#କୋଭିଡ୍-୧୯: ଭାରତକୁ ବିଶ୍ଵ ବ୍ୟାଙ୍କର ୭୬ ହଜାର କୋଟି ସହାୟତା

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ମୁକାବିଲା ପାଇଁ ବିଶ୍ଵବ୍ୟାପି ଚିନ୍ତା ବଢ଼ିଯାଇଛି। ବିଭିନ୍ନ ଦେଶକୁ ସହାୟତା ଯୋଗାଉଛନ୍ତି ବିଶ୍ଵସ୍ତରର ସଂଗଠନ। ଏହିକ୍ରମରେ ଭାରତକୁ ଜରୁରୀକାଳୀନ ଭିତ୍ତିରେ ବିଶ୍ଵ ବ୍ୟାଙ୍କ ୭୬ ହଜାର କୋଟି ଟଙ୍କା ସହାୟତା ଦେଇଛି। ପ୍ରାଥମିକ ଭାବରେ ବିଶ୍ୱ ବ୍ୟାଙ୍କ ୨୫ଟି ଦେଶକୁ ଏଭଳି ସହାୟତା ଯୋଗାଇଥିବା ଜଣାପଡ଼ିଛି। ଯେଉଁଥିରୁ ଭାରତକୁ ୫୦ ପ୍ରତିଶତରୁ ଅଧିକ ଟଙ୍କା ଦେଇଛି ବିଶ୍ୱବ୍ୟାଙ୍କ। ଏହି ଟଙ୍କାରେ ଭାରତ କରୋନା ପାଇଁ ସ୍କ୍ରିନିଂ ବ୍ୟବସ୍ଥାଠୁ ଆରମ୍ଭ କରି ପରୀକ୍ଷାଗାର, ଚିକିତ୍ସା ଉପକରଣ, ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ସୁରକ୍ଷା ଉପକରଣ କିଣିବା ସହ ଆଇସୋଲେସନ ଓ୍ୱାର୍ଡ ତିଆରି ହେବ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ବିଶ୍ୱବ୍ୟାଙ୍କ ପକ୍ଷରୁ ଦକ୍ଷିଣ ଏସିଆର ପାକିସ୍ତାନ, ଆଫଗାନିସ୍ତାନ, ମାଳଦ୍ୱୀପକୁ ଓ ଶ୍ରୀଲଙ୍କାକୁ ଆର୍ଥିକ ସହାୟତା କରିଛି। ଆଗାମୀ ୧୫ ମାସ ଭିତରେ ମହାମାରୀ କରୋନାର ମୁକାବିଲା କରିବା ପାଇଁ ବିଶ୍ୱବ୍ୟାଙ୍କ ୧୬୦ ବିଲିଅନ ଡଲାର ଅନୁମୋଦନ ଦେଇଛି। ଯାହାକି ଅର୍ଥନୀତିକ କ୍ଷତିରେ ସୁଧାର ଆଣିବା ସହ ସ୍ୱାସ୍ଥ୍ୟାବସ୍ଥାର ସୁଧାର କରିବ ବୋଲି ବିଶ୍ୱବ୍ୟାଙ୍କ ଆଶା ରଖିଛି। ସମ୍ପ୍ରତି ବିଶ୍ୱବ୍ୟାଙ୍କ ସମସ୍ତ ଦିଗ ଉପରେ ସମୀକ୍ଷା କରିବା ସହ ୬୫ଟି ଦେଶକୁ ଫୋକସରେ ରଖିଛି।

Leave a Reply

Your email address will not be published. Required fields are marked *