ଲୋକସଭା ନିର୍ବାଚନରେ ‘ୟଙ୍ଗ କ୍ୟାଣ୍ଡିଡେଟ’
- ଚଳିତ ନିର୍ବାଚନରେ ୪୦ବର୍ଷରୁ କମ୍ ବୟସର ୧୩% ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି
- ୩୦ରୁ କମ୍ ବୟସର ପ୍ରାର୍ଥୀଙ୍କ ସଂଖ୍ୟା ୨.୨%
- ୨୨% ପ୍ରତିଶତ ସାଂସଦ ପ୍ରାର୍ଥୀଙ୍କ ବୟସ ୪୫ବର୍ଷରୁ କମ୍
ଦେଶର ଶାସନ ଡ଼ୋର ସମ୍ଭାଳିବାକୁ ନେତାମାନଙ୍କର କିଛି ଅଭତଜ୍ଞତା ରହିବା ଆବଶ୍ୟକ। କାରଣ ଅନେକ ସମୟରେ ଦେଶ ସମ୍ପର୍କରେ ଅନେକ ଗୁଡିଏ ନିଷ୍ପତ୍ତି ନେବାକୁ ହୋଇଥାଏ। ତାହା ଦେଶ ପାଇଁ ଭଲ ହେବ କି ନାହିଁ ତାହା କାର୍ଯ୍ୟକାରୀ କରିବା ପୂର୍ବରୁ ଚିନ୍ତା କରିବା ଆବଶ୍ୟକ। ତେଣୁ ରାଜନେତା ହେବାକୁ ହେଲେ ଅନେକ ଅଭିଜ୍ଞତା ଆବଶ୍ୟକ ବୋଲି ଯାହା ଆଗରୁ କୁହାଯାଉଥିଲା ତାକୁ ଆଜି କାଲି ଯୁବପୀଢ଼ି ଭୂଲ ପ୍ରମାଣିତ କରିବାକୁ ଯାଉଛନ୍ତି। ଅର୍ଥାତ୍ ଚଳିତ ନିର୍ବାଚନରେ କୌଣସି ପ୍ରକାରର ସାମାଜିକ ଦାୟିତ୍ୱ ସମ୍ପର୍କରେ ଆଦୌ ଅଭିଜ୍ଞତା ନଥିବା ଯୁବପୀଢ଼ି କ୍ଷମତା ରାଜନୀତିରେ ଅଂଶୀଦାର ହେବାକୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ବିଚକ୍ଷଣ ବୁଦ୍ଧି ଓ ଅତ୍ୟାଧୁନିକ ବ୍ୟବସ୍ଥା ସହିତ ସମସ୍ତ ପ୍ରକାରର କାମ କରିବା ସହିତ ଦାୟିତ୍ୱ ନେବାକୁ ସେମାନେ ପ୍ରସ୍ତୁତ ଓ ସମର୍ଥ ବୋଲି ପ୍ରମାଣିତ କରିବାକୁ ଚାହୁଁଛନ୍ତି। ତେଣୁ ଚଳିତ ନିର୍ବାଚନରେ ଅନେକ ଯୁବ ପ୍ରାର୍ଥୀଙ୍କୁ ଦେଖିବାକୁ ମିଳିଛି।
ତେଜସ୍ୱୀ ସୂର୍ଯ୍ୟ

ଯୁବ ସାଂସଦ ପ୍ରାର୍ଥୀ ଭାବରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ବେଙ୍ଗାଲୁର ଦକ୍ଷିଣ ଲୋକସଭା ଆସନର ବିଜେପି ସର୍ବ କନିଷ୍ଠ ପ୍ରାର୍ଥୀ ୨୮ ବର୍ଷ ବୟସ୍କ ତେଜସ୍ୱୀ ସୂର୍ଯ୍ୟ। ଏହି ଆସନରୁ ୧୯୯୬ରୁ ବିଜେପିର ବରିଷ୍ଠ ନେତା ଅନନ୍ତ କୁମାର ପ୍ରତିନିଧିତ୍ୱ କରିଆସୁଥିଲେ। ଚଳିତ ବର୍ଷ ତାଙ୍କର ମୃତ୍ୟୁ ପରେ ତେଜସ୍ୱୀଙ୍କୁ ବିଜେପି ପ୍ରାର୍ଥୀ କରିଛି। ୧୯୯୧ରେ ବେଙ୍ଗାଲୁରରେ ତେଜସ୍ୱୀଙ୍କର ଜନ୍ମ। ବେଙ୍ଗାଲୁର ଜୟନଗରରେ ଥିବା କଲେଜରୁ ଗ୍ରାଜୁଏସନ କରିବା ପରେ ଲିଗାଲ ଷ୍ଟଡିଜରେ ଆଇନ ଶିକ୍ଷା ଲାଭ କରି ଏବେ ବେଙ୍ଗାଲୁର ହାଇକୋର୍ଟରେ ଓକିଲ ଅଛନ୍ତି। ତାଙ୍କ ଦାଦା ରବି ସୁବ୍ରମଣ୍ୟ ବିଜେପି ବିଧାୟକ ଥିଲେ। ତେଜସ୍ୱୀ ଅନେକ ଥର ନିର୍ବାଚନ ପ୍ରଚାର କରି ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି। ତାଙ୍କ ଭାଷଣ ଶୈଳୀ ପାଇଁ ତେଜସ୍ୱୀଙ୍କୁ ଜୁନିଅର ମୋଦି ବୋଲି କୁହାଯାଏ। ତେଜସ୍ୱୀ ଆରଏସଏସ ସହିତ ଜଡିତ ଥିବାରୁ ତାଙ୍କୁ ଟିକଟ ମିଳିବା ସହଜ ହୋଇଛି।
ଚନ୍ଦ୍ରାଣୀ ମୁର୍ମୁ

ଓଡ଼ିଶାର କେନ୍ଦୁଝର ସଂରକ୍ଷିତ ଲୋକସଭା ଆସନ ପାଇଁ ରାଜ୍ୟର ଶାସକ ବିଜେଡି ପକ୍ଷରୁ ୨୬ ବର୍ଷ ବୟସ୍କ ଚନ୍ଦ୍ରାଣୀ ମୁର୍ମୁଙ୍କୁ ସାଂସଦ ପ୍ରାର୍ଥୀ କରାଯାଇଛି। କେନ୍ଦୁଝରର ପୂର୍ବତନ ସାଂସଦ ହରିହର ସୋରେନଙ୍କ ନାତୁଣୀ ଚନ୍ଦ୍ରାଣୀ ପେଷାରେ ଜଣେ ମେକାନିକାଲ ଇଞ୍ଜିନିୟର ଥିଲେ। ସେ ଲୋକଙ୍କ ସେବା କରିବା ପାଇଁ ଚାକିରୀ ଛାଡି ରାଜନୀତିରେ ଯୋଗ ଦେଇଛନ୍ତି।
ଆକାଶ ପ୍ରସାଦ ସିଂହ

ବିହାରରୁ କମ୍ ବୟସର ସାଂସଦ ପ୍ରାର୍ଥୀ ହେଉଛନ୍ତି ଆକାଶ ପ୍ରସାଦ ସିଂହ। ତାଙ୍କର ବୟସ ଏବେ ୨୭ ବର୍ଷ। ବିହାର କଂଗ୍ରେସ ନିର୍ବାଚନ ପ୍ରଚାର ଦାୟିତ୍ୱରେ ଥିବା ଅଖିଳେଶ ସିଂହଙ୍କ ପୁତ୍ର ହେଉଛନ୍ତି ଆକାଶ। ସେ ରାଜ୍ୟର ପୂର୍ବୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ପକ୍ଷରୁ ନିର୍ବାଚନ ଲଢ଼ୁଛନ୍ତି। ଆକାଶ ଦାର୍ଜିଲିଂର ସେଣ୍ଟ ପଲ ସ୍କୁଲରେ ପଢ଼ିବା ପରେ ଲଣ୍ଡନର ବ୍ରୁନେଇ ୟୁନିଭର୍ସିଟରେ ପାଠ ପଢ଼ିଛନ୍ତି। ତାଙ୍କ ବିରୋଦରେ ବିଜେନିର ୬୯ବର୍ଷ ବୟସ୍କ ରାଧାମୋହନ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି।
ବିରାଜ ଡେ଼କା

ଚଳିତ ନିର୍ବାଚନରେ ସବୁଠାରୁ କମ୍ ବୟସର ପ୍ରାର୍ଥୀ ହେଉଛନ୍ତି ୨୫ ବର୍ଷ ବୟସ୍କ ବିରାଜ ଡେ଼କା। ସେ ଆସାମର କୋକ୍ରାଝର ଲୋକସଭା ଆସନରୁ ସିପିଏମ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ବିରାଜ ଗୋରେଶ୍ୱର କଲେଜରୁ ଗ୍ରାଜୁଏସନ କରିବା ପରେ ବୋଡୋଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ପିଜି କରିଛନ୍ତି। କଲେଜରୁ ପଢ଼ିବା ସମୟରୁ ବିରାଜ ରାଜନୀତିରେ ରୁଚି ରଖିଥିଲେ। ବର୍ତ୍ତମାନ ସେ ଏସଏଫଆର ଉପ ସଭାପତି ଅଛନ୍ତି।