ଭିତରକନିକାରେ୧୫୫୭ କୁମ୍ଭୀର, ବିଶ୍ଵର ୪ ବଡ଼ କୁମ୍ଭୀର ରହିଛି ଏଇଠି

କେନ୍ଦ୍ରାପଡା଼, (ଓଟି):କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ପରିସରରେ ଗତ ଡିସେମ୍ବର ମାସ ୨୬ ତାରିଖ ଠାରୁ ଆରମ୍ଭ ହାଇଥିବା କୁମ୍ଭୀର ଗଣନା ଗତ ୪ ତାରିଖରେ ଶେଷ ହୋଇଛି ଓ ପର୍ଯ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ ଖୋଲିଛି । ଏବେ ଭିତରକନିକା ଜାତୀୟ ଉଦ୍ୟାନ ପରିସରରେ ମୋଟ ୧୫୫୭ଟି କୁମ୍ଭୀର ରହିଥିବା ଏହି ଗଣନାରେ ଜଣାପଡ଼ିଛି । ଭିତରକନିକାରେ ୪ଟି ବିଶ୍ୱର ସବୁଠାରୁ ବଡ଼ କୁମ୍ଭୀରଙ୍କୁ ମଧ୍ୟ ଏହି ଗଣନା ସମୟରେ ଠାବ କରାଯାଇଛି ।

ଏହି ୪ଟି କୁମ୍ଭୀରଙ୍କ ଲମ୍ଭ ୨୦ ଫୁଟରୁ ୨୩ ଫୁଟ ପର୍ଯ୍ୟନ୍ତ ରହିଥିବା ଗଣନା ବେଳେ ଜଣାଯାଇଛି । ଗତବର୍ଷ କୁମ୍ଭୀର ଗଣନା ସମୟରେ ଭିତରକନିକାରେ ୧୫୪୨ଟି କୁମ୍ଭୀରଙ୍କୁ ଠାବ କରାଯାଇଥିବା ବେଳେ ଏ ବର୍ଷ ୧୫୫୭ଟି କୁମ୍ଭୀରଙ୍କୁ ଠାବ କରାଯାଇଛି । ଅର୍ଥାତ ଭିତରକନିକାରେ ଗତବର୍ଷ ଅପେକ୍ଷା ଏ ବର୍ଷ ୧୫ଟି କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇ ୧୫୫୭ରେ ପହଂଚିଛି । ଏ ବର୍ଷ ଭିତର କନିକା ଜାତୀୟଉଦ୍ୟାନ ପରିସରରେ ୩୩୯ଟି ବୟଷ୍କ କୁମ୍ଭୀର ରହିଛନ୍ତି । ଗତ ୨୦୧୮-୧୯ କୁମ୍ଭୀର ଗଣନା ସମୟରେ ଭିତରକନିକାରେ୩୨୫ଟି ବୟଷ୍କ କୁମ୍ଭୀର ରହିଥିବା ବେଳେ ଏ ବର୍ଷ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୩୩୯ରେ ପହଂଚିଛି । ସେହିପରି ଭିତରକନିକାରେ ୧୮୫ଟି ଅପ୍ରାପ୍ତ ବୟଷ୍କ, ୨୮୮ଟି ଶିଶୁ କୁମ୍ଭୀର ରହିଥିବା ବେଳେ ୩୨୫ଟି ବର୍ଷିକିଆ କୁମ୍ଭୀର ରହିଥିବା କୁମ୍ଭୀର ଗଣନା ସମୟରେ ଜଣାପଡ଼ିଛି । ସେହିପରି ଭିତରକନିକାରେ ଏ ବର୍ଷ ୬୨୦ଟି କଚମ୍ଭୀର ଜନ୍ମନେଇଥିବା ମଧ୍ୟ ଜଣାପଡ଼ିଛି । ସବୁଠାରୁ ବଡ଼କଥା ହେଉଛି ଭିତରକନିକା ଜାତୀୟଉଦ୍ୟାନ ପରିସରରେ ୧୪ଟି ଧଳା(ଶଂଖୁଆ) କୁମ୍ଭୀରଙ୍କୁ ଗଣନା ସମୟରେ ଠାବ କରାଯାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳ ଅଂଚଳରେ ଥିବା ନଦୀନାଳରେ ପ୍ରଚୁର କୁମ୍ଭୀର ଦେଖାଯାଉଥିଲେ । କିନ୍ତୁ ଦେଶ ସ୍ୱାଧୀନ ହେବା ପରେ ବିଭିନ୍ନ କାରଣରୁ କେନ୍ଦ୍ରାପଡ଼ା ଜିଲ୍ଲାର ନଦୀନାଳରରୁ କୁମ୍ଭୀରଙ୍କ ସଂଖ୍ୟା ହ୍ରାସପାଇଥିଲା ଓ କ୍ରମେ ଲୋପ ପାଇବାକୁ ବସିଥିଲା । କିନ୍ତୁ ଏହି ଅଂଚଳ ବହୁ ପୂର୍ବରୁ ବଉଳା କୁମ୍ଭୀରଙ୍କ ପ୍ରକୃତିକ ଆବାସସ୍ଥଳ ଥବବା ଜଣାପଡ଼ିବା ପରେ ଭିତରକନିକା ଅଂଚଳର ଡାଙ୍ଗମାଳ ଠାରେ ୧୯୭୬ ମସିହାରେ ସରକାରଙ୍କ ପକ୍ଷରୁ ଏକ କୁମ୍ଭୀର ପ୍ରଜନନକେନ୍ଦ୍ର ସ୍ଥାପନ କରାଯାଇ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି କରାଯିବାକୁ ପ୍ରୟାସ ଆରମ୍ଭ ହେଲା ।

ଏହାପର ଠାରୁ ଭିତରକନିକା ଅଂଚଳରେ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀରଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧିପାଇବାରେ ଲାଗିଛି । ଭିତରକନିକା ଅଂଚଳରେ ୧୯୭୬ ମସିହାରେ କୁମ୍ଭୀରଙ୍କ ସଂଖ୍ୟା ମାତ୍ର ୭୬ ଥିବା ବେଳେ ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ୧୫୫୭ରେ ପହଂଚିଛି । କୁମ୍ଭୀର ବିଷୋର ଡ. ସୁଧାକର କରଙ୍କ ନେତ୍ୃତ୍ୱରେ ୨୩ଟି ଦଳ ଭିତରକନିକା ଜାତୀୟଉଦ୍ୟାନର ମହାକଳପଡ଼ା, ରାଜନଗର, କନିକା ଓ ଗହିରମଥା ରେଞ୍ଜ ପରିସରରେ ଥିବା ନଦୀନାଳରେ ଡଙ୍ଗାରେ ବୁଲି ବୁଲି କୁମ୍ଭୀର ଗଣନା କରିଥିଲେ । ପ୍ରକାଶଯୋଗ୍ୟ ଯେ, ସାଧାରଣତଃ ନଦୀର ମିଠା ପାଣି ଓ ସମୁଦ୍ର ଜୁଆରର ଲୁଣିଆ ପାଣିର ମିଶ୍ରିତ ଖାରିଆ ପାଣିରେ ବଉଳା କୁମ୍ଭୀରମାନେ ରହିବାକୁ ପସନ୍ଦ କରନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ଶହ ଶହ ସଂଖ୍ୟକ ନଦୀ ଜିଲ୍ଲାର ଉପକୂଳ ଅଂଚଳରେ ସମୁଦ୍ର ସହିତ ମିଶିଥିବାରୁ ଏହି ଅଂଚଳ କୁମ୍ଭୀରଙ୍କ ଆବାସ ପାଇଁ ଉପଯୁକ୍ତ ଓ ଏଠାକାର ନଦୀନାଳରେ ପ୍ରଚୁର ପରିମାଣର ମାଛ, କଙ୍କଡ଼ା ଆଦି କୁୁମ୍ଭୀରଙ୍କ ଖାଦ୍ୟ ମିଳୁଥିବା ସହିତ ଏହି ଅଂଚଳରେ ପ୍ରଚୁର ସଂଖ୍ୟକ ନଦୀନାଳ ଥିବାରୁ କୁମ୍ଭୀରଙ୍କ ପ୍ରଜନନ ଓ ଆବାସ ପାଇଁ ଉପଯୁକ୍ତ ବିବେଚନା ଯାଉଛି ।

Leave a Reply

Your email address will not be published.