ଆଜିଠୁ ଗଡ଼ିଲା ୨୦୦ ପାସେଞ୍ଜର ଟ୍ରେନ୍
ଭୁବନେଶ୍ବର, (ଓଡିଶା ଟାଇମ୍) :ଅନ୍ଲକ୍ ଓ୍ୱାନ୍ ପରେ ପ୍ରଥମ ପର୍ୟ୍ୟାୟରେ ଆଜି ୨ ଶହ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ଏଥି ମଧ୍ୟରୁ ଓଡ଼ିଶାରେ ୧୨ ଯୋଡ଼ା ଟ୍ରେନ୍ ଚଳାଚଳ ଆରମ୍ଭ କରିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଜୁନ୍ ୩୦ ଯାଏ ଲକ୍ଡାଉନ୍ ଅବଧି ବୃଦ୍ଧି କରାଯାଇ ଥିବାବେଳେ ୩ଟି ପର୍ୟ୍ୟାୟରେ ଲକ୍ଡାଉନ୍ କଟକଣା ହଟିବ । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡ୍ଲାଇନ୍ସ ଜାରି ହୋଇଛି । ନୂଆ ଗାଇଡଲାଇନ୍ସ ଅନୁସାରେ, କଣ୍ଟେନ୍ମେଣ୍ଟ୍ ଜୋନ୍ରେ ଜୁନ୍ ୩୦ ଯାଏ ଲକ୍ଡାଉନ୍ କଟକଣା ବଳବତ୍ତର ରହିଛି । ଏହି ପାସେଞ୍ଜର ଟ୍ରେନ୍ ବ୍ୟତୀତ ମେ ୧୨ରୁ ଚାଲୁଥିବା ଶ୍ରମିକ ସ୍ପେଶାଲ ଓ ୩୦ଟି ସ୍ବତନ୍ତ୍ର ଏସି ଟ୍ରେନ୍ ମଧ୍ୟ ତା’ର ଯାତ୍ରୀ ପରିବହନ ଅବ୍ୟାହତ ରଖିବ ।
ଆଜି ସକାଳେ ପ୍ରଥମ ଟ୍ରେନ୍ ଜନଶତାବ୍ଦୀ ଏକ୍ସପ୍ରେସ୍ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାତ୍ରା କରିଛି । ଗାଇଡ୍ଲାଇନ୍ସ ଅନୁସାରେ, ଯାତ୍ରୀଙ୍କ ପାଇଁ ମାସ୍କ ପିନ୍ଧିବା ଓ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ କେବଳ କରୋନା ଲକ୍ଷଣ ନ ଥିବା ଯାତ୍ରୀ ହିଁ ଟ୍ରେନ୍ ଯାତ୍ରା କରିପାରିବେ । ପୂର୍ବରୁ ଚାଲିଥିବା ଶ୍ରମିକ ସ୍ପେସାଲ୍ ଟ୍ରେନ୍ ଏବଂ ସ୍ପେସାଲ ଏସି ଟ୍ରେନ ସହ ଏସବୁ ଟ୍ରେନ୍ ଆଜିଠାରୁ ଚଳାଚଳ ଆରମ୍ଭ କରିଛି । ପ୍ରଥମ ଦିନରେ ୧ ଲକ୍ଷ ୪୫ ହଜାରରୁ ଅଧିକ ଯାତ୍ରୀ ନିଜ ନିଜର ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବା ନେଇ ସୂଚନା ମିଳିଛି । ଜୁନ ୧ରୁ ୩୦ ତାରିଖ ମଧ୍ୟରେ ହାରାହାରି ୨୬ ଲକ୍ଷ ଯାତ୍ରୀ ଆଡଭାନ୍ସ ରିଜର୍ଭସେନ୍ କରିଥିବା ଜଣାପଡ଼ିଛି ।