ରାଜ୍ୟ ପାଇଁ ଖୁସି ଖବର, ସୁସ୍ଥ ହେଲେ ୨୪୩ ସଂକ୍ରମିତ
ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୨୪୩ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୫୧୮୯ରେ ପହଁଚିଛି ।
ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗଜପତିର ୫୯ ଜଣ ଥିବା ବେଳେ ଗଞ୍ଜାମର ୪୧, ଖୋର୍ଧାର ୩୮, କନ୍ଧମାଳ ୧୭, ଝାରସୁଗୁଡା ୧୫, ସୁନ୍ଦରଗଡ ୧୦, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡାରୁ ୮ଜଣ ଲେଖାଏଁ ରହିଛନ୍ତି । ସେହିପରି କୋରାପୁଟରୁ ୭, ବରଗଡ ଓ ମୟୂରଭଞ୍ଜରୁ ୬, ଜଗତସିଂପୁରରୁ ୫, କଟକ, ମାଲକାନଗିରି ଓ ନବରଙ୍ଗପୁରର ୪ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି । ଏତତ୍ ବ୍ୟତୀତ ବାଲେଶ୍ୱରରୁ ୨ ଓ କଳାହାଣ୍ଡିରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି ।
ରାଜ୍ୟରେ ମଙ୍ଗଳବାର ଆଉ ୨୦୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦୬୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।