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ରଚିତ ପଞ୍ଚଦେବ ସ୍ତୁତିକୁ କଳାକାରମାନେ ନିଖୁଣ ଭାବେ ମଞ୍ଚସ୍ଥ କରିଥିଲେ । ପରେ ପରେ ଶାସ୍ତ୍ରୀୟ ସଙ୍ଗୀତ ଏବଂ ଓଡିଶୀ ଓ କଥକ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ପ୍ରଥମ ଅର୍ଘ୍ୟରେ ଗୁରୁ ଶ୍ରୀ ନିମାକାନ୍ତ ରାଉତରାୟଙ୍କ ଦ୍ଵାରା ପରିବଷିତ ହୋଇଥିଲା ଓଡ଼ିଶୀ ସଙ୍ଗୀତ। ଦ୍ବିତୀୟ ଅର୍ଘ୍ୟରେ ଦେବଦାସୀ ଡାନ୍ସ ଏକାଡେମୀ ପକ୍ଷରୁ ପରିବେଷଣ ହୋଇଥିଲା ଓଡ଼ିଶୀ ନୃତ୍ୟର ଶିବ ନିରଜନା ହୋ ଶମ୍ଭୁ, ବଜ୍ରକାନ୍ତି ପଲ୍ଲବୀ ଓ ଯୁଗେ ଯୁଗେ ଜଗନ୍ନାଥ। ଯାହା ଦର୍ଶକ ଙ୍କୁ ବେଶ୍ ଭାବ ବିହ୍ଵଳିତ କରିଥିଲା।

ଶେଷ ପର୍ଯ୍ୟାୟରେ କଲିକତାର ଘୁଙ୍ଗୁର ଡାନ୍ସ ଏକାଡେମୀ ପକ୍ଷରୁ ପରିବେଷଣ ହୋଇଥିଲା କଥକ ନୃତ୍ୟ। ଏହି ମହୋତ୍ସବ ପାଳନ ଅବସରରେ ନାଟ୍ୟ ମଣ୍ଡପରେ ଆୟୋଜିତ ହୋଇଥିଲା ୨୫ ତମ କୋଣାର୍କ ସାହିତ୍ୟ ଉତ୍ସବ। ସାହିତ୍ୟ ଉତ୍ସବରେ ଅନେକ ସାହିତ୍ୟକ ଓ ଲେଖକମାନେ ଯୋଗ ଦେଇଥିଲେ ଓ ଓଡ଼ିଆ ଭାଷା ସାହିତ୍ୟର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଅନ୍ୟପଟେ ଦୀର୍ଘ ଦିନ ପରେ ପୁଣି ଥରେ ମଞ୍ଚରେ ନୃତ୍ୟ ପରିବେଷଣ କରିବା ସୁଯୋଗ ପାଇଥିବାରୁ ବେଶ୍ ଉତ୍ସାହିତ ଥିବା କହିଛନ୍ତି ନୃତ୍ୟ ଶିଳ୍ପୀ। ଏବଂ ନାଟ୍ୟ ମଣ୍ଡପରେ ଆୟୋଜିତ ଏହି ଉତ୍ସବରେ ନୃତ୍ୟ ଓ ସଙ୍ଗୀତ କୁ ବେଶ୍ ଆନନ୍ଦରେ ଉପୋଭୋଗ କରିଥିବା, କହିଛନ୍ତି ଦର୍ଶକ। ଅନ୍ୟପଟେ ମୁଖ୍ୟ ଅତିଥି ପଦ୍ମଶ୍ରୀ ରଘୁନାଥ ମହାପାତ୍ର ଗୁରୁ ସ୍ବର୍ଗତ ଗଙ୍ଗାଧର ପ୍ରଧାନଙ୍କ ଛାତ୍ର ଛାତ୍ରୀମାନେ ସାରା ଦେଶରେ ନାମ ଅର୍ଜନ କରିଥିବା କହି, ନାଟ୍ୟ ମଣ୍ଡପର ଗାଥା ବର୍ଣ୍ଣନା କରିବା ସହ ଗୁରୁ ସ୍ବର୍ଗତ ଗଙ୍ଗାଧର ପ୍ରଧାନଙ୍କ ଭୂୟସୀ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *