ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ : ପ୍ରଥମେ ଟିକା ନେବେ ଡିଜି, ଜିଲ୍ଲାପାଳ ଏବଂ ଏସ୍ପି
ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜିଠୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ। ଦ୍ବିତୀୟ ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକା ଦିଆଯିବ । ପ୍ରଥମେ ଡିଜି, ଏସପି ଜିଲ୍ଲାପାଳମାନେ ଟିକା ନେବେ । ତେବେ ଟିକା ନେଇସାରି ଫଟୋ ଟୁଇଟ କରିବାକୁ ସ୍ବାସ୍ଥ୍ୟ ବିଭଗ ପକ୍ଷରୁ କୁହାଯାଇଛି । ଏହି ପର୍ଯ୍ୟାୟରେ ମୋଟ ୧ଲକ୍ଷ ୯୭ ହଜାର କର୍ମଚାରୀଙ୍କୁ ଟିକା ଦିଆଯିବ। ପ୍ରତି ମୁଖ୍ୟ କାର୍ଯ୍ୟାଳୟରେ ଟିକା ଦେବା ବ୍ୟବସ୍ଥା ହୋଇଛି।
ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ କରୋନା ଟିକା କରଣ କାର୍ଯ୍ୟକ୍ରମ। ଗୃହ, ରାଜସ୍ବ ଓ ନଗର ଉନ୍ନୟନ ବିଭାଗର ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକା ଦିଆଯିବ। ଦ୍ବିତୀୟ ପର୍ଯ୍ୟାୟ ପାଇଁ ୧ ଲକ୍ଷ ୯୭ହଜାର କର୍ମଚାରୀ ପଞ୍ଜିକରଣ କରିଛନ୍ତି। ସବୁ ଅଫିସରେ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ପୋଲିସ ମୁଖ୍ୟାଳୟ, ବିଏମସି ଅଫିସ, ଅଗ୍ନିଶମ କାର୍ଯ୍ୟାଳୟରେ ଟିକା ଦିଆଯିବ। ଡିଜି, ଏସପି, ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀମାନେ ପ୍ରଥମେ ଟିକା ନେଇ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିବାକୁ ନିର୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ।
ସେହିପରି ଭୁବନେଶ୍ବରରେ ଏହି ପର୍ଯ୍ୟାୟ ଟିକାକରଣ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଭିନ୍ନ କଲ୍ୟାଣ ମଣ୍ତପ ଏବଂ ଗୋଷ୍ଠୀ କେନ୍ଦ୍ରରେ ଟିକା ଦିଆଯିବ। ଭୁବନେଶରରେ ଟିକାକରଣ ପାଇଁ ୧୫ହଜାରରୁ ୨୦ ହଜାର କର୍ମଚାରୀ ପଞ୍ଜିକରଣ କରିଛନ୍ତି। ସେଥିମଧ୍ୟରୁ ସର୍ବାଧିକ ପୋଲିସ ବିଭାଗରୁ ୧୧ହଜାର କର୍ମଚାରୀ ପଞ୍ଜିକରଣ କରିଛନ୍ତି ।
ପୋଲିସ ବିଭାଗ ପାଇଁ ୭ଟି ସେସନ, ବିଏମସି ଏବଂ ରେଭିନ୍ୟୁ ବିଭାଗ ପାଇଁ ୪ ସେସନରେ ଟିକା ଦିଆଯିବ। ବିଏମସି ଅଞ୍ଚଳରେ ୮ରୁ ୧୦ ଦିନ ଭିତରେ ଟିକାକରଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେପଟେ ଟିକାକରଣରେ ପଛେଇ ଯାଇଥିବା କଟକରେ ଏହି ପ୍ରକ୍ରିୟାକୁ ଜୋରଦାର କରିବା ଲାଗି ସାମ୍ନାକୁ ଆସିଛି ଜିଲ୍ଲା ପ୍ରଶାସନ। ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀ ଫେବ୍ରୁଆରି ୧୦ ସୁଦ୍ଧା ଟିକା ନନେଲେ ସେମାନଙ୍କ ଦରମା କିମ୍ବା ଭତ୍ତା କଟାଯିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି।