ଆଇପିଏଲ୍ର ଦ୍ବିତୀୟ ଚରଣ ନିମନ୍ତେ ପ୍ରସ୍ତୁତି ଜୋରଦାର୍
ମୁମ୍ବାଇ, (ଓଡିଶା ଟାଇମ୍): ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଚଳିତ ସଂସ୍କରଣର ଦ୍ବିତୀୟ ଚରଣ ଆସନ୍ତା ୧୯ରୁ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ୍ର ଚଳିତ ସଂସ୍କରଣ ଭାରତରେ ଆରମ୍ଭ ହୋଇଥିଲା। ତେବେ ମେ’ ମାସ ବେଳକୁ କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଦ୍ବିତୀୟ ଚରଣ ମ୍ୟାଚ୍ ୟୁଏଇରେ ଖେଳାଯିବାକୁ ନିଷ୍ପତ୍ତି ହୋଇଥିଲା।
ୟୁଏଇରେ ଖେଳାଯିବାକୁ ଥିବା ଆଇପିଏଲ୍ର ଦ୍ବିତୀୟ ଚରଣକୁ ସଫଳତାପୂର୍ବକ ଶେଷ କରିବାକୁ ଆୟୋଜକଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଦ୍ବିତୀୟ ଚରଣ ସମୟରେ ଯେପରି କୌଣସି ଦଳର ସଦସ୍ୟ କରୋନା ସଂକ୍ରମିତ ନ ହୁଅନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଦ୍ବିତୀୟ ଚରଣ ନିମନ୍ତେ ସ୍ବଳ୍ପ ସଂଖ୍ୟକ ଦର୍ଶକଙ୍କୁ ଷ୍ଟାଡ଼ିୟମରେ ମ୍ୟାଚ୍ ଦେଖିବାକୁ ସୁଯୋଗ ମିଳିବ। ଏହାକୁ ଦୃଷ୍ଟିରେ ରଖି ଆଇପିଏଲ୍ରେ ଭାଗ ନେବାକୁ ଥିବା ଖେଳାଳିମାନେ ମଧ୍ୟ ଉତ୍ସାହିତ ଅଛନ୍ତି। ଅନ୍ୟପକ୍ଷରେ ଆଇପିଏଲ୍ରେ ଭାଗ ନେବାକୁ ଥିବା ଦଳମାନେ ଦ୍ବିତୀୟ ଚରଣରେ ଭଲ ପ୍ରଦର୍ଶନ କରି ଚମ୍ପିଆନ୍ ହେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ। ବିଶେଷ କରି ଦିଲ୍ଲୀ କ୍ୟାପିଟାଲ୍ସ, ଚେନ୍ନଇ ସୁପର କିଙ୍ଗ୍ସ, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବଇ ଇଣ୍ଡିଆନ୍ସ ଦଳ ବିଜେତା ହେବା ଦୌଡ଼ରେ ଆଗୁଆ ରହିଛନ୍ତି।
ଇତିମଧ୍ୟରେ ଆଇପିଏଲ୍ରେ ଭାଗ ନେବାକୁ ଥିବା ବିଭିନ୍ନ ଦଳର ସଦସ୍ୟମାନେ ୟୁଏଇରେ ପହଞ୍ଚି ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। ଦ୍ବିତୀୟ ଚରଣରେ ୩୧ଟି ମ୍ୟାଚ୍ ଦୁବାଇ, ଶାରଜାହା ଓ ଆବୁଧାବିରେ ଖେଳାଯିବ। ଅନ୍ୟପକ୍ଷରେ ଆଇପିଏଲ୍ର ଦ୍ବିତୀୟ ଚରଣରେ ଅନେକ ତାରକା ଅନ୍ତର୍ଜାତୀୟ କ୍ରିକେଟର୍ଙ୍କୁ ଦେଖିବାକୁ ମିଳିବ ନାହିଁ। ଇଂଲଣ୍ଡର କ୍ରିକେଟର୍ ବେନ୍ ଷ୍ଟୋକ୍ସ, ଜସ୍ ବଟଲର୍, ଜନି ବେୟାରଷ୍ଟୋ, ଡାୱିଡ୍ ମାଲାନ୍, ଜୋଫ୍ରା ଆର୍ଚର ଓ କ୍ରିସ୍ ୱକ୍ସ ପ୍ରମୁଖ ଦ୍ବିତୀୟ ଚରଣରେ ଖେଳିବେ ନାହିଁ। ସେହିପରି ଅଷ୍ଟ୍ରେଲିଆର ତାରକା ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ମଧ୍ୟ ଦ୍ବିତୀୟ ଚରଣରେ କଲକାତା ନାଇଟ୍ ରାଇଡର୍ସ ତରଫରୁ ଖେଳିବେ ନାହିଁ। ସେହିପରି ବାଙ୍ଗାଲୋର ରୟାଲ ଚ୍ୟାଲେଞ୍ଜର୍ସ ଦଳରୁ ଅଷ୍ଟ୍ରେଲିଆର ଆଦାମ୍ ଜମ୍ପା ଓ କେନ୍ ୱିଲିୟମସନ୍ ଓହରି ଯାଇଛନ୍ତି। ସେମାନଙ୍କ ସ୍ଥାନରେ ବାଙ୍ଗାଲୋର ଦଳରେ ଶ୍ରୀଲଙ୍କାର ଦୁଷ୍ମନ୍ତ ଚମେରା ଓ ୱାନିଡୁ ହସରଙ୍ଗା ସାମିଲ ହୋଇଛନ୍ତି। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ କ୍ରିସ୍ ୱକ୍ସଙ୍କ ସ୍ଥାନାରେ ବେନ୍ ଡାରୱିସ୍ଙ୍କୁ ସାମିଲ କରାଯାଇଛି।
ପ୍ରଥମ ଚରଣ ଶେଷ ସୁଦ୍ଧା ପଏଣ୍ଟ ଟେବୁଲର ୫ମ ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍ସ ଦଳ ଦ୍ବିତୀୟ ଚରଣରେ ବେନ୍ ଷ୍ଟୋକ୍ସ, ଜୋଫ୍ରା ଆର୍ଚର, ଜସ୍ ବଟଲର୍ ଓ ଲିଆମ୍ ଲିଭିଙ୍ଗଷ୍ଟୋନ୍ଙ୍କ ସେବା ହରାଇବ, ଯାହାକି ଦଳ ପାଇଁ ଚିନ୍ତାର କାରଣ। ମୁମ୍ବଇ ଇଣ୍ଡିଆନ୍ସ ଦଳର ଅଧିନାୟକ ରୋହିତ ଶର୍ମା, ବାଙ୍ଗାଲୋର ରୟାଲ୍ ଚ୍ୟାଲେଞ୍ଜର୍ସ ଦଳର ଅଧିନାୟକ ବିରାଟ କୋହଲି, ଚେନ୍ନଇ ସୁପର କିଙ୍ଗ୍ସ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପ୍ରମୁଖ ଦ୍ବିତୀୟ ଚରଣରେ ନିଜେ ଭଲ ପ୍ରଦର୍ଶନ କରିବା ସହ ଦଳକୁ କିପରି ପରିଚାଳିତ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।











