ଓଡିଶା ପାଇଁ ୫୦୦ କୋଟି ସହାୟତା ଘୋଷଣା କଲେ ମୋଦି
ଭୁବନେଶ୍ୱର,(ଓଡିଶା ଟାଇମ୍): ଓଡ଼ିଶାକୁ ୫୦୦କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରାଯାଇଛି । ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ସ୍ଥିତି ନେଇ ସମୀକ୍ଷା ବୈଠକ ପରେ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାବାସୀ ବହୁତ ଭଲ ଭାବେ ବାତ୍ୟା ମୁକାବିଲା କରିଛନ୍ତି । ଓଡ଼ିଶା ସରକାରଙ୍କ ଟିମ୍ ବହୁତ ଭଲ କାମ କରିଛନ୍ତି ବୋଲି ମୋଦି କହିଛନ୍ତି । ଏହାସହ ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସିବ ବୋଲି ସେ କହିଛନ୍ତି । ପଶ୍ଚିମବଙ୍ଗଠାରୁ ଓଡ଼ିଶାରେ ବେଶି କ୍ଷତି ହୋଇ ନାହିଁ। ଓଡ଼ିଶାରେ ହୋଇଥିବା କ୍ଷତି ବିଷୟରେ ଖୁବ୍ଶୀଘ୍ର ସମ୍ପୂର୍ଣ୍ଣ ସମୀକ୍ଷା କରି କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରିବେ। ତେବେ ଆଗୁଆ ସହାୟତା ପାଇଁ କେନ୍ଦ୍ର ସରକାର ୫୦୦ କୋଟି ସହାୟତା ରାଶି ଦେବେ ବୋଲି ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳ ଗଣେଶୀ ଲାଲ୍ଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ନେଇ ଆଜି ଓଡ଼ିଶା ଆସିଥିଲେ ପ୍ରଧାନମନ୍ତ୍ରୀ । ଭୁବନେଶ୍ୱରରେ ପହଞ୍ଚିବା ପରେ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ବାତ୍ୟାଞ୍ଚଳ ପରିଦର୍ଶନ କରିବା ପାଇଁ ବାହାରିଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାମନ୍ତ୍ରୀଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବି ସାମିଲ ହୋଇ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ ।