ଲୋକସଭାକୁ ସର୍ବାଧିକ ୭୮ମହିଳା ସାଂସଦ ନିର୍ବାଚିତ
୧୭ତମ ଲୋକସଭା ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳରୁ ୭୮ଜଣ ମହିଳା ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ସର୍ବାଧିକ ହେବ ବୋଲି ଜଣାପଡ଼ିଛି। ନୂଆ ଲୋକସଭାରେ ମହିଳା ସାଂସଦଙ୍କ ପ୍ରତିଶତ ମୋଟ ସଂଖ୍ୟାର ୧୭ ପ୍ରତିଶତ ହେବ। ୯ମ ଲୋକସଭା ନିର୍ବାଚନରେ ସବୁଠାରୁ କମ୍ ୨୮ଜଣ ମହିଳା ସାଂସଦ ନିର୍ବାଚିତ ହୋଇଥିଲେ। ୧୬ତମ ଲୋକସଭାରେ ୬୪ଜଣ ମହିଳା ସାଂସଦ ନିର୍ବାଚିତ ହୋଇଥିଲେ।

ଚଳିତ ନିର୍ବାଚନରେ ୫୪୨ଜଣ ସାଂସଦଙ୍କ ମଧ୍ୟରୁ ସର୍ବାଧିକ ୪୦ଜଣ ମହିଳା ସାଂସଦ ବିଜେପି ଟିକଟରେ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ପକ୍ଷରୁ କେବଳ ସୋନିଆ ଗାନ୍ଧୀ ଉତ୍ତର ପ୍ରଦେଶର ରାୟବରେଲିରୁ ନିର୍ବାଚିତ ହୋଇଛନ୍ତି।

ଓଡ଼ିଶାରୁ ୭ଜଣ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ତା ମଧ୍ୟରୁ ବିଜୁ ଜନତା ଦଳ ପକ୍ଷରୁ ୫ଜଣ ମହିଳା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେମାନେ ହେଲେ ପ୍ରମିଳା ବିଶୋୟୀ, ଶର୍ମିଷ୍ଠା ସେଠୀ, ମଞ୍ଜୁଲତା ମଣ୍ଡଳ, ଚନ୍ଦ୍ରାଣୀ ମୁର୍ମୁ ଓ ଡ଼ା. ରାଜଶ୍ରୀ ମଲ୍ଲିକ ନିର୍ବାଚିତ ହୋଇଛନ୍ତି। ବିଜେପିରୁ ସଂଗୀତା ସିଂହଦେଓ ବଲାଙ୍ଗୀର ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି।
କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଉତ୍ତରପ୍ରଦେଶର ଆମେଥିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପରାଜିତ କରି ଐତିହାସିକ ବିଜୟ ଲାଭ କରିଛନ୍ତି। ଏହାଛଡ଼ା କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମିର୍ଜାପୁରରୁ ଓ ମେନକା ଗାନ୍ଧୀ ସୁଲତାନପୁରରୁ ବିଜୟ ଲାଭ କରିଛନ୍ତି। ହେମାମାଳିନୀ ମଥୁରାରୁ, ସାଧ୍ୱୀ ପ୍ରଜ୍ଞା ଭୋପାଳରୁ, ମିନାକ୍ଷୀ ଲେଖୀ ନୂଆଦିଲ୍ଲୀରୁ, କିରଣ ଖେର ଚଣ୍ଡିଗଡ଼ରୁ ଓ ରୀତା ବହୁଗୁଣା ଯୋଶୀ ଆହ୍ଲାବାଦରୁ ନିର୍ବାଚିତ ହୋଇଛନ୍ତି।
ଚଳିତ ନିର୍ବାଚନରେ କଂଗ୍ରେସ ସର୍ବାଧିକ ୫୪ଜଣ , ବିଜେପି ୫୩ଜଣ, ବିଏସପି ୨୪ଜଣ, ତୃଣମୂଳ କଂଗ୍ରେସ ୨୩ଜଣ, ସିପିଏମ ୧୦ଜଣ, ସିପିଆଇ ୪ଜଣ, ଏନସିପି ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି। ଆଞ୍ଚଳିକ ଦଳ ବିଜେଡି ୭ଜଣ ମହିଳାଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିଥିଲା। ଏହାଛଡ଼ା ୨୨୨ଜଣ ମହିଳା ସ୍ୱାଧିନ ଭାବେ ନିର୍ବାଚନ ଲଢ଼ୁଥିଲେ।