କେନ୍ଦ୍ରାପଡ଼ା ଜିଲ୍ଳାରେ ୭ ଦିନ ନୁହେଁ, ୧୪ ଦିନ ସଙ୍ଗରୋଧ ବାଧ୍ୟତାମୂଳକ
କେନ୍ଦ୍ରାପଡ଼ା, (ଓଡ଼ିଶା ଟାଇମ୍) : କେନ୍ଦ୍ରାପଡ଼ା ଜିଲ୍ଳାରେ ୧୪ ଦିନର ଆନୁଷ୍ଠାନିକ ସଙ୍ଗରୋଧ ବା କ୍ଵାରେଣ୍ଟୀନ୍ ବାଧ୍ୟ କରିଛି ଜିଲ୍ଲା ପ୍ରଶାସନ। ପୂର୍ବରୁ ରାଜ୍ୟ ସରକାର ସଙ୍ଗରୋଧ ସମୟସୀମାରେ କୋହଳ ଆଣି ୭ ଦିନ ବାଧ୍ୟତାମୂଳକ କରିଥିବା ବେଳେ ଆଉ ସାତ ଦିନ ଘରେ ସଙ୍ଗରୋଧ ରହିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ କେନ୍ଦ୍ରାପଡ଼ାକୁ ଫେରୁଥିବା ପ୍ରବାସୀ ଶ୍ରମିକମାନେ ୭ଦିନ ସରକାରୀ ସଙ୍ଗରୋଧରେ ରହିବା ପରେ ଘରକୁ ଯାଇ ସଙ୍ଗରୋଧର ନିୟମ ନମାନି ପରିବାର ଲୋକ, ଗାଁ ଲୋକ ଓ ସାଙ୍ଗସାଥୀଙ୍କ ସହିତ ଅବାଧ ମିଳାମିଶା କରୁଥିବାରୁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ଘୋଷଣା କରିଛନ୍ତି। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି ।
ଏପରି କି କ୍ଵାରେଣ୍ଟୀନ୍ କେନ୍ଦ୍ରରେ ୭ ଦିନ ବିତାଇ ଆସିଥିବା ଅନେକ ପ୍ରବାସୀ ଯୁବକ ବାଇକ ଧରି ଗାଁକୁ ଗାଁ ବୁଲି ବନ୍ଧୁ ବାନ୍ଧବ ଘରକୁ ଯାଇଥିଲେ ଏବଂ ଦୋସ୍ତି ଜମାଇଥିଲେ । ପ୍ରବାସୀମାନେ ବଜାରରେ ବୁଲି ସାଙ୍ଗସାଥୀଙ୍କ ମେଳରେ ଥଣ୍ଡା ପିଉଥିବା ମଧ୍ୟ ଦେଖାଯାଇଥିଲା । ପ୍ରବାସୀମାନେ ଏହିପରି ଭାବେ ସରକାରଙ୍କ ସଙ୍ଗରୋଧ ନିୟମକୁ ବେଖାତିର କରି କରୋନା ସଂକ୍ରମଣ ଆଶଙ୍କା ବୃଦ୍ଧି କରୁଥିବା ଜଣାପଡ଼ିବା ପରେ ଜିଲ୍ଲାପାଳ ବର୍ମା ସ୍ୱତନ୍ତ୍ର କ୍ଷମତା ବଳରେ ଜିଲ୍ଲାର ପରିସ୍ଥିତିକୁ ଅନୁଧ୍ୟାନ କରି ସରକାରଙ୍କ ନିୟମକୁ ବଦଳାଇ ଜିଲ୍ଲାକୁ ଫେରୁଥିବା ପ୍ରବାସୀମାନେ ୭ ଦିନ ବଦଳରେ ୧୪ ଦିନ ଧରି ସରକାରୀ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶନାମା ଜାରିକରିଛନ୍ତି । ସୂଚନା ଯୋଗ୍ୟ ଯେ ଜିଲ୍ଲାକୁ ଫେରିଥିବା ପ୍ରବାସୀ ଶ୍ରମିକମାନେ ୭ ଦିନ ସଙ୍ଗରୋଧରେ ରହି ଘରକୁ ଫେରିବା ପରେ ତାଙ୍କ ମଧ୍ୟରୁ ଅନେକଙ୍କ ରକ୍ତ ଓ ସ୍ୱାବ ନମୂନା ପରୀକ୍ଷାରୁ ସେମାନେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ପ୍ରଶାସନର ମୁଣ୍ଡବିନ୍ଧା ଆରମ୍ଭ ହୋଇଥିଲା । ଏହି ପରିସ୍ଥିତିକୁ ଅନୁଧ୍ୟାନ କରି କେନ୍ଦ୍ରାପଡ଼ା ଜିଲ୍ଲାକୁ ଫେରୁଥିବା ପ୍ରବାସୀ ଶ୍ରମିକମାନେ ୭ ଦିନ ବଦଳରେ ୧୪ ଦିନ ପାଇଁ ସରକାରୀ ସଙ୍ଗରୋଧରେ ରହିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ନିର୍ଦ୍ଦେଶ ଦେଇଛନ୍ତି ।