କରୋନା କାରଣରୁ ବିଶ୍ଵ ବିତ୍ତୀୟ ବଜାରରେ ଅସ୍ଥିରତା
ନୂଆଦିଲ୍ଲୀ (ଓଟି): କୋଭିଡ୍-୧୯ ତଥା କରୋନା ଭାଇରସ୍ ସାରା ବିଶ୍ଵର ଆର୍ଥିକ ମେରୁଦଣ୍ଡକୁ ମଧ୍ୟ ଦୋହଲାଇ ଦେଇଛି। ବିଭିନ୍ନ ରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ବିଭିନ୍ନ କ୍ଷେତ୍ରକୁ ପ୍ରଭାବିତ କରୁଛି। ଶିଳ୍ପ- ବାଣିଜ୍ୟ ଆଦି ଅନେକ କ୍ଷେତ୍ର ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ବିଶେଷକରି କେତେକ ରାଷ୍ଟ୍ରରେ ରପ୍ତାନି ଓ ଆମଦାନିକୁ ନେଇ କଟକଣା ଲାଗୁ କରାଯାଇଥିବାରୁ ବିଶ୍ୱ ଅର୍ଥନୀତି ବ୍ୟବସ୍ଥା ଭାରୀ ମାତ୍ରାରେ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବିଶ୍ୱସ୍ତରରେ ଇକ୍ୱିଟି ବଜାର ବହୁମାତ୍ରାରେ ପ୍ରଭାବିତ ହୋଇଥିବାରୁ ପ୍ରମୁଖ କମ୍ପାନୀଙ୍କ କ୍ଷତି ବଢ଼ିବାରେ ଲାଗିଛି। ଫଳରେ ପୁଞ୍ଜି ବଜାରରେ ଅସ୍ଥିରତା ଘନେଇବାରେ ଲାଗିଛି।
ଏଭଳି ସ୍ଥିତି ଭାରତ ପାଇଁ ଅଧିକ ଚାଲେଞ୍ଜ ହୋଇପଡ଼ିଛି। ତେଣୁ ପୁଞ୍ଜି ବଜାରରେ ସ୍ଥିରତା ବଜାୟ ରଖିବା ଜରୁରି ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଭାରତର କେନ୍ଦ୍ରୀୟ ବ୍ୟାଙ୍କ ଭାବେ ରିଜର୍ଭ ବ୍ୟାଙ୍କ ସମୁଚିତ ପଦକ୍ଷେପ ନେବାକୁ ପ୍ରସ୍ତୁତ ରହିଥିବା କହିଛି।
ସାମ୍ପ୍ରତିକ ସ୍ଥିତିକୁ ନେଇ ଆନ୍ତର୍ଜାତିକ ଓ ଘରୋଇସ୍ତରର ଦେଖାଯାଇଥିବା ସମସ୍ୟା ଉପରେ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ତୀକ୍ଷ୍ମ ଦୃଷ୍ଟି ରଖିଥିବା ବେଳେ ଘରୋଇ ବଜାରରେ ଆର୍ଥିକ ସ୍ଥିରତା ବଜାୟ ରଖିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନେଇ ପ୍ରସ୍ତୁତ ରହିଥିବା କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, କରୋନା କାରଣରୁ ବିଶ୍ୱର ପ୍ରମୁଖ ଷ୍ଟକ୍ ଏକ୍ସଚେଞ୍ଜଗୁଡିକରେ କାରବାର ମାତ୍ରାଧିକ ଭାବେ ହ୍ରାସ ପାଇଛି। ଆମେରିକା, ଲଣ୍ଡନ, ହଂକଂ, ବେଜିଂ, ଟୋକିଓ, ସିଙ୍ଗାପୁର ସମେତ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସୂଚକାଙ୍କ ସ୍ଥିତି ନିମ୍ନମୁଖୀ ହୋଇଛି।