ଦେଶରେ ପ୍ରତିଦିନ ୩୧ ପିଲା କରୁଛନ୍ତି ଆତ୍ମହତ୍ୟା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଭାରତରେ ୨୦୨୦ରେ ଦୈନିକ ହାରାହାରି ୩୧ ଜଣ ପିଲା ଆତ୍ମହତ୍ୟା କରିଥିବା ନେଇ ସରକାରୀ ତଥ୍ୟରୁ ଜଣାପଡ଼ିଛି। କୋଭିଡ୍‌ ମହାମାରୀ ଯୋଗୁ ପିଲାମାନଙ୍କ ମନସ୍ତାତ୍ତ୍ୱିକ ଆଘାତ ବୃଦ୍ଧି ପାଇଥାଇପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ ୨୦୨୦ରେ ୧୧,୩୯୬ ପିଲା ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରେ ୫,୩୯୨ ଜଣ ବାଳକ ହୋଇଥିବାବେଳେ ୬,୦୦୪ ଜଣ ବାଳିକା। ଏହା ୨୦୧୯ ତୁଳନାରେ ୧୮ ପ୍ରତିଶତ ଏବଂ ୨୦୧୮ ତୁଳନାରେ ୨୧ ପ୍ରତିଶତ ଅଧିକ। ୨୦୧୯ରେ ୯,୬୧୩ ଏବଂ ୨୦୧୮ରେ ୯,୪୧୩ ପିଲାଙ୍କର ଆତ୍ମହତ୍ୟା ଯୋଗୁଁ ମୃତ୍ୟୁ ଘଟିଥିଲା। ୧୮ ବର୍ଷରୁ କମ୍‌ ପିଲାଙ୍କ ମଧ୍ୟରୁ ପାରିବାରିକ ସମସ୍ୟାକୁ ନେଇ ୪,୦୦୬ ପିଲା ଆତ୍ମହତ୍ୟା କରିଥିବାବେଳେ ୧,୩୩୭ ଜଣ ପ୍ରେମ ବ୍ୟାପାରକୁ ନେଇ କରିଛନ୍ତି । ଏବଂ ୧,୩୨୭ ଜଣ ଅସୁସ୍ଥତାକୁ ନେଇ ଜୀବନ ହାରିଛନ୍ତି। ଅନ୍ୟ ପିଲାମାନେ ଅନ୍ୟ କାରଣ, ତଥା ବେରୋଜଗାର, ଦେବାଳିଆ, ନପୁଂସକତା, ଡ୍ରଗ୍ସ ସେବନ ଆଦି କାରଣରୁ ଏହି ପଦକ୍ଷେପ ନେଇଥିବାରୁ ଜଣାପଡ଼ିଛି।

ଶିଶୁ ସୁରକ୍ଷା, ଶିଶୁ ବଞ୍ଚାଅ ସଂସ୍ଥାର ଉପନିର୍ଦ୍ଦେଶକଙ୍କ ମତରେ କରୋନା ମହାମାରୀ ପ୍ରଭାବରେ, ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଯୋଗୁ ପିଲାମାନେ ନିଜକୁ ଏକୁଟିଆ ଅନୁଭବ କରିବା, ଆଦି ଆତ୍ମହତ୍ୟା କରିବାକୁ ବାଧ୍ୟ୍ୟ କରାଇଥିଲା । ଏଥିପାଇଁ ମନସ୍ତାତ୍ତ୍ୱିକ-ସାମାଜିକ ସମର୍ଥନ ମଧ୍ୟ ଆବଶ୍ୟକ। ଉପଯୁକ୍ତ ବାତାବରଣ ଯୋଗାଇବାରେ ବିଫଳ ହୋଇଥିବାରୁ ଏଥିପାଇଁ ପିଲାଙ୍କ ମାତାପିତା, ପରିବାର, ପଡୋଶୀ ଏବଂ ସରକାର ମିଳିତ ଭାବେ ଦାୟୀ। ମହାମାରୀ  ପ୍ରଭାବରୁ ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟ, ମନସ୍ବାତ୍ତ୍ୱିକ-ସାମାଜିକ ସୁସ୍ଥତା ଉପରେ ପଡ଼ିବ ବୋଲି ମହାମାରୀ ଆରମ୍ଭରୁ ଆଶଙ୍କା କରାଯାଉଥିଲା ବୋଲି ଅଜ୍ୟ ଜଣେ ଶିଶୁ ବିଶେଷଜ୍ଞ କହିଛନ୍ତି।

Leave a Reply

Your email address will not be published. Required fields are marked *