ଯୁକ୍ତ୩ ଦ୍ଵିତୀୟ, ଚତୁର୍ଥ ଏବଂ ପିଜିର ଦ୍ଵତୀୟ ସେମିଷ୍ଟର ପରୀକ୍ଷା ହେବନି: ଡ. ଅରୁଣ ସାହୁ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଯୁକ୍ତ ତିନିର ଦ୍ଵିତୀୟ ଏବଂ ଚତୁର୍ଥ ସେମିଷ୍ଟର ପରୀକ୍ଷା ହେବ ନାହିଁ। ସେହିପରି ପିଜି ଡିପାର୍ଟମେଣ୍ଟଗୁଡ଼ିକର ଦ୍ଵିତୀୟ ସେମିଷ୍ଟର ପରୀକ୍ଷା ନକରିବାକୁ ରାଜ୍ୟ ଦରକାର ନିଷ୍ପତ୍ତି ନେଇଛନ୍ତି। ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ରାଜ୍ୟ ବିଶ୍ଵବିଦ୍ୟାଳୟ ମାନଙ୍କ କୁଳପତିଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ୟୁଜିସିଙ୍କ ସୁପାରିସି ଆଧାରରେ ହୋଇଥିବା ଡ. ସାହୁ କହିଛନ୍ତି।
ଶ୍ରୀ ସାହୁ କହିଛନ୍ତି, ବିଶ୍ଵବିଦ୍ୟାଳୟଗୁଡ଼ିକ ଦ୍ଵାରା ନିର୍ଦ୍ଧାରିତ ବିକଳ୍ପ ବ୍ୟବସ୍ଥା ଦ୍ଵାରା ପିଲାମାନଙ୍କ ମୂଲ୍ୟାୟନ କରାଯାଇ ସେମାନଙ୍କୁ ପରବର୍ତ୍ତୀ ସେମିଷ୍ଟରକୁ ଉନ୍ନୀତ କରାଯିବ।
ସେହିପରି ପ୍ରଥମ ଥର ପାଇଁ ଓଡ଼ିଶା ରାଜ୍ୟରେ ଯୁକ୍ତ ତିନି ଏବଂ ପିଜି ବିଭାଗରେ ସିଲାମସ୍କୁ କୋହଳ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହିକ୍ରମରେ ଆତ୍ମ ଅଧ୍ୟୟନ ପାଠ୍ୟକ୍ରମ ପ୍ରଚଳନ କରାଯିବ। ଏହା ପ୍ରତି ବିଷୟର ୨୫ ପ୍ରତିଶତ ରହିବ। ଏହା ଏକ ସମୟୋଚିତ ଏବଂ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ଡ. ସାହୁ କହିଛନ୍ତି। ଏହା ମଧ୍ୟ ୟୁଜିସି ନିର୍ଦେଶାବଳୀରେ ଉଲ୍ଲେଖ ରହିଛି ବୋଲି ସେ କହିଛନ୍ତି।
ଛାତ୍ରମାନେ ଏଥିଲାଗି ନିର୍ଦ୍ଧାରିତ ପାଠ୍ୟକ୍ରମକୁ ନିଜେ ପଢ଼ିବେ। ଶିକ୍ଷକମାନେ ସେମାନଙ୍କ ଟ୍ବିଟୋରିଆଲ୍ କ୍ଲାସ୍ରେ ନିଜର ସନ୍ଦେହ ଦୂର କରିବେ। ଏହାଦ୍ଵାରା ଛାତ୍ରଛାତ୍ରୀମାନେ ଅଧିକ ଅନୁଶୀଳନଧର୍ମୀ ହୋଇପାରିବେ ବୋଲି ସରକାର ଆଶା କରିଛନ୍ତି।