ଅମ୍ପନ୍: ୧୧ ସଙ୍ଗରୋଧ କେନ୍ଦ୍ରରୁ ୨୫୦ ପ୍ରବାସୀ ସ୍ଥାନାନ୍ତର
କେନ୍ଦ୍ରାପଡ଼ା, (ଓଡ଼ିଶା ଟାଇମ୍): ମହାବାତ୍ୟା ଆମ୍ଫନକୁ ଆଖିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳ ଅଂଚଳର ବାତ୍ୟା ଆଶ୍ରୟସ୍ଥଳରେ ଥିବା ସଙ୍ଗରୋଧ କେନ୍ଦ୍ରରୁ ପ୍ରବାସୀ ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଏହି ବାତ୍ୟା ଆଶ୍ରୟ ସ୍ଥଳଗୁଡ଼ିକରେ ଆମ୍ଫନ ପ୍ରଭାବରୁ ସ୍ଥାନୀୟ ଲୋକଙ୍କୁ ରକ୍ଷା କରରିବା ପାଇଁ ଥଇଥାନ କରାଯିବାକୁ ନଜରରେ ରଖାଯାଇ ପ୍ରବାସୀ ଶ୍ରମିକଙ୍କୁ ସ୍ଥାନାନ୍ତର କରାଯାଇଛି । ରାଜଗର ଓ ମହାକଳପଡ଼ା ବ୍ଲକର ୧୧ଟି ସଙ୍ଗରୋଧ କେନ୍ଦ୍ରରୁ ମୋଟ ୨୫୦ ଜଣ ପ୍ରବାସୀ ଶ୍ରମିକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।
ବରିଷ୍ଠ ପ୍ରଶାସକ ହେମନ୍ତ ଶର୍ମା ସମୋବାର କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ଆମ୍ଫାନ ମୁକାବିଲା ନେଇ ଜିଲ୍ଲାପାଲଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିବା ପରେ ସମୁଦ୍ରର ୫ କିଲୋମିଟର ଦୂରତା ମଧ୍ୟରେ ଥିବା ସମସ୍ତ ଗ୍ରାମରୁ ସ୍ଥାନୀୟ ବାସିନ୍ଦାଙ୍କୁ ସ୍ଥାନୀୟ ବାତ୍ୟା ଆଶ୍ରୟ ସ୍ଥଳରେ ରଖାଯିବାକୁ ନିର୍ଦ୍ଦେଶ ଦେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ରାଜନଗର ବ୍ଲକର ଉପକୂଳ ଅଂଚଳରେ ଥିବା ୬ଟି ବାତ୍ୟା ଆଶ୍ରୟ ସ୍ଥଳରୁ ୧୯୬ ଜଣ ପ୍ରବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ବେଳେ ମହାକଳପଡ଼ା ବ୍ଲକର ୫ଟି ବାତ୍ୟା ଆଶ୍ରୟ ସ୍ଥଳରୁ ୫୪ ଜଣ ପ୍ରବାସୀଙ୍କୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳରେ ଥିବା ଏହି ସଙ୍ଗରୋଧ କେନ୍ଦ୍ରର ଅନ୍ତେବାସୀଙ୍କୁ ଅନ୍ୟ ସଙ୍ଗରୋଧ କେନ୍ଦ୍ରରେ ଥଇଥାନ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।