ବିଧାନସଭା ସମ୍ମୁଖରେ ଆଠଗଡ଼ ଅଞ୍ଚଳର ୩ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ
ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ପୁଣି ୩ ଜଣ ଚାଷୀ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଦେହରେ କିରାସିନି ଢ଼ାଳି ଆତ୍ମାହୁତି କରିବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା କର୍ମୀମାନେ ସେମାନଙ୍କୁ କାବୁ କରିନେଇଯାଇଥିଲେ। ଏହି ଚାଷୀମାନେ ବିନା ଦୋଷରେ ସମବାୟ ଋଣ ଜାଲରେ ଛନ୍ଦି ହୋଇ ଏପରି ଚରମ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି।
ଆଠଗଡ଼ କୋଅପରେଟିଭ୍ ବ୍ୟାଙ୍କ ଋଣ ଜାଲିଆତି ପାଇଁ ଏହି ୩ ଚାଷୀ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡ଼ିଛି।
ଆତ୍ମହତ୍ୟା କରିବାକୁ ଆସିଥିବା ଚାଷୀମାନେ ସିଧାସଳଖ ଅଭିଯୋଗ କରିଛନ୍ତି ଯେ ଆମେ ଗରିବ ଲୋକ । ଚାଷ କଲେ ଚଳୁଛୁ। ଆମ ନାମରେ ଲକ୍ଷ ଲକ୍ଷ ଟଙ୍କା ଋଣ ନିଆଯାଇଛି। ଆମେ ଋଣ କରି ନ ଥିଲେ ବି ଆମମାନଙ୍କ ନାମରେ ଟଙ୍କା ଉଠାଯାଇଛି। ଆମମାନଙ୍କ ନାମରେ କେତେ ଟଙ୍କା ଋଣ ନିଆଯାଇଛି ତାହାର କୌଣସି ହିସାବ ଦିଆଯାଉ ନାହିଁ। ଲକ୍ଷ ଲକ୍ଷ ଟଙ୍କାର ଋଣ ହୋଇଥିବାରୁ ତାହା ଶୁଝିବୁ କିପରି? ତେଣୁ ଅନ୍ୟ ଉପାୟ ନ ପାଇ ବାଧ୍ୟ ହୋଇ ବିଧାନସଭା ଆଗରେ ଆତ୍ମହତ୍ୟା କରିବାକୁ ଆସିଛୁ। ଆମେ ଋଣ ନେଇନାହୁଁ, କିନ୍ତୁ କାହିଁକି ଋଣ ଶୁଝିବୁ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।
ଏ ସଂକ୍ରାନ୍ତରେ କୃଷି ମନ୍ତ୍ରୀ ପ୍ରତିକ୍ରିୟା ରଖନ୍ତୁ ବୋଲି ସେମାନେ ପ୍ରକାଶ କରିଛନ୍ତି। ଆଠଗଡ଼ ଅଞ୍ଚଳର ଋଣ ଜାଲିଆତି ଶିକାର ୩ ଚାଷୀଙ୍କ ଆତ୍ମାହୁତି ଉଦ୍ୟମ କରିଥିବା ଚାଷୀଙ୍କ ମଧ୍ୟରୁ ଜଣେ ଆଠଗଡ଼ର କୈଳାଶ ନାୟକ ହୋଇଥିବା ସୂଚନା ମିଳିଛି। ତେବେ ଆତ୍ମହତ୍ୟା ଉଦ୍ୟମ କରିଥିବା ଚାଷୀଙ୍କୁ କାବୁ କରିନେବାବେଳେ ଚାଷୀମାନେ କହିଥିଲେ ଯେ ଆମକୁ ଛାଡ଼ି ଦିଅ, ଆମେ ଯିବୁ ନାହିଁ। ଆମେ ଆତ୍ମହତ୍ୟା କରି ଜୀବନ ହାରି ଦେବୁ। ଚାଷୀ ନେତା ଶେଷଦେବ ନନ୍ଦ କହିଛନ୍ତି ଯେ ଗରିବ ଚାଷୀଙ୍କୁ ଋଣମୁକ୍ତ କରାଯାଉ ଏବଂ ସେମାନଙ୍କ ନାମରେ ଅସାଧୁ ଉପାୟରେ ନିଆଯାଇଥିବା ଋଣ ପ୍ରସଙ୍ଗ ତଦନ୍ତ ହେଉ।