ତାଲିବାନ ସପକ୍ଷରେ ରାସ୍ତାକୁ ଓହ୍ଲାଇଲେ ୩୦୦ ଆଫଗାନ ମହିଳା

କାବୁଲ, (ଓଡିଶା ଟାଇମ୍): ତାଲିବାନକୁ ବିରୋଧ କରୁଥିବା ମହିଳା ଏବେ ତାଲିବାନୀଙ୍କ ସମର୍ଥନରେ ବାହାରିଛନ୍ତି। ପାଖାପାଖି ୩ଶହରୁ ଅଧିକ ଆଫଗାନ ମହିଳା ତାଲିବାନ ସରକାରଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଛନ୍ତି। ବୁର୍ଖା ପିନ୍ଧି ସେମାନେ କରିଛନ୍ତି ରାଲି। ଶନିବାର କାବୁଲରେ ଦେଖିବାକୁ ମିଳିଥିଲା ଏଭଳି କିଛି ଚିତ୍ର।

ଗତ କିଛିଦିନ ହେବ ଆଫଗାନିସ୍ତାନର ମହିଳାମାନେ ତାଲିବାନ ବିରୋଧରେ ଲଗାତର ବିରୋଧ ପ୍ରଦର୍ଶନ କରୁଥିଲେ । କିନ୍ତୁ ଶନିବାର ଏହାର ପୂରାପୁରି ଓଲଟା ଚିତ୍ର ଦେଖିବାକୁ ମିଳିଥିଲା। ମହିଳାମାନେ ହାତରେ ପ୍ଲାକାର୍ଡ ଧରି ତାଲିବାନ ସମର୍ଥନରେ ରାସ୍ତା ଉପରେ ବାହାରି ଶୋଭାଯାତ୍ରା କରିଥିଲେ। ମୁଣ୍ଡରୁ ଗୋଡ ଯାଏଁ କଳା ରଙ୍ଗର ବୁର୍ଖା ପିନ୍ଧି ସେମାନେ ଏହି ରାଲିରେ ସାମିଲ ହୋଇଥିଲେ।

ସହିଦ ରବ୍ବାନୀ ବିଶ୍ୱବିଦ୍ୟାୟଳରେ ଆୟୋଜିତ ଏହି ସମାବେଶରେ ମହିଳାମାନେ ଏକାଧିକ ତାଲିବାନୀ ପତାକା ଧରିଥିଲେ। ଦୁଇ ପାର୍ଶ୍ୱରେ ବିଶାଳ ତାଲିବାନ୍‌ ପତାକା ଲାଗିଥିବା ‘ପୋଡିୟମ୍‌’ରେ ମହିଳା ବକ୍ତାମାନେ ନିକଟ ଅତୀତରେ ସମଗ୍ର ଆଫଗାନିସ୍ତାନରେ ପ୍ରତିବାଦ କରିଥିବା ମହିଳାମାନଙ୍କୁ ସମାଲୋଚନା କରିଥିଲେ।

ତଲିବାନର ସମର୍ଥନରେ ବାହାରିଥିବା ମହିଳାମାନେ କହିଥିଲେ, ଦେଶ ଛାଡି ପଳାୟନ କରିଥିବା ମହିଳା ସେମାନଙ୍କ ପ୍ରତିନିଧି ନଥିଲେ। ଜଣେ ମହିଳା ବକ୍ତା କହିଥିଲେ, ‘ସେ ସେହି ମହିଳାଙ୍କ ବିରୋଧରେ ତାଲିବାନ ପାଇଁ ରାଲି କରିଛନ୍ତି ଯେଉଁମାନେ ଦେଶ ଛାଡି ପଳାୟନ କରିଛନ୍ତି। ପୂର୍ବ ସରକାର ମହିଳାଙ୍କ ସୁନ୍ଦର ଚେହେରା ଦେଖି ଚାକିରୀ ଦେଇଥିଲେ। ଏବେ କିନ୍ତୁ ସେ ସବୁ ନାହିଁ।

୧୯୯୬-୨୦୦୧ ପର୍ଯ୍ୟନ୍ତ ତାଲିବାନ୍‌ ଶାସନରେ ଆଫଗାନିସ୍ତାନରେ ନାରୀମାନଙ୍କ ଅଧିକାର ଉପରେ କଠୋର କଟକଣା ଜାରି ‌ହୋଇଥିଲା। କିନ୍ତୁ, ଗତ ମାସରେ କ୍ଷମତାସୀନ ହେବା ପରେ ମହିଳାଙ୍କ ପାଇଁ କମ୍‌ କଠୋର କଟକଣା ଲାଗୁ ହେବ ବୋଲି ତାଲିବାନ୍‌ ଘୋଷଣା କରିଛି। ଏଥର ନାରୀମାନଙ୍କୁ ବିଶ୍ବବିଦ୍ୟାଳୟକୁ ଛଡ଼ାଯିବ ବୋଲି ତାଲିବାନ୍‌ ଶିକ୍ଷାମନ୍ତ୍ରୀ କହିଛନ୍ତି। ନାରୀମାନେ ଆବାୟା ରୋବ୍‌ ଏବଂ ନିକାବ୍‌ ପିନ୍ଧିବେ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *