ଶ୍ରୀନଗରରେ ଉଡିଲା ୧୦୦ ଫୁଟ ଉଚ୍ଚ ଭାରତର ଜାତୀୟ ପତାକା

ଶ୍ରୀନଗର, (ଓଡିଶା ଟାଇମ୍): ମଙ୍ଗଳବାର ଦିନ ଜମ୍ମୁ କାଶ୍ମୀରରେ ୧୦୦ ଫୁଟ ଉଚ୍ଚତାର ଭାରତୀୟ ଜାତୀୟ ପତାକା ସ୍ଥାପନ କରାଯାଇଛି। ଶ୍ରୀନଗରର ଐତିହାସିକ ହରି ପବର୍ତରେ ଏହାକୁ ସ୍ଥାପନ କରାଯାଇଛି। ଏହା କାଶ୍ମୀରରେ ସବୁଠାରୁ ଉଚ୍ଚ ଜାତୀୟ ପତାକା ବୋଲି ଜଣାଯାଇଛି। ଏହି ପତାକା ପାଇଁ ଖମ୍ବ ସ୍ଥାପନ କରିବାକୁ ଚଳିତ ବର୍ଷ ଫେବ୍ରୁଆରୀରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ନିକଟରୁ ଅନୁମତି ମିଳିବା ପରେ ଏହାକୁ ସ୍ଥାପନ କରାଯାଇଛି। ଏଥିପାଇଁ ସୋଲାର ଇଣଷ୍ଟ୍ରିଜ ଇଣ୍ଡିଆ ଲିମିଟେଡ ପୃଷ୍ଠପୋଷକତା ଯୋଗାଇ ଦେିଛି।

ସୂଚନାଯୋଗ୍ୟ ଯେ ଭାରତୀୟ ଫ୍ଲାଗ ଫାଉଣ୍ଡେସନ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ଏହିଭଳି ସୁଉଚ୍ଚ ଜାତୀୟ ପତାକାମାନ ସ୍ଥାପନ କରାଯାଉଥିବାବେଳେ ଶ୍ରୀନଗରରେ ଏହିଭଳି ଏକ ଜାତୀୟ ପତାକା ସ୍ଥାପନ ପ୍ରସ୍ତାବ ଦିଆଯାଇଥିଲା। ଏହି ଖମ୍ବରେ ଲାଗୁଥିବା ଭାରତର ଜାତୀୟ ପତାକାର ଲମ୍ବ ୩୬ ଫୁଟ ଏବଂ ପ୍ରସ୍ଥ ୨୪ ଫୁଟ। ଏହା ସ୍ଥାପନ କରାଯାଇଥିବା ହରି ପର୍ବତ ଶ୍ରୀନଗରସ୍ଥିତ ଡାଲ ହ୍ରଦର ପଶ୍ଚିମକୁ ରହିଛି। ଏହା ମଧ୍ୟ କୁହ୍‍-ଇ-ମାରାନ ନାମରେ ସୁପରିଚିତ। ଜିଲା ପ୍ରଶାସନ ସୂତ୍ରରୁ ପ୍ରକାଶ ଯେ ଏହି ପର୍ବତରେ ଆଫଗାନ ଗଭର୍ଣ୍ଣର ଆତ୍ତା ମହମ୍ମଦ ଖାନ୍‍ ଅଷ୍ଟାଦଶ ଶତାବ୍ଦୀରେ ଏକ ଦୁର୍ଗ ନିର୍ମାଣ କରାଇଥିଲେ। ପରେ ୧୯୫୦ରେ ତତ୍କାଳନୀ ସମ୍ରାଟ ଆକବରଙ୍କ ଦ୍ୱାରା ଏକ ଦୀର୍ଘ ପ୍ରାଚୀର ନିର୍ମାଣ କରାଯାଇଥିଲା। ଏହାର ଚତୁର୍ପାଶ୍ୱର୍ରେ ବିଭିନ୍ନ ଧର୍ମର ଢାଞ୍ଚାଗୁଡିକ ସୁନ୍ଦର ଭାବରେ ନିର୍ମାଣ କରାଯାଇଛି। ଡାଲ ହ୍ରଦରୁ ଏହି ଦୁର୍ଗ ଅତ୍ୟନ୍ତ ମନୋରମ ଦେଖାଯାଏ।

Leave a Reply

Your email address will not be published. Required fields are marked *