‘ଡାକ୍ତର ଓ ନର୍ସ ହେଉଛନ୍ତି ଅସଲ ହୀରୋ’
ମୁମ୍ବାଇ (ଓଟି): ଅଭିନେତ୍ରୀ ଜୋଆ ମୋରାନି କରୋନା ସଂକ୍ରମିତ ହୋଇ ହସ୍ପିଟାଲ୍ ଭର୍ତ୍ତି ହୋଇଛନ୍ତି। ତେବେ ଡାକ୍ତର ଓ ନର୍ସମାନଙ୍କୁ ସେ ଅସଲ ହୀରୋ ବୋଲି ନିଜ ସୋସିଆଲ୍ ମିଡିଆରେ ପ୍ରକାଶ କରିଛନ୍ତି। ସେମାନଙ୍କ ସେବା ପାଇଁ ଯେତେ ପ୍ରଶଂସା କଲେ କମ୍ ହେବ ବୋଲି କହିଛନ୍ତି ଜୋଆ।
ସୂଚନା ଅନୁସାରେ ଶାହରୁଖ ଖାନଙ୍କ ବନ୍ଧୁ ତଥା ପ୍ରଡ୍ୟୁସର କରୀମ ମୋରାନିଙ୍କ ସମେତ ଦୁଇଝିଅ ଜୋଆ ଓ ଶଜା କରୋନାରେ ସଂକ୍ରମିତ ହୋଇଥିଲେ। କରୀମ ଓ ଶଜାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଯାଇନଥିଲା କିନ୍ତୁ ଜୋଆଙ୍କଠାରେ ଭୂତାଣୁ ଥିବା ପ୍ରତିଫଳିତ ହୋଇଥିଲା। ତେବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜୋଆ ନିଜ ଇନଷ୍ଟାଗ୍ରାମ୍ ପୋଷ୍ଟରେ ଅନୁଭୂତି ସେୟାର୍ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଏହା ଫ୍ଲୁ ଭଳି ଲାଗିଥିଲା ଓ ଛାତିରେ ସାମାନ୍ୟ ଯନ୍ତ୍ରଣା ହେଉଥିଲା। ବିଶ୍ରାମ, ପ୍ରାଣାୟାମ ସହ ଗରମ ପାଣି ନେବା ଫଳରେ ତାଙ୍କୁ ବହୁତ ସୁଫଳ ମିଳିପାରିଛି। ଖୁବ୍ ଶୀଘ୍ର ଘରକୁ ଫେରିବାର ଆଶା ରଖିଥିବା ଜୋଆ ଚିକିତ୍ସା ଉପଲବ୍ଧି ନେଇ ଡାକ୍ତର, ନର୍ସ ଓ ହସ୍ପିଟାଲର ଅନ୍ୟ କର୍ମଚାରୀଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ସେମାନେ ହେଉଛନ୍ତି ଅସଲି ହୀରୋ ବୋଲି ସେ କହିଛନ୍ତି।