କରୋନା ଆତଙ୍କ: ବିଶ୍ୱବ୍ୟାଙ୍କ ଦେଲା ୧୨୦୦ କୋଟି ଡଲାର

ନୂଆଦିଲ୍ଲୀ (ଓଟି): କରୋନା ଭାଇରସ୍ ବିରୋଧରେ ହେଉଥିବା ଯୁଦ୍ଧରେ ବର୍ତ୍ତମାନ ବିଶ୍ୱବ୍ୟାଙ୍କ ସାମନାକୁ ଆସିଛି । ଅଭାବୀ ଦେଶଗୁଡ଼ିକ ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ୧୨୦୦ କୋଟି ଡଲାରର ସହାୟତା ରାଶି ଘୋଷଣା କରାଯାଇଛି । ବିଶ୍ୱବ୍ୟାଙ୍କର ସଭାପତି ଡେଭିଡ୍ ମାଲପାସ୍ କହିଛନ୍ତି ଯେ, ଦେଶଗୁଡ଼ିକର ଆବଶ୍ୟକକୁ ପୂରା କରିବା ଲାଗି ଦ୍ରୁତ ଏବଂ ପ୍ରଭାବୀ ଆକ୍ସନ୍ ଉପଲବ୍ଧ କରିବା ହେଉଛି ଏହାର ଲକ୍ଷ୍ୟ । ଏହାସହ କରୋନା ଭାଇରସ୍‌ର ସଂକ୍ରମଣ କାରଣରୁ ଗରିବ ଦେଶଗୁଡ଼ିକ ଉପରେ ପଡୁଥିବା ଅତିରିକ୍ତ ବୋଝକୁ ବୁଝିବା ବେଶ୍ ଗୁରୁତ୍ୱପୂର୍ଣ୍ଣ, ଯେଉଁମାନଙ୍କ ନିକଟରେ ଏହି ଭାଇରସ୍ ସହିତ ମୁହାଁମୁହିଁ ହେବା ପାଇଁ ଆବଶ୍ୟକ ଉପକରଣ ନାହିଁ।

ସୂଚନା ଅନୁସାରେ, ଏହି ସହାୟତା ରାଶିର କିଛି ଅଂଶ ଗରିବ ଦେଶମାନଙ୍କୁ ଦିଆଯିବ। ସେହିପରି ଏହି ରାଶିର ବ୍ୟବହାର ମେଡିକାଲ୍ ଉପକରଣ କିମ୍ବା ସ୍ୱାସ୍ଥ୍ୟ ସେବାରେ କରାଯିବ। ଏହାସହ ଅଭାବୀ ଦେଶଗୁଡ଼ିକୁ ନୀତିଗତ ପରାମର୍ଶ ଦିଆଯିବ ବୋଲି ମଧ୍ୟ ବିଶ୍ୱବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ବିବୃତିରେ ଉଲ୍ଲେଖ କରାଯାଇଛି। ଡିସେମ୍ବର ଶେଷଭାଗରେ ଚୀନ୍‌ର ଏକ ସହରରେ କରୋନା ଭାଇରସ୍‌ର ପ୍ରଥମ ମାମଲା ସାମନାକୁ ଆସିବା ପରେ ଏହା ଏତେ ପରିମାଣରେ ସଂକ୍ରମିତ ହୋଇ ଜୀବନହାନୀ ଘଟାଇବ, ସେ ସମ୍ବନ୍ଧରେ କେହି ଭାବିନଥିଲେ। ସମ୍ପ୍ରତି ସୁଦ୍ଧା ଏହା ୭୦ଟି ଦେଶକୁ ବ୍ୟାପିଥିବାବେଳେ ବିଶ୍ୱବ୍ୟାପୀ ୩୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇଛି ଏବଂ ଏହାଦ୍ୱାରା ୯୦ ହଜାରରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଅପରପକ୍ଷେ ସହାୟତା ପାଇଁ ଅପିଲ୍ କରିଥିବା ଦେଶଗୁଡ଼ିକୁ ୧୨୦୦ କୋଟି ଡଲାରରୁ ୮୦୦ କୋଟି ଡଲାର ଦିଆଯିବ ବୋଲି ବିଶ୍ୱବ୍ୟାଙ୍କର ମୁଖ୍ୟ କହିଛନ୍ତି । ବିଶ୍ୱବ୍ୟାପୀ ଅନେକ ଦେଶଗୁଡ଼ିକ ବିଶ୍ୱବ୍ୟାଙ୍କ ସହ ସହାୟତା ପାଇଁ ସମ୍ପର୍କ କରିଛନ୍ତି । ମାତ୍ର ଏହି ଦେଶଗୁଡ଼ିକ ମଧ୍ୟରୁ ସର୍ବପ୍ରଥମେ କାହାକୁ ସହାୟତା ମିଳିବ ବୋଲି ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିପାରି ନାହିଁ।

Leave a Reply

Your email address will not be published.