୧୧ରେ ଜି- ଜୀନ୍ପିଙ୍ଗ୍ଙ୍କ ଅନୌପଚାରିକ ଭାରତ ଗସ୍ତ: କୂଟନୀତିକ ଆଲୋଚନା ସମ୍ଭାବନା
ଭୁବନେଶ୍ଵର, (ଓଟି): ଆସନ୍ତା ୧୧ ତାରିଖରେ ଚୀନ୍ ରାଷ୍ଟ୍ରପତି ଜି-ଜିନ୍ପିଙ୍ଗ୍ ଭାରତଗସ୍ତ କରିବେ। ଏହା ଏକ ଅନୌପଚାରିକ ଗସ୍ତ ରହିବ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ। ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଏହାସହ କୁହାଯାଇଛଇ ଯେ, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଅନୌପାରିକ ଚୀନ୍ ଗସ୍ତ ସମୟରେ ଯେଉଁପରି ଭାବେ ଆଲୋଚନା ହୋଇଥିଲା ଠିକ୍ ସେହିଭଳି ଭାବେ କିଛି ଆଲୋଚନା ହେବା ସମ୍ଭାବନା ରହିଛି।
ଭାରତ-ପାକିସ୍ତାନ ଭିତରେ ସମ୍ପର୍କ ତିକ୍ତ ହେଉଥିବା ସମୟରେ ଚୀନର ଭାରତୀୟ ପଦକ୍ଷେପକୁ ବିରୋଧ କରାଯିବ ଏବଂ ଜାତି ସଂଘରେ ପାକିସ୍ତାନ ସପକ୍ଷରେ ମତ ରଖିବା କେନ୍ଦ୍ର କରି ଅନେକ ମତାନ୍ତର ହୋଇଥିଲା। ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହାକୁ ଆଭ୍ୟନ୍ତରୀଣ ବ୍ୟାପରର ବୋଲି ମତ ଦେଇ ବିଶ୍ଵସମୁଦାୟକୁ ଏଥିରୁ ଦୂରରେ ରହିବା ପାଇଁ ଅନୁରୋଧ କରିଥିଲା। ଏବେ ରାଷ୍ଟ୍ରପତି ଜି-ଜିନ୍ପିଙ୍ଗ୍ଙ୍କ ଗସ୍ତ ପୂର୍ବରୁ ଏହାକୁ ଏକ ଦ୍ଵିପାକ୍ଷିକ ବିଷୟ ଏବଂ ଏହା ନୂଆଦିଲ୍ଲୀ-ଇସ୍ଲାମ୍ବାଦ ଭିତର ବ୍ୟାପର ବୋଲି ଚୀନ ପକ୍ଷରୁ କୁହାଯାଇଛି।
ଚେନ୍ନାଇଠାରେ ପ୍ରଧାନମନ୍ତ୍ରୀ ଓ ଚୀନ ରାଷ୍ଟ୍ରପତିଙ୍କ ଭିତରେ ଆଲୋଚନା ହେବ। ଏହାପରେ ରାଷ୍ଟ୍ରପତି ନେପାଳଯିବା କାର୍ଯ୍ୟକ୍ରମ ରହିଛି।
୨୦୧୭ ମସିହାରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଅନୌପଚାରିକ ଭାବେ ଚୀନ ଗସ୍ତ କରିଥିଲେ। ସେଠାରେ ରାଷ୍ଟ୍ରପତି ଶ୍ରୀ ଜିନ୍ ପିଙ୍ଗ୍ଙ୍କୁ ସାକ୍ଷାତକରି ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାର ଫଳ ସ୍ଵରୂପ ଚୀନ ଓ ଭାରତ ଭିତରେ ଚାଲିଥିବା ସାମରିକ ଶକ୍ତି ପ୍ରଦର୍ଶନର ଅନ୍ତ ଘଟିଥିଲା। ସିଲିଗୁଡ଼ି ନିକଟରେ ଏକ ସମାନ୍ତରାଳ ରାସ୍ତା ଚୀନ ନିର୍ମାଣ କରିବା ଉଦ୍ୟମକୁ ନେଇ ଦୁଇ ଦେଶ ଭଧ୍ୟରେ ସାମରିକ ଶକ୍ତି ପ୍ରଦର୍ଶନ ହୋଇଥିଲା। ଏହା୭୩ ଦିନ ଧରି ଜାରି ରହିଥିଲା। କିନ୍ତୁ ଦୁଇ ଦେଶ ମୁଖ୍ୟଙ୍କ ଭିତରେ ଆଲୋଚନା ପରେ ଏହା ଦୂର ହୋଇଥିଲା।
ଏବେ ଅଗଷ୍ଟ ୫ ତାରିଖରେ ଜମ୍ମୁ ଓ କଶ୍ମୀର ଉପରୁ ଧାରା ୩୭୦ରର ଉଚ୍ଛେଦ ପରେ, ପାକିସ୍ତାନ ପ୍ରତିକ୍ରିୟା ସ୍ଵରୂପ ବିଶ୍ଵ ସମୁଦାୟର ମତକୁ ନିଜ ପକ୍ଷକୁ ନେବାକୁ ଚେଷ୍ଟା କରିଛି। ବାରମ୍ବାର ଚୀନ ଗସ୍ତରେ ଏହାର ପ୍ରଧାନମନ୍ତ୍ରୀ ଓ ସେନା ମୁଖ୍ୟ ଯାଉଛନ୍ତି। ନିକଟରେ ସେମାନଙ୍କ ସହ ଚୀନ ପ୍ରିମିୟର ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଭାରତଗସ୍ତରେ ଚୀନ ରାରଷ୍ଟ୍ରମୁଖ୍ୟଙ୍କ ଗସ୍ତ କୂଟନୀତିକ ବ୍ୟାପରକୁ ନୂଆ ମୋଡ଼ ଦେବ ବୋଲି ଆଶା କରାଯାଉଛି।











