୨୯ରୁ ପୁରୀ ଓ ଭୁବନେଶ୍ଵର ଐତିହ୍ୟ ନିର୍ମାଣ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା କାଳରେ ପୁରୀ ଓ ଭୁବନେଶ୍ଵରରେ ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ଏବଂ ଶ୍ରୀ ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ ସ୍ଥଗିତ ରହିବ ବୋଲି ଯେଉଁମାନେ ଭାବିଥିଲେ ସେମାନଙ୍କୁ ଚକ୍‌ମା ଦେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ବାକି ଥିବା କାର୍ଯ୍ୟକୁ  ଚଳିତ ମାସ ୨୯ ତାରିଖରୁ ଆରମ୍ଭ କରିବାକୁ ନିର୍ଦେଶ ଦେଇଛନ୍ତି। ଏହା ସହ ଆସନ୍ତା ୨ରୁ ୩ ମାସ ଭିତରେ ପୁରୀରେ ବାକିଥିବା ଜମି ଅଧିଗ୍ରହଣ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଉଭୟ ପ୍ରକଳ୍ପ ବାବଦରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ପୁରୀରେ ପ୍ରସ୍ତାବିତ ଶ୍ରୀ ସେତୁ, ଶ୍ରୀ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର , ମହୋଦଧି ମାର୍କେଟ୍‌ କମ୍ପେ୍ଲକ୍ସ ଏବଂ ମୂଷା ନଦୀର ସମ୍ପ୍ରସାରଣ ବାବଦରେ ଆଲୋଚନା କରିଥିଲେ। ଏହି ଗୁରୁତ୍ଵପୂଣ୍ଣ ପ୍ରକଳ୍ପଗୁଡ଼ିକ ଲାଗି ଆଉ ଅଳ୍ପ ଜମି ଅଧିଗ୍ରହଣ ବାକି ରହିଛି ବୋଲି ଅଧିକାରୀମାନେ ଜଣାଇଥିଲେ।

ସେହିପରି ପ୍ରସ୍ତାବିତ ଶ୍ରୀ ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ ବାବଦରେ ସୂଚନା ଦେଇ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ଯେ, ବକେୟା ଜମି ଅଧିଗ୍ରହଣ କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ କରାଯିବ। ମନ୍ଦିର ଓ ବିନ୍ଦୁ ସାଗର ମଧ୍ୟବର୍ତ୍ତୀ ଅଞ୍ଚଳରେ ବିକାଶ କାର୍ଯ୍ୟ ଆରମ୍ଭପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି। ବିନ୍ଦୁ ସାଗର ସମେତ ଅନ୍ୟ ପୁଷ୍ପରିଣୀକୁ ସ୍ଵଚ୍ଛ କରିବା ଏବଂ ଏଗୁଡ଼ିକ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଇଣ୍ଡିଆନ୍‌ କେମିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌କୁ ପ୍ରସ୍ତାବ ଦିଆଯାଇଛି। ଏଥିପାଇଁ ଏକ ବୁଝାମଣା ସ୍ଵାକ୍ଷର ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ, ପୁରୀ ଓ ଭୁବନେଶ୍ଵରର ଏହି ଦୁଇଟି ପ୍ରକଳ୍ପ ଅନେକ ଦୃଷ୍ଟିରୁ ଗୁରୁତ୍ଵପୂଣ୍ଣ। ଲକ୍‌ଡାଉନ୍‌ ପରିସ୍ଥିତି ହେତୁ ଏହି କାମ ଦୁଇ ମାସ ବନ୍ଦ ରହିଥିଲା। ତେବେ ଏ କାମ ମେ’ ୨୯ ତାରିଖରୁ ଆରମ୍ଭ କରାଯିବ। କାମ ବେଳେ ଆବଶ୍ୟକ ସାମାଜିକ ଦୂରତ୍ଵ ରକ୍ଷା ଏବଂ କୋଭିଡ୍‌ ୯ ନିୟମାବଳୀ ଯେପରି ଠିକଣା ଭାବେ ପାଳନ କରାଯିବ ସେଥିଲାଗି ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

ଦୁଇ ମାସ ହେଲା ନିର୍ମାଣ ଓ ଉଚ୍ଛଦ କାର୍ଯ୍ୟ ବନ୍ଦ ଥିବାରୁ ଏହି କାର୍ଯ୍ୟ ଏବେ ଅଧିକ ବିଳମ୍ବ ହେବ ବୋଲି ଏକ ଭୁଲ୍‌ ଧାରଣା ଜାତ ହୋଇଥିଲା। ଏହାକୁ ଆଖିରେ ରଖି କ୍ଷତିପୂରଣ ରାଶି ପାଇଥିବା କିଛି ବ୍ୟକ୍ତି ଘରଛାଡ଼ି ନଥିଲେ ବା ଘର ଛାଡ଼ିଥିଲେ ମଧ୍ୟ ପୁଣିଥରେ ପୁରୁଣା ଘରକୁ ଫେରି ଆସିଥିଲେ। ଏବେ ସେହି ଲୋକମାନେ ପୁଣି ଅସୁବିଧାର ସମ୍ମୁଖୀନ ହେବେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ପୁରୀରେ ଶ୍ରୀ ଜଗନ୍ନାଥ ହେରିଟେଜ୍‌ କରିଡର ନିର୍ମାଣ ଲାଗି ୭୫ ମିଟର ବ୍ୟାସାର୍ଦ୍ଧରେ ସମସ୍ତ ନିର୍ମାଣକୁ ଉଚ୍ଛେଦ କରାଯିବା କାର୍ଯ୍ୟକ୍ରମ ରହିଛି। ଏହା ସହ ବଡ଼ ଦାଣ୍ଡର ଉନ୍ନତିକରଣ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କୋଠାରୁ ପୁନର୍ବିକାଶ, ଶ୍ରୀ ଜଗନ୍ନାଥ ସାରଂସ୍କୃତିକ କେନ୍ଦ୍ର ଆଦି ପ୍ରକଳ୍ପ ପାଇଁ ସରକାର ଡିଜାଇନ୍‌ ପ୍ରସ୍ତୁତି କାର୍ଯ୍ୟ ପୁଣି ଆରମ୍ଭ କରିବାକୁ ଯାଉଛନ୍ତି।

Leave a Reply

Your email address will not be published.