ଏଲଏସିରେ ଶହୀଦ ହୋଇଥିବା ୨୦ ଯବାନଙ୍କ ମଧ୍ୟରେ ୨ ଓଡ଼ିଆ
ଭୁବନେଶ୍ଵର, (ଓଡିଶା ଟାଇମ୍) : ଲଦାଖର ଗଲ୍ଓ୍ୱାନ୍ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି।
ଜଣେ ଯବାନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଓ ଅନ୍ୟଜଣେ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ବୋଲି ସୂଚନା ମିଳିଛି। ତେବେ ଏ ନେଇ ସରକାରୀ ଭାବେ କୌଣସି ସ୍ପଷ୍ଟ ହୋଇନି।
ସୂଚନା ଅନୁସାରେ, ସହିଦ ଯବାନ ନନ୍ଦୁରାମ ସୋରେନ୍ଙ୍କ ଘର ରାଇରଙ୍ଗପୁର ବିଜାତଳା ବ୍ଲକ୍ ଅନ୍ତର୍ଗତ ଚମ୍ପାରଦା ଗାଁରେ I ସେ ୨ ବର୍ଷ ତଳେ ଲଦାଖରେ ଡ୍ୟୁଟିରେ ଯୋଗଦେଇଥିଲେ। ତାଙ୍କ ମୃତ୍ୟୁ ନେଇ ମଧ୍ୟ ତାଙ୍କ ପରିବାର ଲୋକଙ୍କ ନିକଟକୁ ଫୋନ୍ ଯୋଗେ ସୂଚନା ମିଳିଥିବା ଜଣାପଡ଼ିଛି ଏବଂ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ବିଅରପାଙ୍ଗା ଗାଁର ହେଉଛନ୍ତି ଚନ୍ଦ୍ରକାନ୍ତ ପ୍ରଧାନ(୨୮)। ଚନ୍ଦ୍ରକାନ୍ତ ୬ ବର୍ଷ ତଳେ ଭାରତୀୟ ସେନାରେ ଯୋଗଦେଇଥିଲେ। ଚନ୍ଦ୍ରକାନ୍ତ ଶହୀଦ ହୋଇଥିବା ନେଇ ସେନାର ଅନ୍ୟ ଜଣେ ଯବାନ ଚନ୍ଦ୍ରକାନ୍ତଙ୍କ ଫୋନରୁ ତାଙ୍କ ଘରକୁ ଫୋନ୍ କରି ସୂଚନା ଦେଇଥିବା ପରିବାର ଲୋକେ କହିଛନ୍ତି।