ଆଜି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ
ବାରିପଦା, (ଓଡିଶା ଟାଇମ୍): ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ। ବିଜେପି ପକ୍ଷରୁ ୧୬ ଦଫା ଦାବି ନେଇ କରାଯାଇଥିବା ଏହି ବନ୍ଦ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ଗାଡିମଟର, ଦୋକାନ ବଜାର ସବୁ ବନ୍ଦ ରହିଥିବା ଦେଖାଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି ।
ଗତ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ବାରିପଦାକୁ ଏକ ସରକାରୀ କାର୍ଯ୍ୟକ୍ରମରେ ଆସିଥିଲେ। କାର୍ଯ୍ୟକ୍ରମ ସାରି ଫେରିବା ସମୟରେ ହେଲିପ୍ୟାଡଠାରେ ବିଜେପି ଏବଂ ଜେଏମଏମ ପକ୍ଷରୁ କଳା ପତାକା ଦେଖାଇ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିଥିଲେ । ସେହି ସମୟରେ ବିଜେପି ଏବଂ ଜେଏମଏମ କର୍ମୀଙ୍କୁ ବିଜେଡି କର୍ମୀଙ୍କ ଦ୍ଵାରା ନିସ୍ତୁକ ମାଡ ମରାଯାଇଥିବା ଘଟଣା ସହିତ ମୟୂରଭଞ୍ଜ ଜିଲ୍ଲାର ଉନ୍ନତି ପାଇଁ ୧୬ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ବିଜେପି ।
ସକାଳ ୬ଟାଠାରୁ ବିଜେପିର ମହିଳା ଯୁବ ମୋର୍ଚ୍ଚା ସହିତ ଜିଲ୍ଲାର ଅନେକ ଆଗ ଧାଡ଼ିର ବିଜେପି ନେତା ବାରିପଦା ସହରର ୧୮ ନଂ ଜାତୀୟ ରାଜପଥରେ ପିକେଟିଂ କରିବା ସହ ରଜପଥ ଅବରୋଧ କରିଛନ୍ତି । ତେଣୁ ବାରିପଦା ଦୋକାନ ବଜାର ବନ୍ଦ ଥିବା ବେଳେ ରାସ୍ତା ଖାଁ ଖାଁ ରହିଥିବା ଦେଖିବାକୁ ମିଳିଛି ।